ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ସିରିଜ୍ ୩-୦ରେ କ୍ଲିନସୁଇପ୍

Published By : Prameya-News7 Bureau | January 24, 2023 IST

ଇନ୍ଦୋର: ଏଠାରେ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଭାରତ ୯୦ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି। ଶୁବମାନ୍ ଗିଲ୍ ଏବଂ ରୋହିତ ଶର୍ମାଙ୍କ ଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଭାରତ ସହଜ ବିଜୟ ହାସଲ କରିଛି। ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ଗିଲ୍‌ଙ୍କ ୧୧୨ ଏବଂ ରୋହିତଙ୍କ ୧୦୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୩୮୫ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ୧୩୮ ରନର ଶତକୀୟ ଇନିଂସ ସହାୟତାରେ ୪୧.୨ ଓଭରରେ ୨୯୫ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ଶାର୍ଦ୍ଦୁଳ ଠାକୁର ଏବଂ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି।

୩୮୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଦଳ ଖାତା ଖୋଲିବା ପୂର୍ବରୁ ଫିନ୍ ଆଲେନ ପାଭିଲିୟନ ଫେରିଥିଲେ। ତେବେ ଡେଭନ କନଓ୍ଵେ ଏବଂ ହେନରି ନିକୋଲାସ ଦୃଢତାର ସହ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୬ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଭଲ ବ୍ୟାଟିଂ କରୁଥିବା ନିକୋଲାସ ୪୨ ରନ କରି ଆଉଟ୍ ହେବା ନ୍ୟୁଜିଲାଣ୍ଡକୁ ବଡ ଝଟକା ଲାଗିଥିଲା।ଏହା ପରେ ଡାରିଲ ମିଚେଲଙ୍କୁ ସହିତ ଡେଭନ କନଓ୍ଵେ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ। ୧୮୪ ରନ ସ୍କୋରରେ ମିଚେଲ୍(୨୪) ଆଉଟ୍ ହୋଇଥିଲେ।

ଗୋଟିଏ ପଟେ କନଓ୍ଵେ ଇନିଂସ ସମ୍ଭାଳି ଥିବା ବେଳେ ଅନ୍ୟ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। କନଓ୍ଵେ ଦମଦାର ଶତକ ଅର୍ଜନ କରିବା ସହ  ନ୍ୟୁଜିଲାଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଅଧିନାୟକ ଟମ୍ ଲାଥମ(୦) ଦଳକୁ ନିରାଶ କରିଥିଲେ। ଗ୍ଲେନ ଫିଲିପ୍ସ(୫) ପାଭିଲୟନ ଫେରିଥିଲେ। ତେବେ କନଓ୍ଵେ ଆଉଟ୍ ହେବା ଦଳର ବିଜୟ ଆଶାକୁ ଶକ୍ତ ଧକ୍କା ଲାଗିଥିଲା। କନଓ୍ଵେ ୧୦୦ ବଲ୍‌ରୁ ୧୨ ଚୌକା ଏବଂ ୩ ଛକା ସହ ୧୩୮ ରନର ଦମଦାର  ପାଳି ଖେଳିଥିଲେ।

ଏହା ପରେ ମାଇକେଲ୍ ବ୍ରେସଓ୍ଵେଲ୍ ଏବଂ ମିଚେଲ୍ ସାଣ୍ଟନର ଦଳ ପାଇଁ କିଛି ସମୟ ବିଜୟ ଆଶା ସଞ୍ଚାର କରିଥିଲେ।  ତେବେ ବ୍ରେସଓ୍ଵେଲ ୨୬ ରନ କରି ପାଭିଲିୟନ ଫେରିଥିଲେ। ମିଚେଲ୍ ସାଣ୍ଟରନ ୩୪ ରନ କରି ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ଏଥିସହ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନରେ ଅଲଆଉଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.