ନୂଆଦିଲ୍ଲୀ: ଚୀନ ଭାରତ ସହିତ ଶୀତଳ ଯୁଦ୍ଧ ଲଢ଼ୁଛି। ହାତରେ ନ ମାରି ଭାତରେ ମାରିବାକୁ ମସୁଧା ଚଳାଇଛି। ସ୍ଥିତି ଏମିତି ହେଲାଣି, ଲାଗୁଛି ଯେମିତି ଚୀନ ଗୋଟିଏ ବି ଗୁଳି ନ ଫୁଟାଇ ଭାରତ ସହିତ ଯୁଦ୍ଧ ଜିତିଯିବ। ଆପଣ ପଚାରିବେ କେମିତି?... ଡ୍ରଗ୍ସ ନିଶାରେ ଥରେ ପଡ଼ିଗଲେ ଯେମିତି ଜଣେ ମଣିଷ ନିଜକୁ ବର୍ବାଦ ନକଲା ପର୍ଯ୍ୟନ୍ତ ମୁକୁଳିପାରେନି, ଠିକ୍ ସେମିତି ଚୀନ ଭାରତୀୟଙ୍କୁ ଶସ୍ତା ଜିନିଷ ନିଶାରେ ବୁଡ଼େଇ ରଖୁଛି। ଅର୍ଥାତ୍ ସମସ୍ତ ସାମଗ୍ରୀ ଏତେ କମ ଦାମରେ ଦେଉଛି ଯେ ଭାରତୀୟମାନେ ଚୀନ ସାମଗ୍ରୀ କିଣିବାକୁ ଭିଡ଼ ଲଗାଉଛନ୍ତି, ଆଉ ସ୍ୱଦେଶୀ ସାମଗ୍ରୀ ସେମିତି ପଡ଼ି ରହୁଛି। ଚୀନ ସହ ପ୍ରତିଯୋଗୀତା କରି ନପାରି ଭାରତୀୟ କମ୍ପାନୀମାନେ ଧୀରେ ଧୀରେ ବାଜରରୁ ଗାଏବ ହୋଇଗଲେଣି। ଏବେଠାରୁ ଚୀନ ଉପରେ ନିର୍ଭରଶୀଳତା କମ ନକଲେ ଆଗକୁ ସ୍ଥିତି ଭୟଙ୍କର ହେବ।
ଚୀନ ପ୍ରଡକ୍ସ ବନ୍ୟାରେ ଥଳକୂଳ ପାଉନି ଭାରତ। ଡ୍ରାଗନକୁ ମାତ୍ ଦେବାକୁ ଯେତେ ଚେଷ୍ଟା କରାଯାଉଛି ଚୀନ ସେତେ ପ୍ରଡକ୍ଟସ୍ ବନ୍ୟା କରୁଛି। ଫଳରେ ଭାରତୀୟ ଉଦ୍ୟୋଗ ଚୀନର ଶସ୍ତା ସାମଗ୍ରୀର ମୁକାବିଲା କରିପାରୁ ନାହାନ୍ତି। ଏଭଳି ସଂଘାତିକ ତଥ୍ୟ ଦେଇଛି ବ୍ୟବସାୟ ସମ୍ପର୍କିତ ଗବେଷଣା ସଂସ୍ଥା ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍(GTRI)
ଭାରତର ଛୋଟ ବ୍ୟବସାୟ ବିଭିନ୍ନ ବର୍ଗରେ ପରିବ୍ୟପ୍ତ। ଯଥା ଛତା ତିଆରି କରିବା,ଚାମଚ, କଣ୍ଟା ଚାମଚ ତିଆରି କରିବା, ହ୍ୟାଣ୍ଡବ୍ୟାଗ, ଏବଂ କସମେଟିକ ପ୍ରଡକ୍ଟ ଆଦି ଭାରତରେ ତିଆରି ହେଉଛି। ଏହାସତ୍ତ୍ୱେ ବି ଚୀନର ମୁକାବିଲା କରିପାରୁ ନାହିଁ ଭାରତର କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ। ବିଶ୍ୱ ବଜାର କଥା ଛାଡ଼ନ୍ତୁ ଭାରତୀୟ ବଜାରରେ ବି ଚୀନ ଏତେମାତ୍ରାରେ ସାମଗ୍ରୀ ଛାଡ଼ୁଛି ଯେ ଭାରତୀୟ ଉଦ୍ୟୋଗ ପ୍ରତିଦ୍ୱନ୍ଦ୍ୱୀତା କରିବା କଷ୍ଟକର ହୋଇପଡ଼ୁଛି।
ଚୀନ ସାମଗ୍ରୀର ଏକଚାଟିଆ ପ୍ରଭାବ ସ୍ଥାନୀୟ ଉତ୍ପାଦନକୁ ଚାପି ଦେଉଛି। ଭାରତୀୟ ଲୋକ ବ୍ୟବହାର କରୁଥିବା ୯୦ ପ୍ରତିଶତ ଛତା, କୃତ୍ରିମ ଫୁଲ ଓ ଗଛ, ନକଲି କେଶ ଆଦି ଚୀନରୁ ଆସୁଛି। ସେହିପରି କାଚ ତିଆରି ସାମଗ୍ରୀ, ଚମଡ଼ା, ଏବଂ ଖେଳଣାରେ ଭାରତୀୟ ମାର୍କେଟର ମୋଟ ଅଂଶରୁ ୫୦ ପ୍ରତିଶତରୁ ଅଧିକ ଭାଗ ଚୀନ କବ୍ଜା କରିଛି ବୋଲି ଜିଟିଆରଆଇ କହିଛି।
ରିପୋର୍ଟରେ କୁହାଯାଇଛି “ଭାରତର ଛତା ଚାହିଦାର ୯୫.୮ ପ୍ରତିଶତ ଚୀନ ପୂରଣ କରୁଛି। ସେହିପରି ନକଲି କେଶ ଓ ନକଲି ଫୁଲ ସାମଗ୍ରୀରେ ଭାରତ ମାର୍କେଟ୍ର ୯୧.୯ ପ୍ରତିଶତ ଚୀନ ଅକ୍ତିଆର କରିଛି। କାଚ ତିଆରି ସାମଗ୍ରୀରେ ଚୀନର ଶେୟାର ୫୯.୭ ପ୍ରତିଶତ ରହିଥିବା ବେଳେ ହ୍ୟାଣ୍ଡବ୍ୟାଗ ୫୪.୩ ପ୍ରତିଶତ ଏବଂ ଖେଳଣା ମାର୍କେଟ ୫୨.୫ ପ୍ରତିଶତ ରହିଛି। ”
କେବଳ ଏସବୁ ନୁହେଁ, ସେରାମିକ ପ୍ରଡକ୍ଟ(୨୩୨.୪ ମିଲିଅନ ଡଲାର ବେପାର ବା ୫୧.୪ ପ୍ରତିଶତ ମାର୍କେଟ କବ୍ଜା) ଏବଂ ବାଦ୍ୟଯନ୍ତ୍ର ମାର୍କେଟରେ(୧୫.୭ ମିଲିଅନ ଡଲାର, ୫୧,୨ ପ୍ରତିଶତ ମାର୍କେଟ ଶେୟାର) ଚୀନ କବ୍ଜା କରିଛି। ଦିନ ଥିଲା ଏଗୁଡ଼ିକରେ ଭାରତୀୟ କମ୍ପାନୀମାନେ ବେଶ ନାଁ କମାଉଥିଲେ। ହେଲେ ଚୀନ ସାମଗ୍ରୀର ପ୍ରବଳ ପ୍ରବାହ ଯୋଗୁ, ଭାରତୀୟ ମାର୍କେଟ୍ରୁ ସ୍ୱଦେଶୀ ସାମଗ୍ରୀର ଚିହ୍ନବର୍ଣ୍ଣ ହଜିଗଲା ବୋଲି GTRI ତା ରିପୋର୍ଟରେ ଦର୍ଶାଇଛି।
ଚୀନର ଆମଦାନୀ ଯୋଗୁ ଭାରତୀୟ କାଗଜ ଏବଂ ପେପରବୋର୍ଡ ଉତ୍ପାଦନ କରୁଥିବା MSME ଉପରେ ଗଭୀର ପ୍ରଭାବ ପଡ଼ିଛି। ଭାରତ ଚୀନରୁ $ ୩୭୧.୫ ମିଲିଅନ ଡଲାର ବା ୨୪.୭ ପ୍ରତିଶତ ଆମଦାନୀ କରୁଛି। ସେହିପରି ଦରକାରୀ ତୈଳ ସାମଗ୍ରୀ ଓ କସମେଟିକରେ ୧୬୦.୮ ମିଲିଅନର ବେପାର ବା ୨୪ ପ୍ରତିଶତ ଏବଂ ଖାଦ୍ୟ ପ୍ରସ୍ତୁତିରେ ୨୨.୨ ମିଲିଅନ ବେପାର ବା ୨୧.୬ ପ୍ରତିଶତ ଚୀନରୁ ଆମଦାନୀ ହେଉଛି। ପଡ଼ୋଶୀ ଦେଶ ଚୀନର ଆମଦାନୀ ଅଧିକ ପ୍ରଚଳିତ ହେଉଥିବାରୁ ଭାରତର ଏହିସବୁ ଉଦ୍ୟୋଗ ପାଇଁ ବଜାର ସୁଯୋଗ କମି ଯାଉଛି।
GTRI ଆହୁରି କହିଛି ଯେ ଚୀନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳତା ଯୋଗୁ ଭାରତୀୟ MSME ମାର୍କେଟ୍ ଓ ଏହାର ଅସ୍ତିତ୍ୱକୁ ନଷ୍ଟ କରିଦେଉଛି। ପେଟ୍ରୋଲ ଓ କୋଇଲା ଆମଦାନୀ କ୍ଷତି ବେଶି ଚିନ୍ତାଜନକ ନୁହେଁ। ହେଲେ ଆମଦାନୀ ହେଉଥିବା ଶିଳ୍ପଜାତ ଦ୍ରବ୍ୟ ଉପରେ ଅଧିକ ନିର୍ବରଶୀଳତା ଭାରତୀୟ ଆର୍ଥିକ ସାର୍ବଭୌମତ୍ୱ ପାଇଁ ସଂକଟ ସୃଷ୍ଟି କରିପାରେ ବୋଲି ଗବେଷଣା ସଂସ୍ଥା କହିଛି।
ରିପୋର୍ଟ ଅନୁସାରେ, ଚୀନ ଠାରୁ ଶିଳ୍ପଜାତ ଦ୍ରବ୍ୟ ଆମଦାନୀରେ ବୃଦ୍ଧି ହୋଇଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ଭାରତ ଚୀନକୁ ମାତ୍ର ୮.୫ ବିଲିଅନ ଡଲାରର ରପ୍ତାନୀ କରିଥିବା ବେଳେ ଆମଦାନୀ କରିଛି ୫୦.୪ ବିଲିଅନ। ପରିଣାମ ସ୍ୱରୂପ ଚୀନ ସହ ବ୍ୟାପାରରେ ବାଣିଜ୍ୟିକ କ୍ଷତି ୪୧.୯ ବିଲିଅନ ଡଲାର ହୋଇଛି।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଚୀନରୁ କରିଥିବା ଆମଦାନୀ ମଧ୍ୟରେ ୯୮.୫ ପ୍ରତିଶତ ଅର୍ଥାତ୍ ୪୯.୬ ବିଲିୟନ ଡଲାର କେଳଳ ଶିଳ୍ପଜାତ ସାମଗ୍ରୀ। ତେବେ ଭାରତୀୟ ମୋଟ ଶିଳ୍ପ ସାମଗ୍ରୀ ଆମଦାନୀରେ ଚୀନ୍ ଭାଗ ୨୯.୮ ପ୍ରତିଶତ। ୮ଟି ଶିଳ୍ପ ସାମଗ୍ରୀ ବର୍ଗରେ ଚୀନ ଭାରତର ଟପ୍ ରପ୍ତାନୀକାରୀ ଦେଶ।
ଏହା ବାଦ୍ ଭାରତରେ ବାଣିଜ୍ୟିକ କ୍ଷତି ବଢ଼ି ଚାଲିଛି ବୋଲି GTRI ରିପୋର୍ଟରେ ଦର୍ଶାଯାଇଛି। ୨୦୨୩ ତୁଳନାରେ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ୨୩ ଟି ଦେଶ ମଧ୍ୟରୁ ୧୨ ଟି ଦେଶ ସହିତ ଭାରତର ବାଣିଜ୍ୟିକ କ୍ଷତି ବଢ଼ିଛି। ତେବେ କେଳଳ ଭାରତ ନୁହେଁ ଅନ୍ୟ ଦେଶଗୁଡ଼ିକର ବି ବାଣିଜ୍ୟିକ କ୍ଷତି ବଢ଼ିଛି। ଚୀନର (୧୦ ପ୍ରତିଶତ) ,ଋଷ (୧୦.୫ ପ୍ରତିଶତ), ଇରାକ (୨୩.୪ ପ୍ରତିଶତ), ଇଣ୍ଡୋନେସିଆ (୬୫.୯ ପ୍ରତିଶତ) ଏବଂ ୟୁଏଇ (୩୧.୬ ପ୍ରତିଶତ) ବାଣିଜ୍ୟିକ କ୍ଷତି ବଢ଼ିଛି।