କରୋନା ପ୍ରଭାବ: ବିଶାଳ ନୌସୈନିକ ଅଭ୍ୟାସ ‘ମିଲନ ୨୦୨୦’କୁ ଘୁଞ୍ଚାଇଲା ନୌସେନା
3/03/2020 at 9:31 PM

ନୂଆଦିଲ୍ଲୀ ୦୩।୦୩- କରୋନା ଭୁତାଣୁର କ୍ରମାଗତ ବଢୁଥିବା ମାମଲା ପରେ ଦେଶରେ ସବୁ ସ୍ତରରେ ସତର୍କତା ଅବଲମ୍ବନ କରାଯାଉଛି। ସମଗ୍ର ଦେଶରେ କରୋନାରେ ପ୍ରାୟ ୮ ମାମଲା ସାମ୍ନାକୁ ଆସି ସାରିଛି। ଏବେ ଭାରତୀୟ ନୌସେନା ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ସାବଧାନତା ଆପଣେଇ ମଙ୍ଗଳବାର ନିଜର ବହୁ ଦେଶୀୟ ନୌସୈନିକ ଅଭ୍ୟାସ ‘ ମିଲନ ୨୦୨୦’ ଘୁଞ୍ଚାଇ ଦେଇଛି।
ମାର୍ଚ୍ଚ ୧୮ ରୁ ୨୮ ମଧ୍ୟରେ ହେବାର ଥିଲା ନୌସେନା ଅଭ୍ୟାସ
ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନୌସେନା ଏହି ପଦକ୍ଷେପ ଉଠାଇଛି। ବିଶାଖାପାଟଣା ତଟରେ ହେବାକୁ ଥିବା ଏହି ବହୁ ରାଷ୍ଟ୍ରୀୟ ମେଗା ନୌସେନା ଅଭ୍ୟାସକୁ ସଂପ୍ରତି ଘୁଞ୍ଚାଇ ଦିଆଯାଇଛି। ମିଲନ ନୌସେନା ଅଭ୍ୟାସ ମାର୍ଚ୍ଚ ୧୮ ରୁ ୨୮ ମଧ୍ୟରେ ହେବାର ଥିଲା। ଏହି ନୌସେନା ଅଭ୍ୟାସରେ ୪୦ଟି ଦେଶ ଯୋଗ ଦେବାର ଆଶା କରାଯାଉଥିଲା। ଅଧିକାରୀ କହିଛନ୍ତି ଯେ, ସମସ୍ତ ଅଂଶଗ୍ରହଣକାରୀ ଦେଶ କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି ନୌସେନା ଅଭ୍ୟାସକୁ ସ୍ଥଗିତ ରଖାଯାଇଛି।

ଅଧିକାରୀ କହିଛନ୍ତି, ମିଲନ ୨୦୨୦କୁ ବହୁତ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା। ସମଗ୍ର ଦୁନିଆର ନୌସେନା ଏହି ଅଭ୍ୟାସରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଛନ୍ତି ଭାରତୀୟ ନୌସେନା ଆଗାମୀ ସମୟରେ ଏହି ଅଭ୍ୟାସର ଆୟୋଜନ କରିବ। ଭାରତୀୟ ନୌସେନା ହୃଦୟରୁ ସେହି ସମସ୍ତ ନୌସେନାକୁ ଧନ୍ୟବାଦ ଦେଉଛି, ଯେଉଁମାନେ ମିଲନ ୨୦୨୦ରେ ସାମିଲ ହେବାର ନିମନ୍ତ୍ରଣକୁ ସ୍ଵୀକାର କରିଥିଲେ।