ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ, ୧୨|୦୮: ଭାରତୀୟ ଦଳ ଶୀଘ୍ର ଜିମ୍ବାଓ୍ୱେ ଗସ୍ତ କରିବ । ଦଳ ଏଠାରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । ଜିମ୍ବାଓ୍ୱେକୁ ହାଲୁକା ଭାବେ ନେବା ଭାରତୀୟ ପ୍ରଶଂସକ ଓ ଦଳର ଖେଳାଳିଙ୍କ ପାଇଁ ସାଧାରଣ କଥା । କିନ୍ତୁ ଭାରତ ବିପକ୍ଷରେ ଖେଳିବା ପୂର୍ବରୁ ଜିମ୍ବାଓ୍ୱେ ଦଳ ନିଜର ଦମ୍ ଦେଖାଇଛି । ଯାହା ଟିମ୍ ଇଣ୍ଡିଆ ପାଇଁ ବିପଦ ଘଣ୍ଟି ସଦୃଶ ଅଟେ ।

ଜିମ୍ବାଓ୍ୱେ ଦୁର୍ବଳ ଦଳ ନୁହେଁ । ଯିଏ ଦୁର୍ବଳ ଭାବିବ ତାହା ବହୁତ ବଡ ଭୁଲ ହୋଇପାରେ ବୋଲି ଜିମ୍ବାଓ୍ୱେ ପ୍ରମାଣିତ କରିସାରିଛି । କାରଣ ଦଳ ନିକଟରେ ଲଗାତର ତିନୋଟି ସିରିଜ୍ ଜିତିଛି । ଏଥିରେ ଦୁଇଟି ଟି୨୦ ଓ ଗୋଟିଏ ଦିନିକିଆ ରହିଛି । ପ୍ରଥମ ଥର ପାଇଁ ଦଳ ଲଗାତର ସିରିଜ୍ ବିଜୟୀ ହୋଇଛି । ପ୍ରଥମେ ଟି୨୦ ବିଶ୍ୱକପ୍ ପାଇଁ କ୍ୱାଲିଫାୟର ଓ ପରେ ବାଂଲାଦେଶକୁ ଦଳ ଦିନିକିଆ ଓ ଟି୨୦ ସିରିଜରେ ମାତ୍ ଦେଇଛି ।

ଉଭୟ ସିରିଜରେ ଦଳ ପାଇଁ ହିରୋ ଥିଲେ ଷ୍ଟାର୍ ଅଳରାଉଣ୍ଡର ସିକନ୍ଦର ରଜା । ସେ କ୍ୱାଲିଫାୟର ଫାଇନାଲରେ ନେଦରଲାଣ୍ଡ ବିପକ୍ଷରେ ୮ ରନ୍ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଏହାପରେ ବାଂଲାଦେଶ ବିପକ୍ଷ ଦୁଇଟି ସିରିଜରେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।

ସୂଚନାଯୋଗ୍ୟ, ଭାରତ ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଜିମ୍ବାଓ୍ୱେ ବିପକ୍ଷ ଦିନିକିଆ ସିରିଜ୍ ଖେଳିବ । ସବୁ ମ୍ୟାଚ୍ ରାଜଧାନୀ ହରାରେରେ ଖେଳାଯିବ । ଅଗଷ୍ଟ ୧୮ରୁ ସିରିଜ୍ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.