ଭାରତରେ ଦୈନିକ ୨.୪ କୋଟି ହାଜମୋଲା ଗୋଲି ଖାଉଛନ୍ତି ଲୋକେ, ଏବେ ହେବ ‘ପାୱାର’ ବ୍ରାଣ୍ଡ
17/09/2023 at 7:49 PM

ମୁମ୍ବାଇ ୧୭।୯: ଡାବରଙ୍କ ଏକ ଉତ୍ପାଦ ହେଉଛି ହାଜମୋଲା। ୧୦୦ ବର୍ଷର କମ୍ପାନୀ ଡାବରଙ୍କ ଏହି ଉତ୍ପାଦ ଦେଶର ସବୁ ଛୋଟବଡ଼ ଦୋକାନରେ ସହଜରେ ମିଳିଯାଏ। ତେବେ ହାଜମୋଲା କେତେ ଶକ୍ତିଶାଳୀ ତାହା ହୁଏତ ଆପଣ ଜାଣି ନଥିବେ। ଭାରତର ପୁରୁଣା ତଥା ଦିଗ୍ଗଜ କମ୍ପାନୀ ଡାବର ହାଜମୋଲା ବ୍ରାଣ୍ଡ ଆଜି ପରିଚୟ ଲୋଡେ ନାହିଁ। ଏବେ କମ୍ପାନୀ ତାଙ୍କର ଏହି ବ୍ରାଣ୍ଡକୁ ‘ପାୱାର’ ବ୍ରାଣ୍ଡ କରିବାକୁ ଯୋଜନା କରୁଛନ୍ତି। ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଦୈନିକ ୨.୪ କୋଟି ହାଜମୋଲା ଗୋଲି ଲୋକେ ଖାଉଛନ୍ତି।

ଏହାର ଅର୍ଥ ହେଉଛି ଭାରତରେ ଦିନକୁ ୨ କୋଟିରୁ ଅଧିକ ଲୋକେ ହାଜମୋଲା ଖାଉଛନ୍ତି। ଏଥିରେ ମାର୍କେଟ ସେୟାରର କଥା କହିଲେ ଏହି ସେଗମେଣ୍ଟରେ ହାଜମୋଲା ଏକାକୀ ୫୦ ପ୍ରତିଶତରୁ ଅଧିକ ଅଂଶୀଦାର ଅଛି। ଡାବର ଇଣ୍ଡିଆ ସିଇଓ ମୋହିତ ମଲହୋତ୍ରାଙ୍କ ଅନୁସାରେ ଡାବର ଏବେ ହାଜମୋଲାକୁ ପାୱାର ବ୍ରାଣ୍ଡ କରିବାକୁ ଉଦ୍ୟମ କରୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଏହ ବ୍ରାଣ୍ଡର ପହଞ୍ଚ ପ୍ରତି ଘରେ ରହିଛି। ବର୍ତ୍ତମାନ ଡାବରଙ୍କ ଏଫେମସିଜି ବ୍ରାଣ୍ଡରେ ୯ଟି ଅଲଗା ଅଲଗା ପାୱାର ବ୍ରାଣ୍ଡ ରହିଛି। ଏଥିରୁ ୮ଟି ଭାରତରେ ଓ ଗୋଟିଏ ବିଦେଶୀ ବଜାରରେ ରାଜ କରୁଛି।

ଡାବରର ମୋଟ ଏଫଏମସିଜି ବ୍ରାଣ୍ଡ କଥା କହିଲେ କମ୍ପାନୀର ମୋଟ ବିକ୍ରିରେ ୭୦ ପ୍ରତିଶତ ଭାଗିଦାରୀ ଏହି ସବୁ ବ୍ରାଣ୍ଡର ରହୁଛି। କମ୍ପାନୀ ଅନୁସାରେ ତା ନିକଟରେ ୧୭ଟି ବ୍ରାଣ୍ଡ ରହିଛି। ଯାହା ୧୦୦ରୁ ୫୦୦ କୋଟି ରେଞ୍ଜରେ ଅଛନ୍ତି। ଆଗାମୀ ଭବିଷ୍ୟତରେ ଏହି ସବୁ ବ୍ରାଣ୍ଡ ସଫଳ ହେବେ। ଏଣୁ କମ୍ପାନୀ ଏବେ ଏହି ସବୁ ବ୍ରାଣ୍ଡର ବିସ୍ତାର ନିମନ୍ତେ କାମ କରୁଛି। କମ୍ପାନୀ ଏବେ ଏପରି ବ୍ରାଣ୍ଡର ବିସ୍ତାର ନିମନ୍ତେ ଯୋଜନା କରୁଛି ଯେଉଁ ବ୍ରାଣ୍ଡ ଗୁଡିକର ପୂର୍ବରୁ ମାର୍କେଟରେ ମଜଭୁତ ପହଞ୍ଚ ରହିଛି।