ଲଦାଖ ସୀମାରେ ୩ ବଜ୍ର ତୋପ ମୁତୟନ କଲା ଭାରତ, ଡ୍ରାଗନ୍‌କୁ ଚେକ୍‌ ଦେବାକୁ ହେଉଛି କି ପ୍ରସ୍ତୁତି ?

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ, ୧୮/୦୨: ଭାରତ-ଚୀନ୍‌ ମଧ୍ୟରେ ନଅ ମାସ ଧରି ତିକ୍ତତା ଲାଗି ରହିଥିବା ବେଳେ କିଛିଦିନ ହେବ ଏଥିରେ ହ୍ରାସ ପାଇଛି । ପାଙ୍ଗୋଙ୍ଗ ସୋର ଉଭୟ ପାର୍ଶ୍ୱରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ରାଜି ହୋବାପରେ ଏହି ତିକ୍ତତା ଶାନ୍ତ ପଡ଼ିଥିଲା । ଉଭୟ ଦେଶର ସୈନିକ ନିଜ ନିଜର ତୋପ ସହିତ ପଛକୁ ଫେରି ଆସୁଛନ୍ତି ଏବଂ ସେହି ଅଞ୍ଚଳ ଖାଲି ହୋଇଯାଉଛି। ଏସବୁ ମଧ୍ୟରେ ଭାରତ ପୁଣି ତୋପ ନିୟୋଜନ ଆରମ୍ଭ କରିଛି। ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ, ନିକଟରେ ୧୦୦କେ -୯ ବଜ୍ର ତୋପ ଅର୍ଡର କରିଛନ୍ତି ।

ସେଥିମଧ୍ୟରୁ ତିନୋଟି ଲଦାଖରେ ପରୀକ୍ଷା ପାଇଁ ନିୟୋଜିତ ହୋଇଛି। ଯେଉଁ ସମୟରେ ଦୁଇ ଦେଶର ସମ୍ପର୍କରେ ପୁଣିଥରେ କିଛି ମାତ୍ରାରେ ସୁଧାର ଆସିଛି, ସେହି ସମୟରେ ତୋପଗୁଡିକୁ ପୂର୍ବ ଲଦାଖକୁ ପଠାଯାଇଛି । ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ହେବାର ପ୍ରକ୍ରିୟା ବାକି ରହିଛି, ଯାହା ଆଗାମୀ ସମୟରେ ଆଲୋଚନା ହେବ ବୋଲି କୁହାଯାଇଛି ।

ସରକାରଙ୍କର ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଗତକାଲି (ବୁଧବାର) ଲେହକୁ ତିନୋଟି ତୋପ ପଠାଯାଇଥିଲା, ପରେ ସେମାନଙ୍କୁ ଉଚ୍ଚ ବେସରେ ପରୀକ୍ଷା ପାଇଁ ନିୟୋଜିତ କରାଯାଇଥିଲା । ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଆବଶ୍ୟକ ପଡ଼ିବା ସମୟରେ ଶତ୍ରୁମାନଙ୍କ ବିରୁଦ୍ଧରେ ଏହାକୁ ବ୍ୟବହାର କରାଯାଇପାରିବ କି ନାହିଁ ଦେଖିବା ପାଇଁ ସେନା ଏହି ତୋପଗୁଡ଼ିକୁ ପରୀକ୍ଷା କରିବ । ଚୀନ୍‌ ସୈନିକଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ଭାରତୀୟ ସେନାଙ୍କ ପାଇଁ ପାହାଡ଼ିଆ ଅଞ୍ଚଳରେ ସ୍ୱୟଂ ଚାଳିତ ହ୍ୱାଇଜର୍ସ ସହିତ ଦୁଇରୁ ତିନି ଅତିରିକ୍ତ ରେଜିମେଣ୍ଟ ଲାଗି ଆଦେଶ ଦେବା ଉପରେ ପ୍ରତିରକ୍ଷା ବିଭାଗ ବିଚାର କରିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.