ନୂଆଦିଲ୍ଲୀ: ଧୀରେ ଧୀରେ ଇଲେକ୍ଟ୍ରୋନିକ ବଜାରରେ ପ୍ରଭାବ ବିସ୍ତାର କରୁଛନ୍ତି ଭାରତୀୟ କମ୍ପାନୀ। ବିଶ୍ୱର ତୃତୀୟ ସବୁଠାରୁ ବଡ଼ ଅର୍ଥନୀତିର ଦେଶ ଭାରତର ଇ-ବଜାର ଆୟତ କରିବା ନେଇ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରୁଛନ୍ତି ଭାରତୀୟ କମ୍ପାନୀ। ବର୍ତ୍ତମାନ ଭାରତୀୟ ଇ-ଉପକରଣ ବଜାରରେ ୫୫ ପ୍ରତିଶତ କବ୍ଜା ଦେଶୀ କମ୍ପାନୀଗୁଡ଼ିକର ରହିଛି। ଇ-ମାର୍କେଟ୍ର ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଆଇଡିସି ଇଣ୍ଡିଆ ଏହି ରିପୋର୍ଟ ଦେଇଛି। ଇ-ଉପକରଣ ମଧ୍ୟରେ ରହିଛି ପିନ୍ଧିବା, ଶୁଣିବା ଓ ପାୱାର ଉପକରଣ।
ପିନ୍ଧିବାଯୋଗ୍ୟ ଇ-ଉପକରଣର ନୂଆ ନୂଆ ସୁବିଧା ଯୁକ୍ତ ଉତ୍ପାଦନ, ବିଭିନ୍ନ ଲୋଭନୀୟ ଅଫର ଓ ଅପେକ୍ଷାକୃତ ଶସ୍ତା ନୀତି ଯୋଗୁ ଏହି ବ୍ରାଣ୍ଡଗୁଡ଼ିକ ବଜାର କବ୍ଜା କରିବାର ସକ୍ଷମ ହେଉଛନ୍ତି। ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଭୟର ମୋବାଇଲ୍ ଉତ୍ପାଦନ କମୁଥିବା ବେଳେ ଭାରତୀୟ ପିନ୍ଧିବାଯୋଗ୍ୟ ଇ-ଉପକରଣ ବ୍ରାଣ୍ଡଗୁଡ଼ିକର ଉତ୍ପାଦନ କିନ୍ତୁ ଦ୍ୱିଗୁଣା ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ପିନ୍ଧିବାଯୋଗ୍ୟ ଇ-ଉପକରଣ ମାର୍କେଟ୍ରେ କେଉଁ ଭାରତୀୟ କମ୍ପାନୀଙ୍କର ପ୍ରଭାବ ରହିଛି ?
ବର୍ତ୍ତମାନ ସ୍ଥିତିରେ ଭାରତରେ ଥିବା ପ୍ରମୁଖ ୫ଟି ପିନ୍ଧିବାଯୋଗ୍ୟ ଇ-ଉପକରଣ ମଧ୍ୟରୁ ଟପ୍-୩ରେ ତିନି ଭାରତୀୟ ବ୍ରାଣ୍ଡ ରହିଛନ୍ତି। ଭାରତୀୟ ବଜାରରେ ଇମାଜିନ ମାର୍କେଟିଂ କମ୍ପାନୀର (ବୋଟ୍) ୩୨ ପ୍ରତିଶତ ମାର୍କେଟ୍ କବ୍ଜା କରିଥିବା ବେଳେ ନେକ୍ସବେସ୍(Nexxbase ନଏଜ)ର ୧୪ ପ୍ରତିଶତ ଓ ଫାୟାର ବୋଲ୍ଟ ୯ ପ୍ରତିଶତ ଶେୟାର କବ୍ଜା କରିଛି। ଅନ୍ୟପଟେ ଚୀନର ୱାନପ୍ଲସ୍ ( ୮ ପ୍ରତିଶତରୁ ଅଧିକ) ଏବଂ ରିୟଲ ମି(୪ ପ୍ରତିଶତରୁ ଅଧିକ) ରହିଛି। ଚୀନର ଏହି ଦୁଇ ବ୍ରାଣ୍ଡ ଭାରତ ପ୍ରମୁଖ ୫ ପିନ୍ଧିବା ଯୋଗ୍ୟ ଇ-ଉପକରଣରେ ସାମିଲ ଅଛନ୍ତି।
ଚୀନକୁ ପଛରେ ପକାଇ କେମିତି ଭାରତୀୟ ବ୍ରାଣ୍ଡଗୁଡ଼ିକ ଇ-ଉପକରଣ ବଜାର କବ୍ଜା କଲେ ?
ସାରା ବିଶ୍ୱରେ ଉଦ୍ୟୋଗ ଜଗତ ପାଇଁ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ଆଣିଥିଲା। ନିଅଣ୍ଟିଆ ସ୍ଥିତି ଯୋଗୁ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୬୨ ପ୍ରତିଶତ ଶେୟାର କବ୍ଜା କରିଥିବା ଚାଇନା ସ୍ମାର୍ଟଫୋନ୍ କମ୍ପାନୀଗୁଡ଼ିକ ଫୋନ୍ରୁ ମାର୍କେଟ୍ରୁ ଧ୍ୟାନ ହଟାଇ ପାରିଲେ ନାହିଁ। ତା ସହିତ ଯୋଗାଣରେ ବାଧା ଉପୁଜିବା ଆଦି ସମସ୍ୟା ଯୋଗୁ ଚୀନ କମ୍ପାନୀଗୁଡ଼ିକ ପିନ୍ଧିବାଯୋଗ୍ୟ ଇ-ଉପକରଣ ବଜାରକୁ କବ୍ଜା କରିପାରିଲେ ନାହିଁ।
କରୋନା ପାଇଁ ଏମିତିରେ ଉତ୍ପାଦନ ଦିଗରେ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଥିଲା। ଆଉ ସ୍ଥିତି ସୁଧୁରିବା ପରେ କମ୍ପାନୀଗୁଡ଼ିକ ସ୍ମାର୍ଟଫୋନ୍ ନିର୍ମାଣ ଦୌଡ଼ରେ ଲାଗିପଡ଼ିଲେ। ଯାହାର ଫାଇଦା ନେଲେ ଭାରତୀୟ ବ୍ରାଣ୍ଡ। ଆଉ ଧୀରେ ଧୀରେ ଭାରତର ପିନ୍ଧିବା ଇ-ଉପକର ବଜାରକୁ କବ୍ଜା କରିନେଲେ ଭାରତୀୟ କମ୍ପାନୀ।
ଏନେଇ ଇମାଜିନ ମାର୍କେଟିଂର ସିଇଓ ବିବେକ ଗମ୍ଭୀର ଇକୋନୋମିକ୍ସ ଟାଇମ୍ସକୁ ସାକ୍ଷତକାର ଦେଇ କହିଛନ୍ତି “ମୋ ମତରେ ସ୍ମାର୍ଟଫୋନ୍କୁ ନେଇ ସୁଯୋଗ ଖୁବ୍ ବଡ଼ ଥିବାରୁ ସ୍ମାର୍ଟଫୋନ୍ ନିର୍ମାତାମାନେ 4G ଓ 5G ଫୋନ୍ ନିର୍ମାଣକୁ ଗୁରୁତ୍ୱ ଦେଇଥିଲା। ବିଶେଷ କରୋନା ସମୟରେ ରପ୍ତାନୀ ଶୃଙ୍ଖଳ ବାଧାପ୍ରାପ୍ତ ହେବାରୁ କମ୍ପାନୀଗୁଡ଼ିକ ଏଭଳି କରିଥିଲେ।” ଫଳରେ ସେମାନେ ପିନ୍ଧିବାଯୋଗ୍ୟ ଇ-ଉପକରଣ ଭଳି ନୂଆ ବଜାର ସୃଷ୍ଟି କରିବାକୁ ଚିନ୍ତା କଲେ ନାହିଁ। ପରେ ଏହାକୁ ଭାରତୀୟ ବ୍ରାଣ୍ଡମାନେ କବ୍ଜା କରି ନେଇଛନ୍ତି।