ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତୀୟ ଦଳ ! ପିସିବି ପାଖରେ କ'ଣ ରହିଛି ବିକଳ୍ପ

Published By : Prameya-News7 Bureau | April 24, 2024 IST

aajtak

ନୂଆଦିଲ୍ଲୀ: ପାକିସ୍ତାନରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବାକୁ ଯାଉଛି। ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ଏହା ମଧ୍ୟରେ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ। ଯଦି ଟିମ୍ ଇଣ୍ଡିଆ ପାକିସ୍ତାନ ନଯାଏ ତେବେ କଣ ହେବ ଏହା ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ବିବୃତି ଦିଆଯାଇଛି।

ପିସିବି ସୂତ୍ରରୁ ପ୍ରକାଶ ଯେ, ଯଦି ବିସିସିଆଇ ଆନୁଷ୍ଠାନିକ ଭାବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ନିଜ ଦଳକୁ ପାକିସ୍ତାନ ନ ପଠାଏ ତେବେ ପିସିବି ବିକଳ୍ପ ଉପରେ ବିଚାର କରିବ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ପୂର୍ବରୁ କହି ସାରିଛନ୍ତି ଯେ ପାକିସ୍ତାନ ନିରପେକ୍ଷ ସ୍ଥାନରେ ଭାରତ ସହିତ ଦ୍ଵିପାକ୍ଷିକ ସିରିଜ୍ ଖେଳିବାକୁ ପ୍ରସ୍ତୁତ, ଯଦି ଭାରତୀୟ ଦଳ ପାକିସ୍ତାନ ମାଟିରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ସହମତ ହୁଏ।

Also read: ଭାଇଙ୍କ ବଳିଦାନ ନଥିଲେ କ୍ରିକେଟର ଭଗବାନ ହୋଇନଥାନ୍ତେ ସଚିନ୍? ଜନ୍ମଦିନରେ ଜାଣନ୍ତୁ ସଂଘର୍ଷର କାହାଣୀ...

ପାକିସ୍ତାନ ୧୯୯୬ ବିଶ୍ଵକପ୍‌ ପରେ ନିଜ ମାଟିରେ ପ୍ରଥମ ଥର ଆଇସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଏହା ଆଇସିସି ଇଭେଣ୍ଟ ହୋଇଥିବାରୁ ବିସିସିଆଇକୁ ନିଜ ଦଳକୁ ପାକିସ୍ତାନ ପଠାଇବା ପାଇଁ ମନା କରିବା ସେତେଟା ସହଜ ହେବନି। ଯଦି ଭାରତୀୟ ଦଳ ପାକିସ୍ତାନ ନ ଯାଏ, ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମୋଡେଲ୍ ଉପରେ ଆଲୋଚନା ହୋଇପାରେ। ଏଥିରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଆବୁଧାବି ଓ ୟୁଏଇ ପରି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ। 

ଉଲ୍ଲେଖନୀୟ ଏପ୍ରିଲ ୨୩ରେ ବିସିସିଆଇ ସୂତ୍ରରୁ ଖବର ପ୍ରକାଶ ପାଇଥିଲା ଯେ, ଭାରତୀୟ ଦଳ ଆସନ୍ତା ବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ। ସମ୍ଭବତଃ ଆୟୋଜନ ସ୍ଥଳ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ କିମ୍ବା ହାଇବ୍ରିଡ ମୋଡେଲ୍ ଉପରେ ବିଚାର କରାଯାଇପାରେ। ଜନୈକ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ଭବିଷ୍ୟତରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳାର ସମ୍ଭାବନା କମ ରହିଛି। 

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଥର ଦ୍ଵିପାକ୍ଷିକ ସିରିଜ୍ ୨୦୧୨-୧୩ରେ ଆୟୋଜନ ହୋଇଥିଲା। ଉକ୍ତ ସିରିଜ୍ ପାଇଁ ପାକିସ୍ତାନ ଦଳ ଭାରତ ଯାତ୍ରା କରିଥିଲା। ଗତ ବର୍ଷ ଖେଳା ଯାଇଥିବା ଏସିଆ କପ୍‌ ପାଇଁ ମଧ୍ୟ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରି ନ ଥିଲା। ଏହା ପରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି) ଏସିଆ କ୍ରିକେଟ୍ କପ୍ ଆୟୋଜନ ପାଇଁ ହାଇବ୍ରିଡ ମୋଡେଲ୍‌ର ଉପଯୋଗ କରିଥିଲା ଏବଂ ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.