ନୂଆଦିଲ୍ଲୀ: ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିଅନ୍ ମେଡାଲ ବିଜେତା ଭାରତର ଜାଭେଲିନ୍ ତାରକା ନୀରଜ ଚୋପ୍ରା ଆଗାମୀ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ସ ଇଭେଣ୍ଟରେ ଭାଗ ନେବେନି । ଅଭ୍ୟାସ ବେଳେ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ମୁଁ ଆହତ ହୋଇନାହିଁ, ଅଭ୍ୟାସ କରିବା ସମୟରେ ଜଙ୍ଘ ମାଂଶପେଶୀରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା । ଆଗକୁ ଅଲିମ୍ପିକ୍ସ ରହିଛି । ତେଣୁ ମୁଁ କୌଣସି ବିପଦକୁ ଡାକିବାକୁ ଚାହୁଁନି । ଯେବେ ସମ୍ପୂର୍ଣ୍ଣ ଫିଟ୍ ଅନୁଭବ କରିବି, ମୁଁ ପ୍ରତିଯୋଗିତାକୁ ଫେରିବି ବୋଲି କହିଛନ୍ତି ନୀରଜ ଚୋପ୍ରା ।’ ଚେକ୍ ଗଣରାଜ୍ୟ ଠାରେ ଆସନ୍ତା ୨୮ ତାରିଖରେ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ସ ଇଭେଣ୍ଟ ଆୟୋଜିତ ହେବ । ନୀରଜଙ୍କ ଓହରିଯିବା ପରେ ଆୟୋଜକ କମିଟି ୟୁରୋପିଆନ ଚାମ୍ପିଅନ୍ ଜୁଲିଆନ୍ ୱେବରଙ୍କୁ ସାମିଲ କରିଛି ।
ଭାରତୀୟର ଗୋଲ୍ଡେନ ବଏ ଜାଭେଲିନ୍ ତାରକା ନୀରଜ ଚୋପ୍ରା କିଛି ଦିନ ହେଲା ଧମାଲ କରୁଛନ୍ତି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ମେ’ ୧୫ ତାରିଖରେ ଆୟୋଜିତ ହୋଇଥିବା ଫେଡରେସନ କପ୍ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ ଫାଇନାଲରେ ୮୨.୨୭ ମିଟର ଜେଭେଲିନ୍ ଫିଙ୍ଗି ଗୋଲ୍ଡ ଜିତିଥିଲେ । ଏବେ ପାରିସ୍ ଅଲିମ୍ପିକ ପାଇଁ ପ୍ରସ୍ତୁତି କରୁଛନ୍ତି ନୀରଜ ଚୋପ୍ରା । ହେଲେ ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକ୍ସ ଇଭେଣ୍ଟ ପୂର୍ବରୁ ଆହତ ହୋଇଛନ୍ତି ଭାରତର ଏହି ଗୋଲ୍ଡେନ ବଏ । ଅଭ୍ୟାସ କରିବା ସମୟରେ ଜଙ୍ଘ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ କରିବାକୁ ଓଷ୍ଟ୍ରାଭା ଇଭେଣ୍ଟରୁ ଓହରିଛନ୍ତି ନୀରଜ । ଏନେଇ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଏବଂ ଆଗାମୀ ପାରିସ୍ ଅଲମ୍ପିକ୍ ପ୍ରସ୍ତୁତି ବାବଦରେ କହିଛନ୍ତି ।