ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ପନ୍ତ ଆଉଟ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଉଭୟ ସୀମିତ ଓଭର ସିରିଜ୍ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି। ଟି-୨୦ ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। କାରଣ ନିୟମିତ ଅଧିନାୟକ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି। ତେବେ ରୋହିତ ଶର୍ମା ଦିନିକିଆ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଉପ ଅଧିନାୟକ କେଏଲ ରାହୁଲ ଏବଂ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯାଇଛି। କିନ୍ତୁ ଦିନିକିଆ ଦଳରେ ତାଙ୍କ ନାମ ରହିଥିଲେ ହେଁ ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କରାଯାଇଛି। ୨୦୨୨ରେ ସୀମିତ ଓଭର କ୍ରିକେଟ୍‌ରେ ପନ୍ତଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଏଥିସହ ଭୁବନେଶ୍ଵର କୁମାରଙ୍କୁ ମଧ୍ୟ ଟି-୨୦ ସିରିଜ୍ ପାଇଁ ଦଳରେ ଚୟନ କରାଯାଇନାହିଁ।

ଟି-୨୦ ଦଳରେ ବିରାଟ କୋହଲିଙ୍କ ନାମ ନାହିଁ। ବୋଧହୁଏ ତାଙ୍କୁ ଟି-୨୦ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ଦିନିକିଆରେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ସ୍ଥାନ ମିଳିଥିବା ବେଳେ ଶିଖର ଧାଓ୍ଵନଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମହମ୍ମଦ ଶାମିଙ୍କ ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ରବୀନ୍ଦ୍ର ଜାଡେଜା, ଦୀପକ ଚହର ଏବଂ ଯଶପ୍ରୀତ ବୁମରାଙ୍କୁ ଆହତଜନିତ ସମସ୍ୟା କାରଣରୁ ଦଳରେ ସ୍ଥାନ ଦିଆଯାଇ ନାହିଁ।

ନୂତନ ଚେହେରା ସାମିଲ୍

ଭାରତୀୟ ଟି-୨୦ ଦଳରେ ଦୁଇ ନୂତନ ଚେହେରାଙ୍କୁ ସାମିଲ୍ କରାଯାଇଛି। ବିସିସିଆଇ ଚୟନ କମିଟି ଶିବମ ମାଭି ଏବଂ ମୁକେଶ କୁମାରଙ୍କୁ ଟି-୨୦ ଦଳରେ ସ୍ଥାନ ଦେଇଛନ୍ତି। ହେଲେ ଦିନିକିଆ ସିରିଜ୍‌ ପାଇଁ ସୁଯୋଗ ଦେଇ ନାହାନ୍ତି। ଟି-୨୦ ଦଳରେ ସଞ୍ଜୁ ସାମସନଙ୍କ ନାମ ଥିଲେ ମଧ୍ୟ ଦିନିକିଆ ଦଳରେ ସାମିଲ୍ କରାଯାଇ ନାହିଁ।

ଶ୍ରୀଲଙ୍କା ଟି-୨୦ ପାଇଁ ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ),  ଇଶାନ କିଷନ(ଓ୍ଵିକେଟ୍ କିପର), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ହର୍ଷଲ ପଟେଲ୍, ଉମରାନ ମଲିକ୍, ଶିବମ ମାଭି, ମୁକେଶ କୁମାର।

ଦିନିକିଆ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲିକ୍, ଅର୍ଶଦୀପ ସିଂ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.