କାବୁଲ ସ୍ଥିତ ଭାରତୀୟ ଦୂତାବାସରେ ପୁଣି ଆରମ୍ଭ ହେଲା କାମ, ତାଲିବାନ କବଜା କରିବା ପରେ ଭାରତ ଫେରିଥିଲେ ଅଧିକାରୀ

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷ ପରେ ଆଫଗାନିସ୍ତାନ ସହ ବନ୍ଦ କରିଥିବା ନିଜର କୂଟନୈତିକ ସମ୍ପର୍କକୁ ପୁଣି ଥରେ ଆରମ୍ଭ କରିଛି ଭାରତ । କାବୁଲରେ ଭାରତୀୟ ଦୂତାବାସ ସୋମବାର ଅଗଷ୍ଟ ୧୫ରୁ କାମ କରିବା ଆରମ୍ଭ କରିଛି । ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେଗତ ବର୍ଷ ଅଗଷ୍ଟରେ ଭାରତୀୟ ଦୂତାବାସ କାବୁଲରେ ନିଜର ଅଫିସକୁ ବନ୍ଦ କରିଥିଲା । ଏହାସହ ସେଠାରେ ଅବସ୍ଥାପିତ ଭାରତୀୟ ଅଧିକାରୀ କାବୁଲ ଛାଡିଥିଲେ ।  

ଆଫଗାନିସ୍ତାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ କହାର ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଭାରତର କୂଟନୀତିଜ୍ଞ ବାଣିଜ୍ୟ ଦୂତାବାସରେ ପୁଣି ଥରେ କାମ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୩ ରେ କାବୁଲରେ ପହଞ୍ଚିଛନ୍ତି । ଆମେ ଭାରତୀୟ ଦୂତାବାସର ଅଧିକାରୀଙ୍କୁ ସ୍ୱାଗତ ଜଣାଉଛୁ'। ଏହାସହ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସହଯୋଗ ଏବଂ ସୁରକ୍ଷାର ଭରଷା ଦେଇଛନ୍ତି।

ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ସରକାର ଭାରତ ଏବଂ ଅନ୍ୟ ସବୁ ପଡୋଶୀ ଦେଶ ସହ ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ଇଚ୍ଛୁକ ଥିବା ବାଲଖୀ କହିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଭାରତର ଅନେକ ପରିଯୋଜନା ଅଧାରେ ରହିଛି । ଆଫଗାନିସ୍ତାନର ବିକାଶ ପାଇଁ ଭାରତ ପୁଣି ଥରେ କାମ କରିବା ଆରମ୍ଭ କରିବ ବୋଲି ଆଶା ରଖିଛୁ ବୋଲି ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.