ଶେଷ ଟି-୨୦ରେ ଚମକିଲେ ସୂର୍ଯ୍ୟ, ରାଜକୋଟ୍ରେ ବିଶାଳ ବିଜୟ ସହ ୨-୧ରେ ସିରିଜ୍ ଜିତିଲା ଭାରତ
7/01/2023 at 10:16 PM

ରାଜକୋଟ୍: ରାଜକୋଟ୍ ଟି-୨୦ରେ ଭାରତର ବିଶାଳ ବିଜୟ। ସୂର୍ଯ୍ୟକୁମାର ଯାଦବଙ୍କ ଶତକ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଭାରତ ରାଜକୋଟ୍ରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍କୁ ଏକତରଫା ଭାବେ ୯୧ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୧୨୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୨୮ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୬.୪ ଓଭରରେ ୧୩୭ ରନରେ ଅଲଆଉଟ୍ ହୋଇଛି। ଭ୍ରମଣକାରୀ ଦଳର ଜଣେ ହେଲେ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୨୦ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଟି-୨୦ରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ଟି-୨୦କୁ ଜିତି ଶ୍ରୀଲଙ୍କା ଶୃଙ୍ଖଳାକୁ ବରାବର ସ୍ଥିତିକୁ ଆଣିଥିଲା। ତେବେ ଶେଷ ଟି-୨୦କୁ ସହଜରେ ଜିତି ନେଇଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଫାଇନାଲ୍ ମ୍ୟାଚ୍ରେ ଶତକୀୟ ଇନିଂସ ଖେଳିଥିବ ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜ୍ରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଅକ୍ଷର ପଟେଲ୍ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି।
୨୨୯ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଶ୍ରୀଲଙ୍କାର ଦୁଇ ଓପନର ପାଥୁମ ନିଶଙ୍କା ଏବଂ କୁଶଲ ମେଣ୍ଡିସ ୪୪ ରନ ଯୋଡିଥିଲେ। କୁଶଲ ମେଣ୍ଡିସ(୨୩)ଙ୍କ ଆଉଟ୍ ପରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଧନଞ୍ଜୟ ଡି ସିଲଭା(୨୨), ଚରିଥ ଅସଲଙ୍କା(୧୯) ଏବଂ ଦାସୁନ ଶନାଙ୍କା(୨୩)ଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଦଳର କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ଶେଷରେ ଶ୍ରୀଲଙ୍କା ୧୬.୪ ଓଭରରେ ୧୩୭ ରନ କରି ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୦ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନରେ ୨, ଉମରାନ ମଲିକ ୩୧ ରନରେ ୨ ଏବଂ ୟୁଜବେନ୍ଦ୍ର ଚହଲ ୩୦ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଭାରତୀୟ ଇନିଂସ
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତକୁ ଇଶାନ କିଷନ(୧)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଶୁବମାନ ଗିଲ୍ ଏବଂ ରାହୁଲ ତ୍ରିପାଠୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡିଥିଲେ। ବିଶେଷ କରି ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୬ ବଲ୍ରୁ ୩୫ ରନ କରି ପାଭିଲିୟନ ଫେରିଥିଲେ। ତେବେ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଖାସ୍ କରି ସୂର୍ଯ୍ୟକୁମାର ଯାଦବ ନିଜର ଚିରାଚରିତ ଶୈଳୀରେ ଧୂଆଁଧାର ବ୍ୟାଟିଂ କରି ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା ବର୍ଷା କରିଥିଲେ। ସେ ଗିଲ୍ଙ୍କ ସହ ତୃତୀୟ ଓ୍ଵିକେଟ୍ ପାଇଁ ୧୧୧ ରନ ଯୋଡି ୧୪୩.୪ ଓଭରରେ ଦଳର ସ୍କୋରକୁ ୧୬୩ରେ ପହଞ୍ଚାଇଥିଲେ। ଗିଲ୍ ୪୬ ରନ କରି ଆଉଟ୍ ହୋଇଥିଲେ।
ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ଶତକ ଅର୍ଜନ କରିଛନ୍ତି। ଏଥିସହ ୨୦୨୩ର ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ଭାବେ ଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀପକ ହୁଡ୍ଡା ପ୍ରତ୍ୟେକ ୪ ରନ ଲେଖାଏଁ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଶତକୀୟ ଇନିଂସ ଖୈଳି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସେ ମାତ୍ର ୫୧ ବଲ୍ରୁ ୭ ଚୌକା ଏବଂ ୯ ଛକା ସହ ୧୧୨ ରନ କରିଥିଲେ। ଅକ୍ଷର ପଟେଲ୍ ୯ ବଲ୍ରୁ ୪ ଚୌକା ସହ ୨୧ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ସୂର୍ଯ୍ୟଙ୍କ ଶତକ ବଳରେ ଭାରତ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିପାରିଥିଲା।