ବେଙ୍ଗାଲୁରୁ: ପ୍ରେମ ମଣିଷକୁ କେମିତି ଅନ୍ଧ କରି ଦିଏ ତାର ଅନେକ ଜ୍ଵଳନ୍ତ ଉଦାହରଣ ଆପଣ ଦେଖିଥିବେ। ସେ ସାଧାରଣ ଯୁବକଟେ ହେଉ କି ନେତା ହେଉ କି ବଡ ଅଧିକାରୀଟେ ହୋଇଥାଉ ସମସ୍ତେ ପ୍ରେମରେ ବାଇଆ ହୋଇଛନ୍ତି। ପ୍ରେମରେ କିଏ କେତେ କଣ ଉପହାର ଦେଇଥାନ୍ତି। ହେଲେ ବେଙ୍ଗାଲୁରୁରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଡେଟିଂ ଆପରେ ମିଳିଥିବା ଗାର୍ଲଫ୍ରେଣ୍ଡ ନିକଟକୁ କୋଟି କୋଟି ଟଙ୍କା ପଠାଇ ଏବେ ହରଡଘଣାରେ ଇଣ୍ଡିଆନ ବ୍ୟାଙ୍କର ମ୍ୟାନେଜର। ଗାର୍ଲଫ୍ରେଣ୍ଡକୁ ବ୍ୟାଙ୍କରୁ ୫.୭ କୋଟି ଟଙ୍କା ପଠାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲା ବେଙ୍ଗାଲୁରୁର ହନୁମନ୍ଥନଗର ଶାଖାର।
ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। କୋର୍ଟରେ ହାଜର କରାଇବା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଏଫଆଇଆରରେ ସହାୟକ ବ୍ୟାଙ୍କ ପ୍ରବନ୍ଧକ ଏବଂ କିରାଣୀଙ୍କ ନାମ ମଧ୍ୟ ସାମିଲ୍। ଏହି ଆଶ୍ଚର୍ଯ୍ୟଜନକ ଘଟଣା ମେ ୧୩ ଏବଂ ମେ ୧୯ ତାରିଖ ମଧ୍ୟରେ ଘଟିଛି। ଏହି ସମୟରେ ଭିତରେ ବ୍ୟାଙ୍କ ପ୍ରବନ୍ଧକ ନିଜର ଅନଲାଇନ ଗାର୍ଲଫ୍ରେଣ୍ଡକୁ ୫.୭ କୋଟି ଟଙ୍କା ପଠାଇଥିଲେ। ଜେରା ସମୟରେ ପ୍ରବନ୍ଧକ ଶଙ୍କର ଦାବି କରିଥିଲେ ଯେ, ସାଇବର ଅପରାଧୀ ତାଙ୍କୁ ଏକ ଡେଟିଂ ଆପ୍ ବ୍ୟବହାର କରିବାର ପ୍ରଲୋଭନ ଦେଇଥିଲେ। ପୋଲିସ ମଧ୍ୟ ଏହାର ଯାଞ୍ଚରେ ଜୁଟିଛି।
ପୋଲିସ ଅନୁଯାୟୀ, ବ୍ୟାଙ୍କର ଜଣେ ମହିଳା ଗ୍ରାହକ ୭୫ ଲକ୍ଷ ଟଙ୍କାର ଲୋନ୍ ପାଇଁ ୧.୩ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ଜମା କରିଥିଲେ। ଏନେଇ ମହିଳା ନିଜର ସମସ୍ତ ଦସ୍ତାବିଜ ଦେଇଥିଲେ। ପରେ ମ୍ୟାନେଜରଙ୍କ କହିବା କ୍ରମେ ସହଯୋଗୀ କର୍ମଚାରୀ ଦସ୍ତାବିଜର ଦୁରୁପଯୋଗ କରି ଉକ୍ତ ଫିକ୍ସ ଡିପୋଜିଟକୁ ସିକ୍ୟୁରିଟି ଭାବେ ବ୍ୟବହାର କରିଥିଲେ। ଅନେକ କିସ୍ତି ଜରିଆରେ ଓଭରଡ୍ରାଫ୍ଟ ରୂପେ ୫.୭ କୋଟି ଟଙ୍କା ଜାରି କରିଥିଲେ।
ଖୁଲାସା ପରେ ଜଣା ପଡିଥିଲା ଯେ, ସବୁ ଟଙ୍କା ୧୩୬ ଟ୍ରାଞ୍ଜେକ୍ସନରେ ପଶ୍ଚିମବଙ୍ଗର ଅନେକ ବ୍ୟାଙ୍କର ୨୮ ଖାତା ଏବଂ କର୍ଣ୍ଣାଟକ ସ୍ଥିତ ବ୍ୟାଙ୍କର ଦୁଇଟି ଖାତାରେ ଟଙ୍କା ପଠାଯାଇଛି। ମ୍ୟାନେଜର ନିଜର ଦୁଇ ସହଯୋଗୀଙ୍କୁ ଏହି କାମରେ ଲଗାଇଥିଲେ। ଦୁଇ କର୍ମଚାରୀଙ୍କୁ ସଂପ୍ରତି ଜେରା କରାଯାଉଛି। ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ ଖୋଦ୍ ମ୍ୟାନେଜର ହରିଶଙ୍କର ୧୨.୫ ଲକ୍ଷ ଟଙ୍କା ମଧ୍ୟ ସେହି ଖାତାରେ ଜମା କରିଥିଲେ। ପରେ ଏହି ସବୁ ଆକାଉଣ୍ଟରେ ନେଣଦେଣ ଆଗକୁ ବଢିଥିଲା।