ଅଷ୍ଟ୍ରେଲିଆରେ ମହିଳାଙ୍କୁ ହତ୍ୟାକରି ଭାରତୀୟ ବ୍ୟକ୍ତି ଫେରାର, ସୂଚନା ଦେଲେ ମିଳିବ ୧ ମିଲିୟନ୍‌ ଡଲାର୍‌

Published By : Prameya-News7 Bureau | November 03, 2022 IST

ମେଲବର୍ଣ୍ଣ, ୦୩/୧୧: ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଧରିବାକୁ ଅଷ୍ଟ୍ରେଲିଆ ପୋଲିସ୍‌ କସରତ୍‌ ଆରମ୍ଭ କରିଛି । ଏହି ବ୍ୟକ୍ତିଙ୍କୁ ଧରାଇଲେ ଏକ ମିଲିୟନ୍‌ ଡଲାର ଅର୍ଥାତ ପାଖାପାଖି ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ଘୋଷଣା କରିଛି ଅଷ୍ଟ୍ରେଲିଆ ପୋଲିସ୍‌ । ଏପରି ଏକ ବଡ଼ ରକମର ପୁରସ୍କାର ଘୋଷଣା ପଛରେ ଏକ ବଡ଼ ଅପରାଧ ମଧ୍ୟ ରହିଛି । ଯାହାର ମୁଖ୍ୟ ଅଭିଯୁକ୍ତ ଜଣେ ଭାରତୀୟ ବୋଲି ଜଣାପଡ଼ିଛି । ଅଷ୍ଟ୍ରେଲିଆର କୁଇନ୍ସ ଲ୍ୟାଣ୍ଡ୍‌ ପୋଲିସ୍‌ ରାଜୱିନ୍ଦର ସିଂହ ନାମକ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଏହି ଘୋଷଣା କରିଛି । ଚାରିବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ସମୁଦ୍ରକୂଳରେ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ରାଜୱିନ୍ଦର ଭାରତକୁ ପଳାଇଆସିଥିଲା ।

ମିଳିଥିବା ସୂଚନା ଅନୁସାରେ, ତୋୟା କୋର୍ଡିଂଲି ନାମକ ଜଣେ ୨୪ ବର୍ଷୀୟ ମହିଳା ପାଳିତ କୁକୁରକୁ ଧରି ୱାଙ୍ଗେଟି ବିଚ୍‌ରେ ବୁଲୁଥିଲେ । ତାଙ୍କୁ ସେହି ସମୟରେ ହତ୍ୟା କରିଯାଇଥିବା ସ୍ଥାନୀୟ ମିଡିଆ ସେଭେନ୍‌ ନ୍ୟୁଜ୍‌ ଡଟ୍‌ କମ୍‌ ଏକ ରିପୋର୍ଟରେ ପ୍ରକାଶ କରିଛି । ରାଜୱିନ୍ଦର ଅଷ୍ଟ୍ରେଲିଆର ଇନିସଫେଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । କୋର୍ଡିଂଲିଙ୍କ ହତ୍ୟା ହେବାର ୨ ଦିନ ପରେ ସେ ଚାକିରୀ ଛାଡ଼ିବା ସହ ସ୍ତ୍ରୀ ଏବଂ ୩ ପିଲାଙ୍କୁ ଛାଡ଼ି ଚାଲିଆସିଥିଲେ ।  

ତେବେ ଏହି ହତ୍ୟାକାଣ୍ଡରେ ରାଜୱିନ୍ଦର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଜଣିବାକୁ ପାଇଥିଲା ଅଷ୍ଟ୍ରେଲିଆ ପୋଲିସ୍‌ । ସେ ଫେରାର ଥିବାରୁ ପୋଲିସ୍‌ ତାକୁ ଧରାଇଦେଲେ ୧ ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର୍‌ ଦେବ ବୋଲି ଘୋଷଣା କରିଛି । ତେବେ ଅଭିଯୁକ୍ତର ଶେଷ ଲୋକେସନ୍‌ ଭାରତ ହୋଇଥିବାରୁ ସେଠାରେ ଛାନ୍‌ଭିନ୍‌ ଜାରି ରଖିଥିବା ଅଷ୍ଟ୍ରେଲିଆ ପୋଲିସ୍‌ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.