କ୍ରିକେଟର୍ କେଦାର ଯାଦବଙ୍କ ବାପା ନିଖୋଜ
27/03/2023 at 10:55 PM

ପୁଣେ ୨୭/ ୦୩: ଟିମ୍ ଇଣ୍ଡିଆର କ୍ରିକେଟର୍ କେଦାର ଯାଦବଙ୍କ ବାପା ନିଖୋଜ ହୋଇଯାଇଛନ୍ତି । ସୋମବାର ସକାଳ ୧୧.୩୦ରୁ ସେ ନିଖୋଜ ହୋଇଯାଇଥିବା କେଦାରଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। କେଦାରଙ୍କ ବାପା ମହାଦେବ ଯାଦବ ପୁଣେ ସ୍ଥିତ କୋଥ୍ରୁଟ ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ କେଉଁ ଆଡ଼େ ଚାଲିଯାଇଛନ୍ତି । ଏନେଇ କେଦାରଙ୍କ ପରିବାର ପକ୍ଷରୁ ଅଳଙ୍କାର ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ଲେଖାଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ତାଙ୍କ ବାପାଙ୍କୁ ଖୋଜିବା କାମ ଆରମ୍ଭ କରିଦେଇଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳେ କେଦାରଙ୍କ ବାପା ମହାଦେବ ସିକ୍ୟୁରିଟି ଗାର୍ଡଙ୍କୁ ମିଛ କହି ଘରୁ ବାହାରି ଯାଇଥିଲେ। କିଛି ସମୟ ପରେ ତାଙ୍କ ଫୋନ୍ ବି ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ବାରମ୍ବାର କଲ୍ କଲେ ବି ଫୋନ୍ ସ୍ୱିଚ୍ଅଫ୍ ଦେଖାଇଥିଲା। ବହୁ ଖୋଜାଖୋଜି ପରେ ନ ପାଇବାରୁ ପରିବାର ଲୋକେ ଥାନାରେ ଜଣାଇଥିଲେ।
ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିବା ସହ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି। କେଦାର ଯାଦବଙ୍କ ବାପା ମହାଦେବ ଯାଦବ ଡିମେନ୍ସିଆ ରୋଗରେ ପୀଡ଼ିତ ଅଛନ୍ତି ବୋଲି ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।