ପାକିସ୍ତାନରୁ ଆସିଥିଲେ, ଭାରତରେ ହୋଇଗଲେ କୋଟିପତି: ଏମାନେ ହେଉଛନ୍ତି ସେହି ଭାଗ୍ୟଶାଳୀ ବ୍ୟକ୍ତି

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦/୧୦ : ଦେଶରେ ଅନେକ କୋଟିପତି ଅଛନ୍ତି ଯେଉଁମାନେ ପାକିସ୍ତାନୀରୁ ଆସିଛନ୍ତି। ଅବିଭାଜିତ ଭାରତର ସିନ୍ଧ ଓ ବଲୁଚିସ୍ତାନ ପ୍ରାନ୍ତର ଏହି ବ୍ୟକ୍ତିମାନେ କିମ୍ବା ତାଙ୍କ ପୂର୍ବଜ ଦେଶ ବିଭାଜନ ସମୟରେ ଭାରତରେ ବିଭିନ୍ନ ସ୍ଥାନରେ ରହିଗଲେ। ବିଭାଜନ ପରେ ଏମାନେ ନିଜକୁ ପ୍ରତିଷ୍ଠା କଲେ ଓ ଦେଶର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଭାଜନ ପରେ ମଧ୍ୟ ସିନ୍ଧ ପ୍ରାନ୍ତର ଲୋକେ ପାକିସ୍ତାନ ପ୍ରତି ଥିବା ଦୁର୍ବଳତା ପାଇଁ ପାକିସ୍ତାନ ଛାଡିବାକୁ ଚାହୁଁନଥିଲେ। କିନ୍ତୁ ମାଇନୋରିଟୀ-ମେଜୋରିଟୀ ମଧ୍ୟରେ ଉଠିବା ବିପରୀତ ପରିସ୍ଥିତି ସେମାନଙ୍କୁ ଏହିଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ୧୯୪୮ ମସିହାରେ କରାଚୀରେ ଦଙ୍ଗା ହୋଇଥିଲା ଯେଉଁଥିରେ ହିନ୍ଦୁମାନଙ୍କ ଠାରୁ ଆରମ୍ଭ କରି ସିନ୍ଧିମାନଙ୍କୁ ମଧ୍ୟ ସେଠାରୁ ତଡି ଦିଆଯାଇଥିଲା।

ସିନ୍ଧ ପ୍ରାନ୍ତ ଛାଡି ଚାଲିଯିବାକୁ ବାଧ୍ୟ ହୋଇ ଲୋକେ ଚାଲି ଚାଲି, ବସ, ଟ୍ରେନ ଯାହା ପାଇଲେ ସେଥିରେ ପାକିସ୍ତାନରୁ ପଳାଇ ଆସି ବିଭିନ୍ନ ଦେଶ, ଆମେରିକା, କାନାଡ଼ା, ବ୍ରିଟେନ ଭଳି ଦେଶକୁ ଚାଲିଗଲେ ଓ ସେଠାରେ ରହିଗଲେ। ପାକିସ୍ତାନରୁ ଏକ ବଡ ଭାଗ ଲୋକ ଭାରତକୁ ଆସି ବିଭିନ୍ନ ସ୍ଥାନରେ ରହିଗଲେ। ଏଠାରେ ରହି ଶୂନରୁ ବ୍ୟବସାୟ ଆରମ୍ଭ କରି ଦେଶର ନାମୀ ଲୋକଙ୍କ ମଧ୍ୟରେ ସାମିଲ ହୋଇଗଲେ। ଏମିତି ଜଣେ ବ୍ୟକ୍ତି ହେଲେ ନିରଞ୍ଜନ ହିରାନନ୍ଦାନୀ। ହିରାନନ୍ଦାନୀ ଗ୍ରୁପର ମାଲିକଙ୍କ ପିତା ଓ ପଦ୍ମଶ୍ରୀ ବିଜେତା ଲଖୁମଲ ହୀରାନନ୍ଦ ପାକିସ୍ତାନ ସିନ୍ଧ ପ୍ରାନ୍ତରେ ଜନ୍ମ ହୋଇଥିଲେ ଓ ସେଠାରେ କାମ ଆରମ୍ଭ କରିଥିଲେ। କିନ୍ତୁ ବିଭାଜନ ପରେ ତାଙ୍କ ପରିବାର ମଧ୍ୟ ହିଂସାର ଶିକାର ହୋଇଥିଲା। ଫଳରେ ପରିବାର ସଦସ୍ୟ ପାକିସ୍ତାନ ଛାଡି ଭାରତ ଚାଲି ଆସିଥିଲେ। ଆରମ୍ଭରେ ତାଙ୍କ ପୁତ୍ର ମୁମ୍ବାଇରେ ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୭ ମସିହାରେ ତାଙ୍କ ନାଁ ଫୋର୍ବ୍ସ ତାଲିକାରେ ସାମିଲ ହୋଇଥିଲା।

ସିନ୍ଧି-ହିନ୍ଦୁ ପରିବାରର ପ୍ରମୁଖ ପେସା ବ୍ୟବସାୟ। ତେବେ ରାଜନୀତିରୁ ଆରମ୍ଭ କରି ଗ୍ଲାମର ଇଣ୍ଡଷ୍ଟ୍ରିରେ ମଧ୍ୟ ଏମାନେ ଖୁବ ନାଁ କରିଛନ୍ତି। ଏହିଭଳି ଜଣେ ହେଲେ କରିଣ କପୁରଙ୍କ ମା ବବିତା କପୁର। ବବିତା ଘର ପାକିସ୍ତାନ କରାଚୀରେ। ତାଙ୍କ ପିତା ହରି ଶିବଦାଶାନି ହିନ୍ଦୁ-ସିନ୍ଧି ପରିବାରରୁ ଥିଲେ। ଦେଶ ବିଭାଜନ ପରେ ପାକିସ୍ତାନରୁ ଭାରତକୁ ଆସିଥିଲେ।

ଠିକ ସେହିଭଳି ହିନ୍ଦୀ ସିନେମା ଜଗତର ହାସ୍ୟ ଅଭିନେତା ଅସରାନୀ ମଧ୍ୟ ପାକିସ୍ତାନ ସିନ୍ଧ ପ୍ରାନ୍ତରୁ ଭାରତକୁ ଆସିଛନ୍ତି। ଅସରାନୀଙ୍କ ପରିବାର ଜୟପୁରରେ ରହିଗଲେ। ସେଠାରେ ତାଙ୍କ ପିତା ଏକ ଛୋଟ କାର୍ପେଟ ଦୋକାନ କରି ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ଅସରାନୀଙ୍କୁ ୭ ବର୍ଷ ବୟସ ହୋଇଥିଲା। ଘଟଣାକୁ ନେଇ ତାଙ୍କ ମନରେ ଗଭୀର ପ୍ରଭାବ ପଡିଥିଲା।

ଆଉ ଜଣେ ବ୍ୟକ୍ତିତ୍ୱ ହେଲେ ଦେଶର ନାମୀ ଓକିଲ ରାମ ଜେଠମଲାନୀ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଥିଲା। ଜେଠମଲାନୀଙ୍କ ଜନ୍ମ ବ୍ରିଟିଶ ଶାସନାଧୀନ ଶିକାରପୁର ସହରରେ ଜନ୍ମ ହୋଇଥିଲେ। ସେ ପାକିସ୍ତାନରେ ଆଇନ ପ୍ରଫେସର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ୧୯୪୮ରେ କରାଚୀ ଦଙ୍ଗା ପରେ ସେ ପାକିସ୍ତାନ ଛାଡି ଭାରତ ଚାଲି ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.