ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କ୍‌ ଅଧ୍ୟକ୍ଷ, ଜୁନ୍‌ ୨ରୁ ସମ୍ଭାଳିବେ ପଦ

Published By : Prameya-News7 Bureau | May 03, 2023 IST

ନୂଆଦିଲ୍ଲୀ, ୦୩/୦୫: ବିଶ୍ବ ବ୍ୟାଙ୍କର ଅଧ୍ୟକ୍ଷ ହେବେ ମାଷ୍ଟରକାର୍ଡର ପୂର୍ବତନ ସିଇଓ ଏବଂ ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା। ବୁଧବାର ବିଶ୍ବ ବ୍ୟାଙ୍କର ୨୫ ଜଣିଆ କାର୍ଯ୍ୟନିର୍ବାହୀ ବୋର୍ଡ ଅଜୟ ବାଙ୍ଗାଙ୍କ ନାମରେ ମୋହର ମାରିଛନ୍ତି। ଜୁନ୍‌ ୨ ତାରିଖ ଠାରୁ ସେ ଏହି ପଦ ସମ୍ଭାଳିବେ। ବାଙ୍ଗା ବିଶ୍ବ ବ୍ୟାଙ୍କର ବର୍ତ୍ତମାନର ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ଙ୍କ ସ୍ଥାନ ନେବେ।

ଗତ ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପଦ ପାଇଁ ଅଜୟ ବାଙ୍ଗାଙ୍କୁ ମନୋନୀତ କରିଥିଲେ । ବାଇଡେନ କହିଥିଲେ ଯେ ଇତିହାସର ସବୁଠୁ ଜଟିଳ ସମୟରେ ଏହି ବିଶ୍ୱ ସଂସ୍ଥାର ନେତୃତ୍ୱ ନେବା ପାଇଁ ବାଙ୍ଗା ହେଉଛନ୍ତି ସବୁଠୁ ଯୋଗ୍ୟ ବ୍ୟକ୍ତି । ଜଳବାୟୁ ପରିବର୍ତ୍ତନ ପରି ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରଶଂସା କରିଥିଲେ।

କିଏ ଅଜୟ ବାଙ୍ଗା ?

୧୯୫୯ ନଭେମ୍ବର ୧୦ରେ ପୁଣେରେ ଜନ୍ମ ଗ୍ରହଣ କରିଥିବା ଅଜୟ ବାଙ୍ଗା ବର୍ତ୍ତମାନ ଜେନେରାଲ ଅଟଲାଣ୍ଟିକର ଉପାଧ୍ୟକ୍ଷ ଅଛନ୍ତି । ସେ ମାଷ୍ଟରକାର୍ଡର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। କାର୍ଯ୍ୟକାଳ ସମୟରେ ତାଙ୍କର ଦୈନିକ ଦରମା ଥିଲା ୫୨,୬୦,୦୦୦ ଟଙ୍କା । ଗତ ବର୍ଷ ଅଜୟ ବାଙ୍ଗା ମାଷ୍ଟରକାର୍ଡ ସିଇଓ ପଦରୁ ଅବସର ନେଇଥିଲେ । ମାଷ୍ଟରକାର୍ଡ ପୂର୍ବରୁ ଅଜୟ ବାଙ୍ଗା ସିଟି ଗ୍ରୁପ ଏବଂ ନେସଲେ ଇଣ୍ଡିଆ ସହ ଜଡିତ ରହିଥିଲେ ।

ଫାଇନାନସିଆଲ୍ କ୍ଷେତ୍ରରେ ଅଜୟ ବାଙ୍ଗାଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି । ଆମେରିକାନ ରେଡ୍ କ୍ରସ ବୋର୍ଡର ସେ ସଦସ୍ୟ ଅଛନ୍ତି । ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ସେ ଅର୍ଥନୀତିରେ ପାଠ ପଢିଥିଲେ । ସିଏନବିସିର ରିପୋର୍ଟ ଅନୁସାରେ ୨୦୨୧ରେ ଅଜୟ ବାଙ୍ଗାଙ୍କ ପାଖରେ ମୋଟ ୨୦୬ ମିଲିୟନ ଡଲାର ସମ୍ପତ୍ତି ରହିଥିଲା । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୭୦୦ କୋଟି ଟଙ୍କା ହେବ ।

ଅଜୟ ବାଙ୍ଗାଙ୍କ ପରିବାର ପଞ୍ଜାବର ଜଲନ୍ଧରର ମୂଳ ବାସିନ୍ଦା । ତାଙ୍କ ବାପା ହରଭଜନ ବଙ୍ଗା ଭାରତୀୟ ସେନାରେ ଲେଫ୍ଟେନାଣ୍ଟ ଭାବେ ସେବା ପ୍ରଦାନ କରି ଅବସର ନେଇଥିଲେ । ଆଇଆଇଏମ ଅହମଦାବାଦରୁ ସେ ନିଜର ଏମଏଲଏ ପଢା ଶେଷ କରିଥିଲେ । ୧୯୮୧ ମସିହାରେ ନେସଲେରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୩ ବର୍ଷ ଧରି ସେ କମ୍ପାନି ସହ ଜଡିତ ଥିଲେ । ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.