କରୋନାକୁ ମାତ୍ ଦେବାରେ ଭାରତୀୟ ସବୁଠୁ ଆଗରେ, ପାଞ୍ଚ ମାସରେ ସୁସ୍ଥ ହେଲେଣି ତିନି ଚତୁର୍ଥାଂଶ ରୋଗୀ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮: କେନ୍ଦ୍ର ସରକାରଙ୍କ ଉପଯୁକ୍ତ ପରୀକ୍ଷଣ, ଅନୁସନ୍ଧାନ ଓ  ଉପଚାରର ପ୍ରଭାବ ବଳରେ କୋଭିଡ୍-୧୯ରୁ ସୁସ୍ଥ ହେବା ଏବଂ ମୃତ୍ୟୁହାର ହ୍ରାସ ଦିଗରେ ଦେଶକୁ ଉଲ୍ଲେଖନୀୟ ସଫଳତା ମିଳିଛି। କରୋନାକୁ ମାତ୍ ଦେବାରେ ଭାରତୀୟ ସବୁଠୁ ଆଗରେ ରହିଛନ୍ତି। ସରକାର ଉଲ୍ଲେଖ କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଚିକିତ୍ସାରତ ସକ୍ରିୟ ରୋଗୀଙ୍କଠୁ ୧୮ ଲକ୍ଷ ଅଧିକ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ପାଞ୍ଚ ମାସରେ କୋଭିଡ୍-୧୯ର ତିନି ଚତୁର୍ଥାଂଶ ରୋଗୀ ସୁସ୍ଥ ହୋଇ ସାରିଲେଣି ଏବଂ ଏକ ଚତୁର୍ଥାଂଶ ଲୋକ ହିଁ ସଂକ୍ରମିତ ଅଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ ସଂକ୍ରମିତ ଲୋକଙ୍କ ପ୍ରଭାବୀ ଉପଚାରର ପରିଣାମସ୍ଵରୂପ କୋଭିଡ୍ ମାମଲାରେ ମୃତ୍ୟୁହାର ହ୍ରାସ ଘଟିଛି। ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁହାର ୧.୮୨ ପ୍ରତିଶତ ରହିଛି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ଚିକିତ୍ସାଧିନ ଲୋକଙ୍କ ତୂଳନାରେ ୩.୫ ଗୁଣ ଅଧିକ ରହିଛି। ଅଧିକ ରୋଗୀ ଠିକ୍ ହେବା ଓ ହସ୍ପିଟାଲ ଏବଂ ଘରେ ପୃଥକବାସ୍‌ରୁ ଛୁଟି ମିଳିବାରୁ ଭାରତରେ କୋଭିଡ୍-୧୯ରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୨୬ ଲକ୍ଷ ପହଞ୍ଚି ଯାଇଛି। ଗତ  ୨୪ ଘଣ୍ଟାରେ ଦେଶରେ ୬୦,୧୭୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨୫,୮୩,୯୪୮ ରହିଛି। ପରିଣାମସ୍ଵରୂପ ଦେଶରେ ସୁସ୍ଥହାର ୭୬.୨୮ ପ୍ରତିଶତରେ ପହଞ୍ଚିଛି।

ମନ୍ତ୍ରଣାଳୟ କହିଛି ଅଧିକରୁ ଅଧିକ ଲୋକ ସୁସ୍ଥ ହେବା କାରଣରୁ ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି। ଏହି ବ୍ୟବଧାନ ଏବେ ୧୮,୪୧,୯୨୫ ରହିଛି। ମନ୍ତ୍ରଣାଳୟ କହିଛି ଲୋକଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଘରେ ପୃଥକବାସରେ କିମ୍ବା ହସ୍ପିଟାଲରେ ଭର୍ତ୍ତି କରିବାରେ ବିଳମ୍ବ କରାଯାଇ ନାହିଁ। ଶୁକ୍ରବାର କରୋନା ସଂକ୍ରମଣର ରେକର୍ଡ ୭୭,୨୬୬ କେସ୍‌ ସାମ୍ନାକୁକ ଆସିବା ପରେ ଦେଶରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୩୩, ୮୭, ୫୦୦ରେ ପହଞ୍ଚିଛି। ସେହି ପରି ଗତ ୨୪ ଘଣ୍ଟାରେ ୧,୦୫୭ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧,୫୨୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.