ଇମ୍ରାନ ଖାନଙ୍କ ଉପରେ ଆକ୍ରମଣକୁ ନେଇ ଆସିଲା ଭାରତୀୟ ବୈଦେଶିକ ମନ୍ତ୍ରାଳୟଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | November 03, 2022 IST

ନୂଆଦିଲ୍ଲୀ ୩।୧୧: ପାକିସ୍ତାନ ୱଜିରାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନର ଯେଉଁ ଘଟଣା ଘଟିଛି ତା ଉପରେ ଆମେ ନିକଟରୁ ନଜର ରଖିଛୁ ଓ ଏହି ଘଟଣାକ୍ରମ ଉପରେ ଆଗକୁ ମଧ୍ୟ ଆମର ନଜର ରହିବ।  ବିଦେଶମନ୍ତ୍ରାଳୟ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ଚୀନ-ପାକିସ୍ତାନ ମିଳିତ ବୟାନରେ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ସନ୍ଦର୍ଭରେ ଅବାଞ୍ଛିତ କଥା କହିଥିଲେ, ଯାହାକୁ  ଆମେ ଅଗ୍ରାହ୍ୟ କରିଛୁ ।

ଭାରତୀୟ ବିଦେଶ ମନ୍ତ୍ରାଳୟ ଚୀନ-ପାକିସ୍ତାନଙ୍କ ମିଳିତ ବୟାନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ସର୍ବଦା ଭାରତର ଅଭିବାଜ୍ୟ ଅଙ୍ଗ ରହି ଆସିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଥିଲେ। ସେହିପରି ଚୀନ-ପାକିସ୍ତାନ ଇକୋନମିକ କରିଡୋର ନେଇ ମଧ୍ୟ ଆମେ ଲଗାତାର ବିରୋଧ ଓ ଆମର ଚିନ୍ତା ପ୍ରକଟ କରି ଆସୁଛୁ ବୋଲି କହିଛନ୍ତି। କାରଣ ଭାରତର ସାର୍ବଭୌମ କ୍ଷେତ୍ରରେ ଏହି ସବୁ ପ୍ରକଳ୍ପ ନିର୍ମିତ ହେଉଛି ବୋଲି ବାଗଚୀ କହିଛନ୍ତି। ତେଣୁ ସେହି ସବୁ ଅଞ୍ଚଳର ଯଥାସ୍ଥିତିକୁ ବଦଳାଇବାରେ ଏପରି କୌଣସି ପ୍ରକଳ୍ପକୁ ଆମେ ବିରୋଧ କରିବୁ ବୋଲି ବାଗଚୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘ହକ୍‌ ର ଆଜାଦୀ ରାଲି’ ବେଳେ ପଞ୍ଜାବ ପ୍ରାନ୍ତର ୱଜିରାବାଦରେ ତାଙ୍କ କଣ୍ଟୈନର ଟ୍ରକ୍ ଉପରେ ଆକ୍ରମଣ ହୋଇଛି। ଯେଉଁଥିରେ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଛି। ଗଣମାଧ୍ୟମ ଖବର ଅନୁସାରେ ଏହି ଘଟଣା ପଞ୍ଜାବ ବଜିରାବାଦର ଆଲ୍ଲାହବାଲା ଚୌକ ନିକଟରେ ହୋଇଛି। ଜିଓୋଟିଭି ଭିଡିଓ ଫୁଟେଜ ଅନୁସାରେ ୭୦ ବର୍ଷ ବୟସ୍କ ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.