ଭାରତୀୟ ସେନାରେ ବଢ଼ିଲା ମହିଳାଙ୍କ ସମ୍ମାନ, ପ୍ରଥମ ଥର ଏକାଥରେ ୫ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ରାଙ୍କ୍‌

Published By : Prameya-News7 Bureau | August 23, 2021 IST

ନୂଆଦିଲ୍ଲୀ ୨୩/୦୮: ଭାରତୀୟ ସେନାରେ ମହିଳାଙ୍କ ପ୍ରତି ସମ୍ମାନ ଆହୁରି ବୃଦ୍ଧି ପାଇଛି। ଭାରତୀୟ ସେନାରେ ୨୬ ବର୍ଷ ପୂରା ହେବା ପରେ ଲକାଥରେ ୫ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ରାଙ୍କକୁ ପଦୋନ୍ନତି ମିଳିଛି । ଏମିତି ପ୍ରଥମ ଥର ହୋଇଛି ଯେ କୋର ଅଫ ସିଗ୍ନାଲ୍‌, କୋର ଅଫ ଇଲେକଟ୍ରୋନିକ୍ସ ଆଣ୍ଡ ମେକାନିକାଲ୍‌ ଇଞ୍ଜିନିୟର୍ସ ଏବଂ କୋର ଅଫ୍‌ ଇଞ୍ଜିନିୟର୍ସ ସହିତ ଚାକିରୀରେ ଥିବା ମହିଳା ଅଧିକାରୀଙ୍କ କର୍ଣ୍ଣେଲ ପଦବୀ ପାଇଁ ମଞ୍ଜୁରୀ ମିଳିଛି । ପୂର୍ବରୁ କର୍ଣ୍ଣେଲ ପାହ୍ୟା କେବଳ ଆର୍ମି ମେଡିକାଲ୍‌ କୋର, ଜଜ ଆଡଭୋକେଟ୍‌ ଜେନେରାଲ୍‌ ଏବଂ ସେନା ଶିକ୍ଷା କୋରରେ ଥିବା ମହିଳା ଅଧିକାରୀଙ୍କୁ ମିଳୁଥିଲା ।

ଭାରତୀୟ ସେନାର ଅଧିକରୁ ଅଧିକ ଶାଖାରେ ପ୍ରମୋସନ୍‌ ରାସ୍ତା ବିସ୍ତାର ହେଉଥିବାରୁ ମହିଳାମାନଙ୍କ ପାଇଁ ଏହା ଭଲ ସୁଯୋଗ। ଭାରତୀୟ ସେନାରେ ଅଧିକରୁ ଅଧିକ ମହିଳା ଯୋଗ ଦେବା ପାଇଁ ଏହା ଏକ ମଧ୍ୟ ଅଭିନବ ଉପାୟ। ଭାରତୀୟ ସେନାରେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ବ ଦିଆଯାଉଥିବା ମଧ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି।

 କର୍ଣ୍ଣେଲ ପାହ୍ୟା ପାଇଁ ମନୋନୀତ ୫ ଜଣ ମହିଳା ଅଧିକାରୀ- ସିଗ୍ନାଲ କୋରରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ସଙ୍ଗୀତା ସରଦାନା, ଇଏମଇ କୋରରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନିଆ ଆନନ୍ଦ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ନବନୀତ ଦୁଗ୍ଗଲ ଓ ରୀନୁ ଖାନ୍ନା। ଏହା ସହ ଇଞ୍ଜିନିୟର କୋରରୁ ଲେଫନାଣ୍ଟ କର୍ଣ୍ଣେଲ ରିଚା ସାଗର ସାମିଲ ଅଛନ୍ତି ।

ଏହା ପୂର୍ବରୁ  ନ୍ୟାସନାଲ୍‌ ଡିଫେନ୍ସ  ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ଝିଅମାନଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । ୫ ସେପ୍ଟେମ୍ବରରେ ହେବାକୁ ଯାଉଥିବା ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.