ବାଟଲା ହାଉସ୍ ଏନ୍କାଉଣ୍ଟର ମାମଲାରେ ଅପରାଧି ଶେହଜାଦ ଅହମଦର ମୃତ୍ୟୁ; ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲା
28/01/2023 at 8:28 PM

ନୂଆଦିଲ୍ଲୀ: ୨୦୦୮ ବାଟଲା ହାଉସ ଏନ୍କାଉଣ୍ଟର ମାମଲାର ଆଜୀବନ ଜେଲ୍ ସଜା ଭୋଗୁଥିବା ଆତଙ୍କବାଦୀ ଶେହଜାଦ ଅହମଦର ମୃତ୍ୟୁ। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଅହମଦର ମୃତ୍ୟୁ ହୋଇଛି। ଶେହଜାଦ ଗତ କିଛିଦିନ ହେଲା ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ତାକୁ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା। ଶନିବାର ସେଠାରେ ତାର ମୃତ୍ୟୁ ଘଟିଥିବା ଦିଲ୍ଲୀ ପୁଲିସ ସୂତ୍ରରୁ ସୂଚନା ମିଳିଛି।
ବାଟଲା ହାଉସ ଏନ୍କାଉଣ୍ଟର ଘଟଣାରେ ପୁଲିସ ଅଫିସର ମୋହନ ଚାନ୍ଦ ଶର୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପୁଲିସ ଆହତ ହୋଇଥିଲେ। ଏହି ଅଭିଯୋଗରେ ଅହମଦ ଆଜୀବନ ସଜା କାଟୁଥିଲା। ତେବେ ରୋଗରେ ପଡ଼ିବା ପରେ ତାକୁ ପ୍ରଥମେ ଡିସେମ୍ବର ୨୦୨୨ରେ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଲ୍ ବ୍ଲାଡରରେ ପଥର ଯୋଗୁ ତାର ଅଗ୍ନାଶୟରେ ସମସ୍ୟା ଦେଖାଦେଇଥିଲା। ଏହାପରେ ତାକୁ ଜାନୁଆରୀ ୧୧ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଅହମଦ ସଜାରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆଜୀବନ ସଜାକୁ ଚ୍ୟାଲେଞ୍ଜ କରିଥିଲା। ହେଲେ ଏହା ନିଷ୍ଫଳ ହୋଇଥିଲା। ଏକାଧିକ ଅପରାଧରେ ସାମିଲ ଥିବା ଅହମଦ ୧୩ ସେପ୍ଟମ୍ବର ୨୦୦୮ ସିରିଲଏଲ୍ ବ୍ଲାଷ୍ଟ ଘଟଣାରେ ସାମିଲ୍ ଥିଲା। ଏଥିରେ ୧୧୩ ଆହତ ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ବାଟଲା ହାଉସ୍
୨୦୦୮ ସିରିଏଲ୍ ବ୍ଲାଷ୍ଟ ପରେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରିବାକୁ ଦିଲ୍ଲୀ ପୁଲିସ ସେପ୍ଟେମ୍ବର ୧୯ ତାରିଖରେ ଏଲ୍-୧୯, ବାଟଲା ହାଉସରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ବିଲ୍ଡିଂ ଅକ୍ତିଆର କରିଥିବା ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟରେ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କର ମୃତ୍ୟୁ ହୋଇଥିଲା।
ଫ୍ଲାଟ୍ରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅତିଫ ଆମୀନ ଏବଂ ମହମ୍ମଦ ସାଜିଦ୍ର ଏନ୍କାଉଣ୍ଟରେ ମୃତ୍ୟୁ ହୋଇଥିଲା। ଶହେଜାଦ ଅହମଦକୁ ୨୦୧୦ ଫେବ୍ରୁଆରୀରେ ଲକ୍ଷ୍ନୌରୁ ଗିରଫ କରାଯାଇଥିଲା। ଏହାପରେ ୨୦୧୩ ଜୁଲାଇରେ ଦିଲ୍ଲୀ କୋର୍ଟ ଅହମଦକୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠାରୁ ଅହମଦ ତିହାର ଜେଲ୍ରେ ସଜା କାଟୁଥିଲା।