ପାକିସ୍ତାନ ବାୟୁ ସୀମା ଦେଇ ତୁର୍କୀ ଯିବନାହିଁ ଭାରତୀୟ ବାୟୁ ସେନାର ବିମାନ: ସ୍ପଷ୍ଟୀକରଣ ରଖିଲେ ଆଇଏଏଫ ଅଧିକାରୀ
7/02/2023 at 11:03 PM

ନୂଆଦିଲ୍ଲୀ, ୦୭/୦୨: ଭୟଙ୍କର ଭୂମିକମ୍ପ ଯୋଗୁଁ ଗୁରୁତର ଭାବରେ ପ୍ରଭାବିତ ହୋଇଛି ତୁର୍କୀ ଏବଂ ସିରିୟାରେ । ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଅନେକ ଆହତ ହୋଇଛନ୍ତି। ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। ସେପଟେ ଭାରତ ତୁର୍କୀ ଏବଂ ସିରିୟା ପାଇଁ ଭୂମିକମ୍ପ ସହାୟତା ଯୋଗାଇଛି।
ତେବେ ଏହାରି ମଧ୍ୟରେ ଖବର ଆସିଥିଲା ଯେ ତୁର୍କୀ ଏବଂ ସିରିୟା ପାଇଁ ରିଲିଫ୍ ନେଉ ଯାଉଥିବା ଭାରତୀୟ ସେନାର ମିଲିଟାରୀ ବିମାନକୁ ପାକିସ୍ତାନ ନିଜର ବାୟୁ ସୀମା ଦେଇ ଯିବାକୁ ମନା କରିଛି। ଯାହାକୁ ନେଇ ଏବେ ସ୍ପଷ୍ଟୀକରଣ ରଖିଛନ୍ତି ଆଇଏଏଫ ଅଧିକାରୀ। ପ୍ରକୃତରେ ଏସପି ଯୋଗୁଁ ଭାରତର ବିମାନ ପାକିସ୍ତାନ ବାୟୁ ସୀମା ଦେଇ ଯିବନାହିଁ।
‘‘ଆମର ଏୟାରକ୍ରାଫ୍ଟ ଏସଓପି ଅନୁପାଳନ କରିବା ସହ ପାକିସ୍ତାନ ମାର୍ଗ ଦେଇ ଯିବନାହିଁ ବରଂ ଲମ୍ବା ରାସ୍ତା ଦେଇ ଗୁଜରାଟ ପାର୍ଶ୍ବରୁ ୟୁରୋପ ଏବଂ ପଶ୍ଚିମ ଏସିଆ ଯିବ’’ ବୋଲି କହିଛନ୍ତି ଆଇଏଏଫ୍ର ଅଧିକାରୀ। ତେବେ ପାକିସ୍ତାନ ଏହାର ବାୟୁମାର୍ଗ ଦେଇ ତୁର୍କୀ ଏବଂ ସିରିୟାକୁ ସହାୟତା ପଠାଇବାକୁ ବିରୋଧ କରିବା ନେଇ ଘଟଣା ସାମ୍ନାକୁ ଆସିବା ପରେ ଏହି ସ୍ପଷ୍ଟୀକରଣ ରଖାଯାଇଛି।
ସୂଚନାଥାଉ, ଏହି ଦୁଇ ଦେଶ ଭୂମିକମ୍ପ ଯୋଗୁଁ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ଏଥିରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି ଏବଂ ହଜାର ହଜାର ଆହତ ହୋଇଛନ୍ତି।
ଭାରତୀୟ ସେନାର ଆଇଏଏଫ୍ ସି-୧୭ ଗ୍ଲୋବମେଟର ଏୟାରକ୍ରାଫ୍ଟ ଜରିଆରେ ରିଲିଫ୍ ସାମଗ୍ରୀର ପ୍ରଥମ ବ୍ୟାଚ୍ ଏବଂ ଅଧିକାରୀ ତୁର୍କୀରେ ପହଞ୍ଚିସାରିଛନ୍ତି । ଭାରତୀୟ ସେନା ଏହାର ଏକ ୩୦ ବେଡ୍ ଫିଲ୍ଡ ହସ୍ପିଟାଲ୍ ଏବଂ ୯୯ ମେଡିକାଲ୍ ଟିମ୍କୁ ପଠାଇଛି। ସେହିଭଳି ଦ୍ବିତୀୟ ସି-୧୭ ବିମାନରେ ଏନଡିଆରଏଫ୍ ଟିମ୍, ଡଗ୍ ସ୍କ୍ବାଡ୍, ଉଦ୍ଧାର ପାଇଁ ବ୍ୟବହୃତ ହେବାକୁ ଥିବା ସାମଗ୍ରୀ ଇତ୍ୟାଦି ରହିଥିବା ନେଇ କହିଛନ୍ତି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ।