ଅଷ୍ଟ୍ରେଲିଆଠୁ ହାରିଲା ମହିଳା କ୍ରିକେଟ୍ ଟିମ୍ : ରାଜ୍ୟଗୋଷ୍ଠୀ କ୍ରୀଡାରେ ହାତଛଡା ହେଲା ସ୍ୱର୍ଣ୍ଣ, ରୁପାରେ ସନ୍ତୁଷ୍ଟ ଭାରତ

Published By : Prameya-News7 Bureau | August 08, 2022 IST

ବର୍ମିଂହାମ, ୦୮/୦୮: ମହିଳା ଟି-ଟ୍ୱେଣ୍ଟି କ୍ରିକେଟର ଫାଇନାଲ୍‌ ତଥା ସ୍ୱର୍ଣ୍ଣ ପଦକ ମୁକାବିଲାରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅଧିନାୟିକା ହର୍ମନପ୍ରୀତ କୌର ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ ହେଁ ନିମ୍ନକ୍ରମ ବ୍ୟାଟିଂ ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଅଷ୍ଟ୍ରେଲିଆ ୯ ରନ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮/୧୬୧ ରନ୍‌ କରିଥିଲା । ଜବାବରେ ଭାରତ ୧୯.୩ ଓଭରରେ ୧୫୨ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା ।

{"id":667686,"sizeSlug":"full","linkDestination":"none"}

ଟସ୍‌ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଲିସା ହିଲି ଓ ମୁନି ପାଳି ଆରମ୍ଭ କରିଥିଲେ । ପେସ୍‌ ବୋଲର ରେଣୁକା ସିଂହ ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ହିଲି (୭)ଙ୍କୁ ପାଭିଲିୟନ ପଠାଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ । ୩ନଂ ସ୍ଥାନରେ ଆସିଥିବା ଲାନିଙ୍ଗ୍‌ ଅପରାଜିତ ମୁନିଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ୭୪ରନ୍‌ ଭାଗିଦାରୀ ଗଠନ ପରେ ଲାନିଙ୍ଗ୍‌ ଆଉଟ୍‌ ହୋଇଥିଲେ । ସେ ୨୬ ବଲ୍‌ରୁ ୩୬ (୫ଚୌକା, ୧ଛକା) ରନ୍‌ କରିଥିଲେ । ଏହାପରେ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ତେବେ ମୁନି ୬୧ (୮ଚୌକା), ଆସଲି ଗାର୍ଡନର ୨୫ ଓ ରାଚେଲ ହାୟନିସ୍‌ ଅପରାଜିତ ୧୮ରନ୍‌ ଯୋଗ କରିବା ଫଳରେ ଦଳୀୟ ସ୍କୋର ୮/୧୬୧ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ରେଣୁକା ଓ ସ୍ନେହ ରାଣା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

୧୬୧ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୨୨ରନ୍‌ ମଧ୍ୟରେ ଉଭୟ ଓପନରଙ୍କୁ ହରାଇଥିଲା । ସ୍ମୃତି ମନ୍ଧନା ୬ ଓ ସେଫାଳି ବର୍ମା ୧୧ ରନ୍‌ କରିଥିଲେ । ଏହାପରେ ଜେମିମା ରୋଡ୍ରିଗ୍ସ ଓ ହର୍ମନପ୍ରୀତ ଦୃଢ଼ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ହର୍ମନପ୍ରୀତ ୩୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୪ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୨/୧୧୨ରେ ପହଞ୍ଚି ଯାଇଥିଲା । ଶେଷ ୬ ଓଭରରୁ ବିଜୟ ପାଇଁ ଭାରତକୁ ଆଉ ୫୦ରନ୍‌ ଆବଶ୍ୟକ ହେଉଥିଲା । ଦଳ ସହଜରେ ବିଜୟ ହାସଲ କରିବା ଆଶା କରାଯାଇଥିଲା । କିନ୍ତୁ ୧୫ତମ ଓଭରରେ ଜେମିମାଙ୍କ ୱିକେଟ୍‌ ପତନ ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ସେ ୩୩ (୩ଚୌକା) ରନ୍‌ କରିଥିଲେ । ପରବର୍ତ୍ତୀ ଓଭରରେ ଆସଲି ଗାର୍ଡନର ଆଉ ୨ଟି ୱିକେଟ୍‌ ନେବା ଫଳରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଫେରିଥିଲା । ପୂଜା ବସ୍ତ୍ରାକାର ୧ ଏବଂ ହର୍ମନପ୍ରୀତ ୪୩ବଲ୍‌ରୁ ୬୫ (୭ଚୌକା, ୨ଛକା) ରନ୍‌ କରି ପାଭିଲିୟନ ଫେରିଥିଲେ । ବିପଦ ଘନେଇ ଥିଲା । ନିମ୍ନକ୍ରମ ବ୍ୟାଟରମାନେ ଅଷ୍ଟ୍ରେଲିଆ ବୋଲରଙ୍କୁ ସମ୍ମୁଖୀନ ହୋଇପାରିନଥିଲେ । ଫଳରେ ଦଳ ୧୫୨ରନ୍‌ରେ ଅଟକି ଯାଇଥିଲା । ଦୀପ୍ତି ଶର୍ମା ୧୩ ଓ ସ୍ନେହ ରାଣା ୮ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗାର୍ଡନର ୩ଟି ଓ ମେଗାନ ସ୍କୁତ ୨ଟି ୱିକେଟ୍‌ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.