ଚେତାଇ ଦେଲେ ସ୍ଥଳ ସେନା ମୁଖ୍ୟ, କହିଲେ- ଦେଶର ସୀମାରେ ବଡ଼ ବିପଦ, ଅନୁପ୍ରବେଶ ପାଇଁ ଆତଙ୍କବାଦୀ କରୁଛନ୍ତି ପ୍ରୟାସ
28/11/2020 at 10:56 PM

ନୂଆଦିଲ୍ଲୀ ୨୮/୧୧: ଦେଶ ପାଇଁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଉଛି। ଜାମ୍ମୁକାଶ୍ମୀରରେ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେବା ପାଇଁ ସୀମା ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ। ଏନେଇ ଚେତାବନୀ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଏମଏମ ନରଓ୍ବାଣେ।
ଏକ ସାମ୍ବାଦିକ ସମ୍ମଳନୀରେ ନରଓ୍ବାଣେ କହିଛନ୍ତି, ‘ଦେଶର ପଶ୍ଚିମ ସୀମାରେ ବର୍ତ୍ତମାନ ପରିସ୍ଥିତିରେ ଆତଙ୍କବାଦ ଏବେ ଗମ୍ଭୀର ରୂପ ଧାରଣ କରିଛି। ବହୁ ପ୍ରଚେଷ୍ଟା ପରେ ବି ଆତଙ୍କବାଦ କମ୍ ହେବାର ନାଁ ନେଉନାହିଁ। ନିୟନ୍ତ୍ରଣ ରେଖା (ଏଲଓସି)ରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଅଛି। ସାମାନ୍ୟ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଆତଙ୍କବାଦୀ ଚେଷ୍ଟା ଚଳାଇଛନ୍ତି।’
ଥଣ୍ଡା ପଡ଼ିବା ପରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସୀମାରେ ବରଫ ସ୍ତର ଅଧିକ ହୋଇଯିବାରୁ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ପାଇଁ କଷ୍ଟସାଧ୍ୟ ହେଉଛି। କିନ୍ତୁ ଘାଟିର ଦକ୍ଷିଣ ପାର୍ଶ୍ବରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ତେବେ ତଳିଆ ଅଞ୍ଚଳ ଦେଇ ଆତଙ୍କବାଦୀ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା ଚଳାଉଥିବା ବେଳେ ସୁଡ଼ଙ୍ଗ ବି କରୁଥିବା ନରଓ୍ବାଣେ କହିଛନ୍ତି।
ଆଜି ଦେଶ ମଜଭୁତ ଭାବେ ଲଢ଼େଇ ଜାରି ରଖିଛି। କିଛି ଘରୋଇ ଓ କିଛି ବାହାର ଶତ୍ରୁଙ୍କ ସହ ଲଢ଼େଇ ଜାରି ରହିଛି। ଦେଶର ରକ୍ଷା କ୍ଷେତ୍ରରେ ସଶସ୍ତ୍ର ବଳ ଦୃଢ଼ ଭାବେ କାର୍ଯ୍ୟ କରୁଛି। ସବୁ କିଛି ବିଫଳ ହୋଇପାରେ କିନ୍ତୁ ସେନା ନୁହେଁ। ଯୁଦ୍ଧରେ ରନର୍ସଅପ୍ ନଥାଏ। ସବୁ ପରିସ୍ଥିତିରେ ଦେଶ ସେନା ଉପରେ ଭରସା କରିଥାଏ ବୋଲି ମଧ୍ୟ ଏମ ଏମ ନରଓ୍ବାଣେ କହିଛନ୍ତି।