ନୂଆଦିଲ୍ଲୀ: କାନାଡା ସଂସଦରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ପୁରୀ ନିଜ୍ଜରର ସମ୍ମାନରେ କିଛି ମିନିଟ୍ ଯାଏ ନୀରବ ପ୍ରାର୍ଥନା ରଖାଯାଇଥିଲା । ଏହାର କଡ଼ା ଜବାବ ଦେଇ ଭଙ୍କୁଭରରେ ଭାରତୀୟ ବାଣିଜ୍ୟିକ ଦୂତାବାସ ଦୁନିଆକୁ ଏୟାର ଇଣ୍ଡିଆକୁ ଉଡାଣ ୧୮୨ (କନିଷ୍କ)କୁ ବୋମାରେ ଉଡ଼ାଇବା ଘଟଣା ମନେ ପକାଇଛି । ଯେଉଁଥିରେ ୮୬ ପିଲାଙ୍କ ସମେତ ୩୨୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଭଙ୍କୁଭରରେ ସ୍ଥିତ ଭାରତୀୟ ଦୂତାବାସ ଏୟାର ଇଣ୍ଡିଆ ବିମାନ କନିଷ୍କର ୩୯ତମ ବର୍ଷ ପୂର୍ତ୍ତି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି ।
ଭାରତୀୟ ହାଇକମିଶନର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ ଭାରତ ସବୁବେଳେ ଆତଙ୍କବାଦ ଏବଂ ସେହି ସବୁ ଦେଶ ବିରୋଧରେ ରହିଛି ଯେଉଁମାନେ ଆତଙ୍କବାଦର ସମର୍ଥନ କରୁଛନ୍ତି । ଏୟାର ଇଣ୍ଡିଆ ବିମାନ କନିଷ୍କ ଉପରେ କରାଯାଇଥିବା ଆକ୍ରମଣ ବିମାନ ଇତିହାସର ସବୁଠୁ କାପୁରୁଷ ଆକ୍ରମଣ ଥିଲା । ଏହି ଆକ୍ରମଣରେ ୩୨୯ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ୨୦୨୪ ଜୁନ ୨୩ରେ ଏହି ଆକ୍ରମଣର ୩୯ତମ ବର୍ଷ ପୂର୍ତ୍ତିରେ ସେହି ସମସ୍ତଙ୍କ ସ୍ମୃତିରେ ଏକ ସମାରୋହ ଆୟୋଜନ କରାଯିବ, ଆମେ ସମସ୍ତ ଭାରତୀୟ-କାନାଡାଇ ଲୋକଙ୍କୁ ଆଗ୍ରହ କରୁଛୁ ଯେ ସେମାନେ ଆତଙ୍କବାଦ ବିରୋଧ ଲଢେଇରେ ଏକଜୁଟ୍ ହେବେ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଙ୍ଗଳବାର କାନାଡାର ସଂସଦରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟାର ଏକ ବର୍ଷ ଅବସରରେ ହାଉସ୍ ଅଫ୍ କମନ୍ସରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏୟାର ଇଣ୍ଡିଆର ବିମାନ କନିଷ୍କକୁ ୧୯୮୫ ଜୁନ୍ ୨୩ରେ ମୋଣ୍ଟ୍ରିୟଲରୁ ଲଣ୍ଡନ ଯିବା ସମୟରେ ବୋମାରେ ଉଡାଯାଇଥିଲା । ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣରେ ୩୨୯ ଜଣଙ୍କ ଜୀବନ ଯାଇଥିଲା । ଏଥିରେ ୨୬୮ କାନାଡା ନାଗରିକ, ୨୭ ବ୍ରିଟିଶ ଏବଂ ୨୪ ଭାରତୀୟ ନାଗରିକ ଥିଲେ ।