ବୋଲରଙ୍କ ଘାତକ ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ, ସହଜ ବିଜୟ ସହ ସିରିଜ୍ ଜିତିଲା ଭାରତ
21/01/2023 at 6:33 PM

ରାୟପୁର: ବୋଲରଙ୍କ ଘାତକ ବୋଲିଂ ବଳରେ ରାୟପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ୮ ଓ୍ଵିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ନ୍ୟୁଜିଲାଣ୍ଡ ୩୪.୩ ଓଭରରେ ୧୦୮ ରନରେ ଅଲଆଉଟ୍ ହୋଇଥିଲା। ଗ୍ଲେନ ଫିଲିପ୍ସ ସର୍ବାଧିକ ୩୬ ରନ କରିଥିବା ବେଳେ ମିଚେଲ୍ ସାଣ୍ଟନର ୨୭ ରନ କରିଥିଲେ। ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୧ ରନ ବଳରେ ୨୦.୧ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁବମାନ ଗିଲ୍ ୪୦ ରନର ଅପରାଜିତ ପାଳି ଖେଳିଛନ୍ତି। ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

୧୦୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ଶର୍ମା ୫୦ ବଲ୍ରେ ୭ ଚୌକା ଏବଂ ୨ ଛକା ସହ ୫୧ ରନ କରିଥିଲେ। ବିରାଟ କୋହଲି ୧୧ ରନ କରି ବିଦାୟ ନେଇଥିଲେ। ଶୁବମାନ ଗିଲ୍ ୪୦ ରନ ଏବଂ ଇଶାନ କିଷନ ୮ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ଭାରତ ୨୦.୧ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରିଛି।
ଏ ଖବର ପଢନ୍ତୁ- ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ପୂଜାରାଙ୍କ ହୁଙ୍କାର, ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ପୂରା କଲେ ୧୨ ହଜାର ରନ
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ବୋଲରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କିଓ୍ୱି ବ୍ୟାଟର । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିକ୍ସ ସର୍ବାଧିକ ୩୬ ରନ୍ କରିଥିବା ବେଳେ ମିଚେଲ୍ ବ୍ରେସଓ୍ୱେଲ୍ ୨୨ ରନ୍, ମେଚଲ୍ ସାଣ୍ଟନର ୨୭ ରନ୍ କରିଛନ୍ତି । ବାକି ଆଉ କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ବି ଛୁଇଁପାରିନଥିଲେ ।
ସେପଟେ ଭାରତୀୟ ବୋଲର ମଧ୍ୟରେ ସର୍ବାଧିକ ଓ୍ୱିକେଟ୍ ମହମ୍ମଦ ଶାମି ନେଇଛନ୍ତି । ସେ ୬ ଓଭର ବୋଲିଂ କରି ୧୮ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଛନ୍ତି। ତାଙ୍କ ପଛକୁ ଓ୍ୱାସିଂଟନ୍ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ତାପରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।