ସ୍ଵଦେଶ ଫେରିବେ ଭାରତୀୟ, ନୌସେନା ଆରମ୍ଭ କଲା ଅପରେସନ ‘ସମୁଦ୍ର ସେତୁ’
5/05/2020 at 9:50 PM

ନୂଆଦିଲ୍ଲୀ ୦୫।୦୫: କରୋନା ଭାଇରସ୍ କାରଣରୁ ଜାରି ଲକ୍ଡାଉନ୍ରେ ଅନେକ ଦେଶରେ ହଜାର ହଜାର ଭାରତୀୟ ଫସି ରହିଛନ୍ତି। ଭାରତୀୟଙ୍କୁ ବିଦେଶରୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନା ସମୁଦ୍ର ସେତୁ ଅଭିଯାନ ଆରମ୍ଭ କରିଛି। ଭାରତୀୟ ନୌସେନାର ଜାହାଜ ଜଲଶ୍ଵା ଓ ମାଗର ମାଳଦ୍ଵୀପ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ମେ ୮ରୁ ଭାରତୀୟଙ୍କୁ ମାଳଦ୍ଵୀପରୁ ସ୍ଵଦେଶ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇ ଯିବ।
କରୋନା ଭାଇରସ୍ ମହାମାରୀରୁ ଉତ୍ପନ ସ୍ଥିତି ଯୋଗୁଁ ବିଦେଶରେ ଭାରତୀୟଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଭାରତ ସରକାର ନଜର ରଖିଛନ୍ତି। ଭାରତୀୟ ନୌସେନାକୁ ସମୁଦ୍ର ମାର୍ଗରେ ପରିବହନ କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂପ୍ରତି ନୌସେନା ଜାହାଜରେ ସ୍ଵଦେଶ ଫେରିବାକୁ ଥିବା ଭାରତୀୟ ନାଗରିକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ସମସ୍ତ ନାଗରିକଙ୍କ ସ୍କ୍ରିନିଂ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୧୦୦୦ ଜଣଙ୍କ ସ୍ଵଦେଶ ଅଣାଯିବ। ସେମାନଙ୍କ ଲାଗି ଜାହାଜରେ ମେଡିକାଲ ସୁବିଧା ଉପଲବ୍ଧ କରାଯାଇଛି। ସେମାନଙ୍କୁ ଆଣିବା ସମୟରେ ସାମାଜିକ ଦୂରତାର ସଂପୂର୍ଣ୍ଣ ଧ୍ୟାନ ରଖାଯିବ। ଏନେଇ ଜାହାଜର କର୍ମଚାରୀଙ୍କୁ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ କୋଚି ଓ କେରଳରେ ଓହ୍ଲାଯିବ। ସେଠାରେ ସେମାନଙ୍କୁ ରାଜ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।
ଏହି ଅଭିଯାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ତଥା ଭାରତ ସରକାର ଓ ରାଜ୍ୟ ସରକାର ଅନ୍ୟ ଏଜେନ୍ସି ସହିତ ଉତ୍ତମ ସମନ୍ଵୟ ଏହି ଅଭିଯାନ ଚଳାଇଛନ୍ତି।