ଭାରତୀୟମାନେ ଖାଇବାରେ କମ୍, ଟିଭି ଫ୍ରିଜ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି: ରିପୋର୍ଟ

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ: ଭାରତୀୟମାନେ ଖାଇବାରେ କମ୍ ବରଂ ଟିଭି ଫ୍ରିଜ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏକଥା ଜାଣି ଆଶ୍ଚର୍ଯ୍ୟ ଲାଗୁଛି ନା? କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଭାରତୀୟ ପରିବାରମାନଙ୍କର ଘରୋଇ ଖର୍ଚ୍ଚକୁ ନେଇ ପରିସଂଖ୍ୟାନ ମନ୍ତ୍ରଣାଳୟ ରିପୋର୍ଟ ଜାରି କରିଛି। ଏଥିରେ ଜଣାପଡ଼ିଛି ଯେ ଘରୋଇ ଖର୍ଚ୍ଚ ଗତ ୧୦ ବର୍ଷରେ ଦୁଇଗୁଣାରୁ ଅଧିକ ବଢ଼ିଯାଇଛି। ମାସିକ ପ୍ରତି ବ୍ୟକ୍ତି ଖର୍ଚ୍ଚ(ଏମ୍‌ପିସିଇ) ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟମାନେ ଘରେ ଖାଇବା ସାମଗ୍ରୀ ଉପରେ କମ୍ ବରଂ କପଡ଼ା, ଟିଭି, ଫ୍ରିଜ୍‌ ଓ ମନୋରଞ୍ଜନ ଧର୍ମୀ ଜିନିଷ ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି।

ସେହିପରି ଗହମ, ଚାଉଳ ଓ ଡାଲି ଭଲି ଶଷ୍ୟ ଉପରେ କମ୍ ଖର୍ଚ୍ଚ କରାଯାଉଥିବା ବେଳେ ମଦ. ସର୍ବତ ଜୁସ୍ ଆଦି ପାନୀୟ(ବେଭେରେଜ୍), ରିଫ୍ରେସ୍‌ମେଣ୍ଟ(ହାଲୁକ ଜଳଖିଆ ଓ ପାନୀୟ) ଓ ପ୍ରୋସେସ୍ଡ ଫୁଡ୍(ଜରିରେ ପ୍ୟାକ୍ ହୋଇ ଆସୁଥିବା ଯେ କୌଣସି ପ୍ରସ୍ତୁତ ଖାଦ୍ୟ)ରେ ଲୋକ ଅଧିକ ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ଅନୁସାରେ ଦେଶରେ ୨୦୨୨-୨୩ରେ ହାରାହାରି ମାସିକ ପ୍ରତି ବ୍ୟକ୍ତି ଖର୍ଚ୍ଚ ଗ୍ରାମାଞ୍ଚଳରେ ୩୭୭୩ ରହିଥିବା ବେଳେ ସହରରେ ଏହା ୬,୪୫୯ ରହିଛି।

ସହରାଞ୍ଚଳରେ ଖାଦ୍ୟ ଉପରେ ୩୯.୨ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ଲୋକେ

ସର୍ଭେ ଅନୁଯାୟୀ, ୨୦୧୧-୧୨ ତୁଳନାରେ ଗ୍ରାମାଞ୍ଚଳରେ ଭାରତୀୟ ପରିବାରର ଖାଦ୍ୟ ପାଇଁ ମାସିକ ବ୍ୟୟ ୫୩% ରୁ ୪୬.୪%କୁ ହ୍ରାସ ପାଇଛି। ଅନ୍ୟପଟେ ଖାଦ୍ୟ ବଦଳରେ ଅନ୍ୟାନ୍ୟ ଖର୍ଚ୍ଚ ୪୭% ରୁ ୫୩.୬%କୁ ବଢ଼ିଯାଇଛି। ସେହିପରି ସହରାଞ୍ଚଳରେ ରହୁଥିବା ପରିବାରର ମାସିକ ଖର୍ଚ୍ଚରେ ଖାଦ୍ୟର ଅଂଶ ୪୨.୬% ରୁ ୩୯.୨%କୁ ହ୍ରାସ ପାଇଥିବାବେଳେ ଖାଦ୍ୟ ବ୍ୟତୀତ ଅନ୍ୟ ସାମଗ୍ରୀର ଖର୍ଚ୍ଚ ଅଂଶ ୫୭.୪% ରୁ ୬୦.୮% କୁ ବୃଦ୍ଧି ପାଇଛି।

ପଢ଼ନ୍ତୁ-ସହରାଞ୍ଚଳ ତୁଳନାରେ ବଢିଛି ଗ୍ରାମାଞ୍ଚଳ ଲୋକଙ୍କ ବ୍ୟୟ, ୧୧ ବର୍ଷ ପରେ ଆସିଛି ସର୍ଭେ ରିପୋର୍ଟ

୧୧ ବର୍ଷ ପରେ ଆସିଲା ରିପୋର୍ଟ-

ଅଗଷ୍ଟ -୨୦୨୨ରୁ ଜୁଲାଇ -୨୦୨୩ ମଧ୍ୟରେ ହୋଇଥିବା ଅଲ୍ ଇଣ୍ଡିଆ ଘରୋଇ ଉପଭୋଗ ଖର୍ଚ୍ଚ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୧୧ ବର୍ଷ ପରେ ସରକାର ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ପ୍ରତି ପାଞ୍ଚ ବର୍ଷରେ MPCE ତଥ୍ୟ ପ୍ରକାଶ କରନ୍ତି। କିନ୍ତୁ ତଥ୍ୟର ମାନ ଉପରେ ପ୍ରଶ୍ନ ଉଠୁଥିବାରୁ ୨୦୧୭-୧୮ରେ ରିପୋର୍ଟ ଦିଆଯାଇ ନଥିଲା। ସଦ୍ୟତମ ସର୍ଭେ ରିପୋର୍ଟରୁ ଭାରତୀୟଙ୍କ ଖର୍ଚ୍ଚର ପେଟର୍ଣ୍ଣ ବିଷୟରେ ସୂଚନା ମିଳିଛି। ଯାହା ଅର୍ଥବ୍ୟବସ୍ଥାର ଚାହିଦାର ଆକଳନ କରିବାରେ ବହୁତ ଆବଶ୍ୟକ ହେବ। ଏଥିସହିତ ଜିଡିପି ଡାଟାର ଗଣନା ପାଇଁ ମଧ୍ୟ ଏହି ତଥ୍ୟର ବ୍ୟବହାର କରାଯାଇପାରେ।

ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଖର୍ଚ୍ଚ ବୃଦ୍ଧି

ସର୍ଭେ ଅନୁଯାୟୀ, ଅଗଷ୍ଟ -୨୦୨୨ ରୁ ଜୁଲାଇ -୨୦୨୩ ମଧ୍ୟରେ ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମାସିକ ଖର୍ଚ୍ଚ ୩୭୭୩ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦୧୧-୨୦୧୨ ତୁଳନାରେ ୧୪୩୦ ଟଙ୍କା ଥିଲା। ଏହି ଅବଧିରେ ସହରାଞ୍ଚଳରେ ମୁଣ୍ଡପିଛା ବ୍ୟୟ ପ୍ରତି ମାସରେ ୬୪୫୯ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହା ୨୬୩୦ ଟଙ୍କା ଥିଲା।

ରିପୋର୍ଟରେ କୁହାଯାଇଛି ଯେ ମୂଲ୍ୟ ବୃଦ୍ଧି ହେବାର କାରଣରୁ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ସାମଗ୍ରୀ(FMCG) ଉପରେ ଅଧିକ ଚାପ ପଡ଼ିଛି। ଭାରତୀୟ ପରିବାରମାନେ ୨୦୨୩ରେ ବିସ୍କୁଟ, ସାବୁନ, ଶାମ୍ପୁ, ଟୁଥପେଷ୍ଟ, ଜାମ ଏବଂ ଫ୍ଲୋର କ୍ଲିନର୍ ଇତ୍ୟାଦି ଦ୍ରୁତ ଗତିରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ୫.୪ ଟ୍ରିଲିୟନ୍ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯ ଠାରୁ ଏହି ଖର୍ଚ୍ଚ ପ୍ରାୟ ୪୫% ବୃଦ୍ଧି ପାଇଛି।

ପଢ଼ନ୍ତୁ-ବେରୋଜଗାରୀ ନୁହେଁ, ବରଂ କମ୍ ରୋଜଗାର ଦେଶ ପାଇଁ ଚିନ୍ତାର କାରଣ: ଅରବିନ୍ଦ ପାନାଗାରିଆ

ସବୁଠାରୁ କମ୍ ଖର୍ଚ୍ଚ କରୁଛନ୍ତି ଛତିଶଗଡ଼ବାସୀ

ରାଜ୍ୟଗୁଡିକୁ ଦେଖିଲେ ସିକ୍କିମରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକ ଅଧିକ ଖର୍ଚ୍ଚ କରୁଛନ୍ତି। ଏଠାରେ ଜଣେ ଗ୍ରାମବାସୀ ପ୍ରତି ମାସରେ ୭୭୩୧ ଟଙ୍କା ଏବଂ ସହରି ଲୋକ ୧୨୧୦୫ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ଛତିଶଗଡରେ ଜଣେ ଗ୍ରାମୀଣ ବ୍ୟକ୍ତି ୨୪୬୬ ଟଙ୍କା ଏବଂ ଜଣେ ସହରୀ ବ୍ୟକ୍ତି ପ୍ରତି ମାସରେ ୪୪୮୩ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଅନ୍ୟ ରାଜ୍ୟ ଠାରୁ ସର୍ବନିମ୍ନ। ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ ଗ୍ରାମାଞ୍ଚଳରେ ୧୭୫୦ ଟଙ୍କା ଏବଂ ସହରାଞ୍ଚଳରେ ୨୫୩୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଆମ ରାଜ୍ୟ ଓଡ଼ିଶାରେ ଗ୍ରାମାଞ୍ଚଳରେ ପ୍ରତି ବ୍ୟକ୍ତିର ମାସିକ ଖର୍ଚ୍ଚ ୨୯୫୦ ରହିଥିବା ବେଳେ ସହରାଞ୍ଚଳରେ ମାସିକ ଖର୍ଚ୍ଚ ୫୧୮୭ ଟଙ୍କା ଖର୍ଚ୍ଚ କରୁଛନ୍ତି।

କେନ୍ଦ୍ର ଶାସିତ ଅଞ୍ଚଳ ଖର୍ଚ୍ଚ

ସେହିପରି କେନ୍ଦ୍ର ଶାସିତ ଅଞ୍ଚ ମଧ୍ୟରେ ପ୍ରତି ବ୍ୟକ୍ତି ମାସିକ ଖର୍ଚ୍ଚ ଚଣ୍ଡିଗଡ଼ରେ ସର୍ବାଧିକ ରହିଛି। ଏଠାରେ ଗ୍ରାମାଞ୍ଚଳରେ ୭,୪୬୭ ରହିଥିବା ବେଳେ ସହରାଞ୍ଚଳରେ ୧୨,୫୭୫ ରହିଛି। ସେହିପରି ଲଦାଖ ଓ ଲାକ୍ଷାଦ୍ୱୀପରେ ସବୁଠାରୁ କମ୍ ଏମ୍‌ପିସିଇ ରହିଛି। ଏଠାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ପ୍ରତି ବ୍ୟାକ୍ତି ମାସିକ ଖର୍ଚ୍ଚ ଯଥାକ୍ରମେ ୪,୦୩୫ ଓ ୫,୪ ୭୫ ରହିଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.