ଦେଶରେ ରହିଛି ଏପରି ଏକ ଟ୍ରେନ୍, ୧୫୭ ବର୍ଷରୁ ଯୋଗାଇ ଆସୁଛି ସେବା, ୩ ଥର ବଦଳାଇ ସାରିଛି ନାଁ
3/10/2023 at 3:21 PM

ନୂଆଦିଲ୍ଲୀ ୦୩।୧୦: ଭାରତୀୟ ରେଳବାଇ, ସମଗ୍ର ବିଶ୍ୱରେ ବେଶ୍ ପରିଚିତ । ପ୍ରତିଦିନ ଏଥିରେ ପ୍ରାୟ ୪ କୋଟି ଲୋକ ଯାତ୍ରା କରିଥାନ୍ତି । କିନ୍ତୁ ଭାରତୀୟ ରେଳବାଇରେ ଏପରି ଏକ ପୁରାତନ ଟ୍ରେନ୍ ରହିଛି ଯିଏକି ପ୍ରାୟ ୧୫୭ ବର୍ଷ ଧରି ସେବା ଯୋଗାଇ ଆସୁଛି । ଏହି ଟ୍ରେନ୍ର ନାଁ ୩ଥର ମଧ୍ୟ ବଦଳି ସାରିଛି । ଯାହା ଏକ ଇତିହାସ । ଟ୍ରେନ୍ର ନାଁ ହେଉଛି କାଲକା ମେଲ୍ । ଏହି ଟ୍ରେନ୍ର ଆରମ୍ଭ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୮୬୬ ମସିହା ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଟ୍ରେନ୍ ସେବା ଯୋଗାଇବାକୁ ହୋଇସାରିଛି ୧୫୭ ବର୍ଷ ପୂରଣ ।

ଏହି ଟ୍ରେନ୍, ସେବା ଆରମ୍ଭ କରିବା ପଛରେ ଏକ ବିଶେଷ କାରଣ ରହିଥିଲା । ସେତେବେଳେ ବ୍ରିଟିଶ ସରକାର କୋଲକାତାକୁ ରାଜଧାନୀ କରିଥିଲେ । କିନ୍ତୁ ସେଠାକାର ତାପମାତ୍ରା ବ୍ରିଟିସ୍ଙ୍କ ପାଇଁ ହୋଇଥିଲା ଅଡୁଆ । ଏଥିପାଇଁ ବ୍ରିଟିଶମାନେ ଶିମଲାକୁ ଗ୍ରୀଷ୍ମ ରାଜଧାନୀ କରିଥିଲେ । ଆଉ କୋଲକାତାରୁ ଶିମଲା ଯିବା ପାଇଁ କାଲକା ମେଲ ନାମକ ଏକ ଟ୍ରେନ୍ ଆରମ୍ଭ କରିଥିଲେ ବିଟ୍ରିଶ ସରକାର । ଶିମଲା ଯାଉଥିବା ମାର୍ଗର ପ୍ରାରମ୍ଭିକ ରେଳ ଷ୍ଟେସନ୍ ରହିଥିଲା କାଲକା ।

ଏଥିରେ ବ୍ରିଟିଶ ଭାଇସରାୟ ସମେତ ବହୁ ବ୍ରିଟିଶ୍ ଅଧିକାରୀ ଗ୍ରୀଷ୍ମ ଋତୁରେ ଶିମଲା ସ୍ଥାନାନ୍ତର ହେଉଥିଲେ ଏବଂ ଶୀତ ଆରମ୍ଭ ହେବା ମାତ୍ରେ ଭାଇସରାୟ ଏହି ଟ୍ରେନ୍ ମାଧ୍ୟମରେ କୋଲକାତା ଫେରି ଆସୁଥିଲେ । ତେବେ କାଲକା ମେଲ୍ ୨ ରୁଟ୍ରେ ଆରମ୍ଭ ହୋଇଥିଲା । ଆରମ୍ଭରୁ ଏହା ହାୱଡ଼ା-ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିଲା। ଏହାପରେ ୧୮୯୧ ମସିହାରେ ଦିଲ୍ଲୀ ଠାରୁ କାଲକା ପର୍ଯ୍ୟନ୍ତ ଚାଲିଥିଲା । ସବୁଠାରୁ ବଡ କଥା ହେଉଛି ଏଥିରେ ଭାରତୀୟଙ୍କୁ ମିଳୁନଥିଲା ଏଣ୍ଟ୍ରି । ଏଥିରେ ବ୍ରିଟିଶ୍ ମାନେ କୋଲକାତାରୁ ଶିମଲା ପର୍ଯ୍ୟନ୍ତ ଜିନିଷ ପରିବହନ କରୁଥିଲେ ।

ଏହି ଟ୍ରେନ୍ ପ୍ରଥମେ ପୂର୍ବ ଭାରତୀୟ ରେଳ ମେଲ ନାଁରେ ଏହାର ଯାତ୍ରା ଆରମ୍ଭ କରିଥିଲା। ଏହା ପଶ୍ଚିମବଙ୍ଗ ହାୱାଡ଼ା ଠାରୁ ହରିୟାଣା ପଞ୍ଚକୁଲା ଜିଲ୍ଲାର କାଲକା ମଧ୍ୟରେ ଯାତ୍ରା କରିଥାଏ । ଏଥିପାଇଁ ଏହାର ନାଁ ହୋଇଥିଲା କଲକା ମେଲ ଟ୍ରେନ । ଏହି ଟ୍ରେନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଗଭୀର ଭାବରେ ଯୋଡ଼ି ହୋଇ ରହିଛି।

କୁହାଯାଏ ଯେ ୧୯୪୧ ମସିହା ଫେବୃଆରୀ ୧୮ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବ୍ରିଟିଶ ସରକାରଙ୍କ ଆଖିରେ ଧୂଳି ଦେଇ କାଲକା ମେଲ ମାଧ୍ୟମରେ କୋଲକାତା ଠାରୁ ଅଦୃଶ୍ୟ ହୋଇଯାଇଥିଲେ। ଏଥିପାଇଁ ରେଳ ମନ୍ତ୍ରଣାଳୟ ୨୦୨୧ ଜାନୁଆରୀରେ ଏହି ଟ୍ରେନ୍ର ନାଁ ପରିବର୍ତ୍ତନ କରି ରଖିଛନ୍ତି ନେତାଜୀ ଏକ୍ସପ୍ରେସ ।
You Can Read: