ଇତିହାସ ରଚିବେ ଋଷି ସୁନକ ? ଅନ୍ତିମ ରାଉଣ୍ଡରେ ବି ସବୁଠୁ ଆଗରେ, ଫାଇନାଲରେ ଟ୍ରସଙ୍କ ସହ ମୁକାବିଲା

Published By : Prameya-News7 Bureau | July 20, 2022 IST

ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଜାରି ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏବେ ନିର୍ଣ୍ଣାୟକ ଲଢେଇ ପୂର୍ବତନ ବ୍ରିଟିଶ ଅର୍ଥ ମନ୍ତ୍ରୀ ଋଷି ସୁନକ ଏବଂ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କ ମଧ୍ୟରେ ହେବ। ଏହି ଦୌଡରେ ସାମିଲ୍ ପେନି ମୋର୍ଡେଣ୍ଟ ବୁଧବାର ବାଦ୍ ପଡିଛନ୍ତି। ଫାଇନାଲ ରାଉଣ୍ଡରେ ୧୩୭ ଭୋଟ୍ ସହିତ ଋଷି ସୁନକ ଦୌଡରେ ସର୍ବାଗ୍ରେ ରହିଥିବା ବେଳେ ଲିସ୍ ଟ୍ରସ ୧୧୩ ଭୋଟ୍ ସହିତ କଡା ଟକ୍କର ଦେଇ ଦ୍ଵିତୀୟରେ ରହିଛନ୍ତି। ପେନି ମୋର୍ଡେଣ୍ଟ ୧୦୫ ଭୋଟ୍ ସହ ଦୌଡରୁ ବାଦ୍ ପଡିଛନ୍ତି।

ଏହା ପୂର୍ବରୁ କଞ୍ଜରଭେଟିଭ୍ ନେତାଙ୍କ ମଧ୍ୟରେ ଜାରି ଭୋଟିଂର ଚତୁର୍ଥ ରାଉଣ୍ଡରେ ମଧ୍ୟ ସୁନକ ଶୀର୍ଷରେ ରହିଥିଲେ। ତାଙ୍କୁ ସର୍ବାଧିକ ୧୧୮ ଭୋଟ୍ ମିଳିଥିଲା। ଏପରିକି ଗତ ତିନି ରାଉଣ୍ଡରେ ମଧ୍ୟ ସୁନକ ସମସ୍ତ ପ୍ରତିଦ୍ଵନ୍ଦ୍ଵୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରତିଟି ରାଉଣ୍ଡ ମତଦାନ ସହିତ ସୁନକଙ୍କ ପକ୍ଷରେ ଭୋଟ୍ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ତେବେ ଭାରତୀୟ ବଂଶୋଦ୍ଭ ଭାବେ ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ।

କଞ୍ଜରଭେଟିଭ୍ ପାର୍ଟିରେ ଜାରି ନିର୍ବାଚନର ଫଳାଫଳ ସେପ୍ଟେମ୍ବର ୫ରେ ଘୋଷଣା କରାଯିବ। ଏଥିସହ ବିଜୟୀ ପ୍ରାର୍ଥୀ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବେ। କରୋନା ମହାମାରୀ ସମୟରେ ବ୍ରିଟେନର ଅର୍ଥନୀତିକୁ ସମ୍ଭାଳିବାର ଶ୍ରେୟ ଋଷି ସୁନକଙ୍କୁ ଦିଆଯାଏ। ସେ ଶ୍ରମିକଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.