ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍‌ସିପ୍‌ରେ ଭାରତର ଅଭିଯାନ ଶେଷ; ପ୍ରି-କ୍ୱାର୍ଟରଫାଇନାଲ୍‌ରେ ଚୀନ ଠାରୁ ହାରିଲା

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ: ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍‌ସିପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ଗୁରୁବାର ପ୍ରି-କ୍ୱାର୍ଟର ଫାଇନାଲ୍ ଚୀନ ଠାରୁ ପରାସ୍ତ ହେବା ପରେ ପ୍ରତିଯୋଗିତାରୁ ବାଦ ପଡ଼ିଛି ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ। ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ଉପରେ ସହଜ ବିଜୟ ପ୍ରାପ୍ତ କରିଥିଲା ଚୀନ। ମ୍ୟାଚ୍‌କୁ ୩-୦ରେ ଜିତି ନେଇଥିଲା ବେଜିଂ। ଏହି ବିଜୟ ସହ ଚୀନ ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍‌ସିପ୍‌ରେ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି।

ଭାରତର ହରମୀତ ଦେସାଇ ମ୍ୟାଚ୍ ଆରମ୍ଭ କରିଥିଲେ ବି ମାତ୍ର ୧୫ ମିନିଟ୍‌ରେ ଚୀନର ଫାନ୍‌ ଝେଣ୍ଡୋଙ୍ଗ ତାଙ୍କୁ ୧୧-୨,୧୧-୯, ୧୧-୫ ସ୍କୋରରେ ପରାସ୍ତ କରିଛନ୍ତି। ସେହିପରି ଜି ସାଥିୟାନଙ୍କ ମୁକାବିଲା ଚୀନର ମା ଲଙ୍ଗଙ୍କ ସହ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରଥମ ପାଳିରୁ ହିଁ ଖେଳ ଆଟାକିଂ ମୋଡ୍‌ରେ ଖେଳ ହୋଇଥିଲା।

ତେବେ ସାଥିଆନ ପ୍ରଥମ ପାଳି ୧୨-୧୪ରେ ପଛରେ ରହିବା ପରେ ପରବର୍ତ୍ତି ଦୁଇଟି ପର୍ଯ୍ୟାୟରେ ବି ୫-୧୧ ଓ ୦-୧୧ରେ ପରାସ୍ତ ହୋଇଥିଲେ। ସେହିପରି ମନୁଶ ସିଂହ ଚୀନର ୱାଙ୍ଗ ଚୁକିନଙ୍କ ଠାରୁ ୧୧-୪, ୧୧-୫,୧୧-୬ରେ ପରାସ୍ତ ହୋଇଛନ୍ତି। ଏହି ବିଜୟ ସହ ଚୀନ ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍‌ସିପ୍‌ରେ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.