ଆସୋଚାମର ଆଶ୍ୱସ୍ତି, କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି ଦେଶର ଉଦ୍ୟୋଗ ଓ ବ୍ୟାପାର ଜଗତ ସକ୍ଷମ

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ:  କରୋନା ଜନିତ ପରିସ୍ଥିତିରେ ଔଷଧ ସମେତ  ଭାରତୀୟ ଉଦ୍ୟୋଗ ଓ ବ୍ୟାପାର ଜଗତ ଯୋଗାଣ ଶୃଙ୍ଖଳ କାୟମ ରଖିବାକୁ ସମ୍ପୂର୍ଣ୍ଣ ସକ୍ଷମ। ରବିବାର ଏହି ସୂଚନା ଦେଇଛନ୍ତି  ଉଦ୍ୟୋଗ ମଣ୍ଡଳ ଆସୋଚାମ । ଏଥିଯୋଗୁ ନିକଟ ଭବିଷ୍ୟତରେ ଦେଶ ଲାଗି ସେଭଳି କୌଣସି ବଡ ଆହ୍ୱାନ ଉପୁଜିବନି  ବୋଲି ଆସୋଚାମର ସାଧାରଣ ସମ୍ପାଦକ ଦୀପକ ସୁଦ୍ କହିଛନ୍ତି। ଏଣୁ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ମଧ୍ୟ ସେ ଆଶ୍ୱସ୍ଥ କରିଛନ୍ତି।

ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଭାରତ ସରକାରଙ୍କ ସହ ମିସି ଆସୋଚାମ କାମ କରୁଥିବା ସୁଦ କହିଛନ୍ତି । ଯଦିଓ ଏକ ଉଚ୍ଚସ୍ତରୀୟ ସମନ୍ୱିତ ଅର୍ଥବ୍ୟବସ୍ଥାରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଏକ ବାସ୍ତବିକତା ତଥାପି ଅସ୍ଥାୟୀ ଭାବେ ଉପୁଜୁଥିବା ପରିସ୍ଥିତିର ମୁକାବିଲା ମଧ୍ୟ ଜରୁରି ବୋଲି ସେ କହିଛନ୍ତି। ତେବେ ଚୀନରେ ଉପୁଜିଥିବା ପରିସ୍ଥିତି ଲାଗି ଏପର୍ଯ୍ୟନ୍ତ ଦେଶର ଉଦ୍ୟୋଗ ଜଗତର ଯୋଗାଣ ଶୃଙ୍ଖଳା ସେପରି ପ୍ରଭାବିତ ହୋଇ ନାହିଁ।

ତେବେ ଔଷଧ ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ରୂପେ ବ୍ୟବହାର ହେଉଥିବା ସକ୍ରିୟ ରସାୟନ(ଏପିଆଇ) ଚୀନରୁ ଆମଦାନୀ ହୋଇଥାଏ। ଦେଶର ମୋଟ ଆବଶ୍ୟକତାର ୬୦ରୁ ୭୦ ପ୍ରତିଶତ ଆମଦାନୀ ହେଉଥିଲେ ମଧ୍ୟ ଦେଶରେ ମଧ୍ୟ ଏଭଳି ରସାୟନର ଉତ୍ପାଦନ ଲାଗି ପ୍ଲାଣ୍ଟ ରହିଛି। ଏଣୁ ପରିସ୍ଥିତିକୁ ଦେଖି ଦେଶରେ ଏଗୁଡିକରଉପଯୋଗ ବି ହୋଇପାରିବ। ସେହିପରି ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ ଜଗତ ଲାଗି ମଧ୍ୟ ସେଭଳି କୌଣସି ପରିସ୍ଥିତି ଉପୁଜିନାହିଁ। ତେବେ ତାଇୱାନ ଭଳି ଦେଶରୁ ଆସୁଥିବା ସପ୍ଲାଇର ନୂଆ ସ୍ରୋତର ଏବେ ସନ୍ଧାନ କରିବା ଆମ ଲାଗି ଜରୁରି ହୋଇପଡିଛି ବୋଲି ସୁଦ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.