ଆମେରିକା ସରକାରରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ; ବାୟୁସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ହେବେ ରବି ଚୌଧୁରୀ
16/03/2023 at 6:48 PM

ୱାଶିଂଟନ ଡିସି: ଆମେରିକା ସରକାର ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ଭାରତୀୟଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ଆମେରିକାର ଦ୍ୱିତୀୟ ସର୍ବୋଚ୍ଚ ପଦବି ଉପରାଷ୍ଟ୍ରପତି ପଦରେ ଜଣେ ଭାରତୀୟ ବଂଶୋଦ୍ଭବ କମଲା ହେରିସ ରହିଥିବା ବେଳେ ବଡ଼ ବଡ଼ କମ୍ପାନୀଗୁଡ଼ିକର ସିଇଓ ମଧ୍ୟ ଭାରତୀୟ ହିଁ ରହିଛନ୍ତି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁତ୍ୱଦାୟିତ୍ୱ ଦିଆଯିବ।
ଆମେରିକା ବାୟୁସେନାର ଆସିଷ୍ଟାଣ୍ଟ ସେକ୍ରେଟେରୀ ଭାବେ ନିଯୁକ୍ତ ହେବେ ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀ। ଗତକାଲି ଆମେରିକା ସଂସଦ ସିନେଟ୍ରେ ଏନେଇ ହୋଇଥିବା ନିର୍ବାଚନରେ ରବି ଅଧିକ ଭୋଟ ପାଇ ବିଜୟୀ ହେବା ପରେ ବାୟୁସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ନିଯୁକ୍ତି ପକ୍କା ହୋଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନର ଶୀର୍ଷ ପଦବି ମଧ୍ୟରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦବି। ରବି ପ୍ରଥମ ଭାରତୀୟ ଆମେରିକୀୟ ଭାବେ ଏହି ପଦରେ ନିଯୁକ୍ତ ହେବ।
ବୁଧବାର ଏନେଇ ସିନେଟ୍ରେ ଭୋଟିଂ ହୋଇଥିଲା। ରବିଙ୍କ ସମର୍ଥନରେ ୬୫ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୨୯ ଭୋଟ୍ ପଡ଼ିଥିଲା। ବିରୋଧୀ ଦଳ ବି ରବିଙ୍କୁ ଭୋଟ୍ ଦେଇଥିଲେ। ତାଙ୍କୁ ମିଳିଥିବା ୬୫ ଭୋଟ୍ ମଧ୍ୟରୁ ବିରୋଧୀ ରିପବ୍ଲିକ୍ ପାର୍ଟିର ୧୨ରୁ ଅଧିକ ଭୋଟ୍ ରହିଛି।
ସୂଚନା ଥାଉକି ରବି ଆମେରିକାର ପୂର୍ବତନ ବାୟୁସେନା ଅଫିସର। ବାୟୁସେନାରେ ଥିବା ବେଳେ ସେ ଅନେକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ଏବେ ବାୟୁସେନାର ସହାୟକ ମନ୍ତ୍ରୀ ନିର୍ବାଚିତ ହେବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ରବି ଚୌଧୁରୀଙ୍କ ସମ୍ପର୍କରେ…
ବାୟୁସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ନିର୍ବାଚିତ ହେବା ପୂର୍ବରୁ ରବି ଆମେରିକାର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ପରିବହନ ବିଭାଗରେ ସେ ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେଠାରେ ସେ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ(ଏଫ୍ଏଫ୍ଏ)ରେ ଅଫିସ୍ ଅଫ କମର୍ଶିଆଲ୍ ସ୍ପେସ୍ର ଆଡ୍ଭାନ୍ସ ପ୍ରୋଗ୍ରାମ ଏଣ୍ଡ ଇନୋଭେସନର ନିର୍ଦ୍ଦେଶକ ଥିଲେ। ଏଫ୍ଏଫ୍ଏରେ ବାଣିଜ୍ୟିକ ମହାକଶ ପରିବହନ ମିଶନର ଉନ୍ନତ ବିକାଶ ଏବଂ ଅନୁସନ୍ଧାନ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ଭାଳୁଥିଲେ।
ସେ ବାୟୁସେନାର ଦକ୍ଷ ପାଇଲଟ୍
୧୯୯୩ରୁ ୨୦୧୫ ପର୍ଯ୍ୟନ୍ତ ଆମେରିକା ବାୟୁସେନାରେ ନିଜର ଚାକିରି କାଳ ଭିତରେ ରବି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଅଭିଯାନକୁ ସଫଳ ରୂପେ ସମ୍ପାଦନ କରିଛନ୍ତି। ସି-୧୭ ପାଇଲଟ ହିସାବରେ ରବି ଆଫଗାନିସ୍ତାନ ଓ ଇରାକରେ ଅନେକ ଯୁଦ୍ଧ ଅଭିଯାନ ସହ ବିଶ୍ୱସ୍ତରରେ ଅଭିଯାନର ସଫଳରୂପାୟନ କରିଥିଲେ।