ଜାହ୍ନବୀ କଣ୍ଡୁଲା ମୃତ୍ୟୁ ମାମଲା: ଆମେରିକୀୟ ଅଧିକାରୀ ଦଣ୍ଡିତ ନ ହେବାରୁ ଆପତ୍ତି କଲା ଭାରତ, ନିଷ୍ପତ୍ତିର ପୁନର୍ବିଚାର ଦାବି

Published By : Prameya-News7 Bureau | February 24, 2024 IST

ୱାସିଂଟନ ୨୪।୨: ସିଏଟଲରେ ଭାରତୀୟ ବାଣିଜ୍ୟ ଦୂତାବାସ ଆମେରିକୀୟ ଅଧିକାରୀଙ୍କ ସମକ୍ଷରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ମାମଲା ଉପସ୍ଥାପନ କରିଛନ୍ତି। ଭାରତ ସେତେବେଳେ ଏହି ପଦକ୍ଷେପ ନେଇଛି ଯେତେବେଳେ ପ୍ରସିକ୍ୟୁସନ ଓକିଲ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପୋଲିସ ଅଧିକାରୀଙ୍କୁ କୌଣସି ପ୍ରକାର ଅପରାଧିକ ଅଭିଯୋଗର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜାନୁୟାରୀ ୨୩ ତାରିଖ ଦିନ ଅଧିକାରୀ ଡେଭ ସଡ଼କ ପାର କରୁଥିବା କଣ୍ଡୁଲାଙ୍କୁ ବାହନରେ ଧକ୍କା ଦେଇଥିଲେ।

ଅଧିକାରୀ ଡେଭ ଡ୍ରଗ ଓଭର ଡୋଜ୍ କଲର ରିପୋର୍ଟ ନିମନ୍ତେ ୧୧୯ କିଲୋମିଟର ବେଗରେ ବାହନ ଚଳାଉଥିଲେ। ଏଥିରେ ସେ କଣ୍ଡୁଲାଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ ସେ ୧୦୦ ଫୁଟ ଦୂରକୁ ଛିଟିକି ପଡିଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀଙ୍କ ନିମନ୍ତେ ଲୋକେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଘଟଣାରେ ଭାରତୀୟ ବାଣିଜ୍ୟ ଦୂତାବାସ କହିଥିଲେ ଯେ ମାମଲାର ପ୍ରଗତି ଉପରେ ନଜର ରଖିଛନ୍ତି ଓ କଣ୍ଡୁଲା ଏବଂ ତାଙ୍କ ପରିବାର ନିମନ୍ତେ ନ୍ୟାୟ ସୁନିଶ୍ଚିତ କରିବାରେ ଯଥାସମ୍ଭବ ସହାୟତା କରିବେ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଆମେ ଉଚିତ ସମାଧାନ ନିମନ୍ତେ ସିଏଟଲ ପୋଲିସ ସମେତ ସ୍ଥାନୀୟ ଅଧିକାରୀଙ୍କ ସମ୍ମୁଖରେ ମାମଲାକୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରିଛୁ । ଏବେ ମାମଲାର ସମୀକ୍ଷା ନିମନ୍ତେ ସିଏଟଲ ସିଟି ଆଟର୍ଣ୍ଣି କାର୍ଯ୍ୟାଳୟକୁ ପଠାଯାଇଛି। ଏହି ମାମଲାକୁ ନେଇ ଆମେରିକାର ଏକ ଶୀର୍ଷ ହିନ୍ଦୁ ଆଡଭୋକେସୀ ସମୂହ ଏହା ଅତ୍ୟନ୍ତ ନିରାଶାଜନକ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.