ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ହାତରୁ ହାରିଲା ଭାରତୀୟ ଦଳ, ଟି-୨୦ ବିଶ୍ଵ କପ୍ ପୂର୍ବରୁ ଲାଗିଲା ଝଟକା

Published By : Prameya-News7 Bureau | October 13, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ପର୍ଥରେ ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳା ଯାଇଛି। ହେଲେ ଦ୍ଵିତୀୟ ଓ୍ଵାର୍ମଅପ୍ ମ୍ୟାଚ୍‌ରେ ଭାରତକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଛି। ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଭାରତକୁ ଏହି ପରାଜୟରୁ ଉଚିତ୍ ଶିକ୍ଷା ନେଇ ଆଗାମୀ ଦୁଇ ଓ୍ଵାର୍ମ ଅପ୍ ମ୍ୟାଚ୍‌ ଏବଂ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କେମିତି ରଣନୀତି ଆପଣେଇବ ତାହା ଦେଖିବା ବାକି ରହିଲା।

ଏହି ମୁକାବିଲାରେ ଭାରତୀୟ ଦଳକୁ ୩୬ ରନର ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଧିନାୟକ ଦାୟିତ୍ଵ ସମ୍ଭାଳିଥିବା କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୨୦ ଓଭରରେ  ୮ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ନିକ ହବସନ ୬୪ ରନ ଇନିଂସ ଖେଳିଥିବା ବେଳେ ଡାର୍ସି ସଟ୍ ୫୨ ରନ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ ଖେଳିଥିଲେ ହେଁ,  ବ୍ୟାଟିଂ କରିବାକୁ ଆସିନଥିଲେ।

ଭାରତ ପକ୍ଷରୁ ଆର ଅଶ୍ଵିନ ୩ ଓ୍ଵିକେଟ୍ ନେଇଥିଲେ ଏବଂ ହର୍ଷଲ ପଟେଲ୍ ୨ ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଥିଲେ। ଜବାବରେ  ଭାରତୀୟ ଦଳ ୧୬୯ ରନର ବିଜୟ ଲକ୍ଷ୍ୟ  ପିଛା କରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅଧିନାୟକ କେଏଲ ରାହୁଲ ୫୫ ବଲ୍‌ରୁ ୭୪ ରନ ଇନିଂସ ଖେଳିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦଳ ୨୦ ଓଭରରେ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା ଏବଂ ୩୬ ରନରେ ମ୍ୟାଚ୍ ହାରି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.