ନୂଆଦିଲ୍ଲୀ: ଭାରତ ନିଜ ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ପାଳନ କରୁଛି । ସ୍ୱାଧୀନତା ପର ଠାରୁ ଦେଶ ଅନେକ ଦିଗରେ ଆଗକୁ ବଢିସାରିଛି । ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଦେଶରେ ବର୍ତ୍ତମାନ ସମୟରେ ୭୫,୦୦୦ ଷ୍ଟାର୍ଟଅପ ରହିଛି । ଡିପାର୍ଟମେଣ୍ଟ ଫର ପ୍ରୋମୋସନ ଅଫ ଇଣ୍ଡଷ୍ଟ୍ରୀ ଆଣ୍ଡ ଟ୍ରେଡ୍ (DPIIT) ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ ରେକର୍ଡ କରିଛି । ଏହି ସଂଖ୍ୟା ଏକ ମାଇଲ ଖୁଣ୍ଟ ସଦୃଶ୍ୟ।
୨୦୧୫ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ ସ୍ୱାଧୀନତା ଦିବସ ଭାଷଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଭାରତର କଳ୍ପନା କରିଥିଲେ, ଯାହା ଲୋକଙ୍କ ଉଦ୍ୟମଶୀଳତା କ୍ଷମତା (Entrepreneurial Potential) ଆଧାରରେ ଥିଲା । ୨୦୧୬ ଜାନୁଆରୀ ୧୬ରେ ଦେଶର ଏକ ଆକ୍ସନ ପ୍ଲାନର ମୂଳଦୁଆ ପକାଯାଇଥିଲା, ଏଥିରେ ଇନୋଭେସନ ଏବଂ ଷ୍ଟାର୍ଟଅପକୁ ବଳ ଦେବା ପାଇଁ ଏକ ମଜବୁତ ଇକୋସିଷ୍ଟମ କରାଯାଇଥିଲା । ଏହି କାରଣରୁ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟଅପ ଦିବସ ଭାବେ ପାଳନ କରାଯାଇଥାଏ ।
ଏହାର ଛଅ ବର୍ଷ ପରେ ଦେଶ ଆଜି ଷ୍ଟାର୍ଟଅପରେ ଦୁନିଆରେ ନିଜ ଶକ୍ତି ଦେଖାଉଛି । ଦୁନିଆର ତୃତୀୟ ସବୁଠୁ ବଡ଼ ଇକୋସିଷ୍ଟମ ହେବାରେ ସଫଳ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ୧୦ ହଜାର ଷ୍ଟାର୍ଟଅପକୁ ୮୦୮ ଦିନରେ ଚିହ୍ନଟ କରାଯାଇଥିଲା, କିନ୍ତୁ ଶେଷ ୧୦ ହଜାର ଷ୍ଟାର୍ଟଅପ ମାତ୍ର ୧୫୬ ଦିନରେ ଠିଆ ହୋଇଛି । ଦେଶରେ ପ୍ରତିଦିନ ୮୦ରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ଦିଆଯାଉଛି ।
ମୋଟ ମାନ୍ୟତା ହାସଲ କରିଥିବା ଷ୍ଟାର୍ଟଅପ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଆଟି ସର୍ଭିସେସ, ୯ ପ୍ରତିଶତ ହେଲ୍ଥ ଏବଂ ଲାଇଫ ସାଇନ୍ସ, ୭ ପ୍ରତିଶତ ଶିକ୍ଷା, ୫ ପ୍ରତିଶତ ବ୍ୟବସାୟିକ ଏବଂ ବାଣିଜ୍ୟିକ ସେବା ଏବଂ ୫ ପ୍ରତିଶତ କୃଷିରେ କାମ କରୁଛନ୍ତି । ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ବର୍ତ୍ତମାନ ସୁଦ୍ଧା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି, ଯାହା ଗତ ୬ ବର୍ଷ ତୁଳନାରେ ୧୧୦ ପ୍ରତିଶତ ବାର୍ଷିକ ବୃଦ୍ଧି ।
୨୦୨୧ ଏପ୍ରିଲ ୧ରେ ଭାରତ ସରକାରଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ ଇଣ୍ଡିଆ ସିଡ୍ ଫଣ୍ଡ ସ୍କିମ(SISFS) ଆରମ୍ଭ କରାଯାଇଥିଲା। ଏହା ଅଧିନରେ DPIIT ଦ୍ୱାରା ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ ପାଇଁ ଯୋଗ୍ୟ ବିଭାଗକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ।