ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରଖିବା ପାଇଁ ଦେଶରେ ବଢି ଚାଲିଛି ପେଟ୍ରୋଲିୟମ କମ୍ପାନୀଙ୍କ କ୍ଷତି, ଜାଣନ୍ତୁ ହେଲାଣି କେତେ ?

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ ୭।୮: ଦେଶରେ ଗତ କିଛି ସମୟ ହେଲା ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ କ୍ଷତି ବଢ଼ିବଢ଼ି ଚାଲିଛି। ଜାରି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଯୋଗୁ ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀଙ୍କୁ ୧୮,୪୮୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ସାର୍ବଜନିକ କ୍ଷେତ୍ରର ୩ ତୈଳ କମ୍ପାନୀ ସେୟାର ବଜାରକୁ ଦେଇଥିବା ତଥ୍ୟରେ ଏହି ସୂଚନା ଦେଇଛନ୍ତି।

ଦେଶରେ ଏପ୍ରିଲ-ଜୁନ ତ୍ରୈମାସିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇ ନାହିଁ। ଏଣୁ କମ୍ପାନୀମାନଙ୍କ କ୍ଷତି ବହୁଗୁଣିତ ହୋଇଛି। ସେମାନଙ୍କ ବିପଣନ ମାର୍ଜିନ ହ୍ରାସ ଯୋଗୁ ଏପରି କ୍ଷତି ଦେଖିବାକୁ ପଡିଥିବା କମ୍ପାନୀମାନେ ଉଲ୍ଲେଖ କରିଛନ୍ତି। କେବଳ ପେଟ୍ରୋଲ କି ଡିଜେଲ ନୁହେଁ ଘରୋଇ ଏଲପିଜି ବିପଣନ ଗତ ତ୍ରୈମାସିକରେ ରିଫାଇନ ମାର୍ଜିନ ଉଠାଇ ନପାରିବା ତୈଳ କମ୍ପାନୀଙ୍କ ଲାଗି ଚିନ୍ତାଜନକ ହୋଇଛି।

{"id":667508,"width":843,"height":648,"sizeSlug":"full","linkDestination":"none"}

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(ଆଇଓସିଏଲ), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲମିଟେଡ (ଏଚପିସିଏଲ) ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଙ୍କୁ ସେମାନଙ୍କ ଖର୍ଚ୍ଚ ଅନୁସାରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପରିବର୍ତ୍ତନ ଅଧିକାର ମିଳିଛି। ତେବେ ବର୍ଦ୍ଧିତ ଖୁଚୁରା ମୁଦ୍ରାସ୍ପିତି ଚାପରେ ଗତ ୪ ମାସ ହେଲା ଦେଶରେ ପେଟ୍ରୋଲିୟମର ଦର ବୃଦ୍ଧି କି ହ୍ରାସ ହୋଇ ନାହିଁ।

ତେବେ ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହି କମ୍ପାନୀମାନଙ୍କ ନିବେଶ ବୃଦ୍ଧି କରିଥିଲା। କମ୍ପାନୀମାନେ ସେମାନଙ୍କ ନିବେଶ ଅନୁଯାୟୀ ରୋଷେଇ ଗ୍ୟାସ୍‌ ଦର ମଧ୍ୟ ପରିବର୍ତ୍ତନ କରି ନାହାନ୍ତି। ଏଣୁ ଗତ ଜୁଲାଇ ୨୦ ତାରିଖରେ ଆଇଓସିଏଲ ଏପ୍ରିଲ ଜୁନ ତ୍ରୈମାସିକରେ ୧,୯୯୫.୩ କୋଟି ଟଙ୍କା କ୍ଷତି ହୋଇଥିବାର ଘୋଷଣା କରିଥିଲେ। ଗତ ଶନିବାର ଏଚପିସିଏଲ ମଧ୍ୟ ତ୍ରୈମାସିକ ଫଳାଫଳ ଜାରି କରିଛନ୍ତି। ଏଥିରେ କମ୍ପାନୀ ୧୦,୧୯୬.୯୪ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚିତ କରିଛନ୍ତି।

ସେହିପରି ବିପିସିଏଲ ମଧ୍ୟ ୬,୨୯୦.୮ କୋଟି ଟଙ୍କାର କ୍ଷତିର ସୂଚନା ଦେଇଛି। ଏହି ତିନ ସାର୍ବଜନିକ ପେଟ୍ରୋଲିୟମ କମ୍ପାନୀଙ୍କୁ ଗୋଟିଏ ତ୍ରୈମାସିକରେ ମୋଟ ୧୮,୪୮୦.୨୭ କୋଟି ଟଙ୍କା କ୍ଷତି କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ତ୍ରୈମାସିକ କ୍ଷତିତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଇଛି। ପ୍ରଥମ ତ୍ରୈମାସିକରେ ତୈଳ କମ୍ପାନୀମାନେ ବାରଲ ପିଛା ୧୦୯ ଡଲାରରେ ତୈଳ ଆମଦାନୀ କରିଥିଲେ। ଏହି ସମୟରେ ପ୍ରତି ବାରଲ ଅଶୋଧିତ ତୈଳ ଲାଗି କମ୍ପାନୀମାନଙ୍କୁ ବାରଲପିଛା ୨୩ରୁ ୨୪ ଡଲାର କ୍ଷତି ସହିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.