Ind vs SA T20I: ୮ ୱିକେଟରେ ଜିତିଲା ଭାରତ, ରାହୁଲ ଓ ସୂର୍ଯ୍ୟଙ୍କ ଜବରଦସ୍ତ ଅର୍ଦ୍ଧଶତକ

Published By : Prameya-News7 Bureau | September 28, 2022 IST

ଥିରୁଭନନ୍ତପୁରମ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍‌ର ପ୍ରଥମ ମ୍ୟାଚକୁ ସହଜରେ ଜିତି ନେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୭ ରନ୍‌ ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକା। ଯାହାର ପିଛା କରି ଭାରତ ମାତ୍ର ଦୁଇ ୱିକେଟ୍ ହରାଇ ୧୬.୪ ଓଭର୍‌ରେ ମ୍ୟାଚ୍ ଜିତି ନେଇଛି।

ଭାରତ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୫୧ ରନ୍ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ଅର୍ଦ୍ଧ ଶତକ ହାସଲ କରିଥିଲେ। ରୋହିତ ଖାତା ଖୋଲି ନପାରି ଆଉଟ ହୋଇଥିବା ବେଳେ ବିରାଟ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ।

ଆଜିର ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲାଆଗ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭର ଖେଳି ୧୦୭ ରନ୍‌ର ଟାର୍ଗେଟ୍ ଦେଇଥିଲା। ତେବେ ଏଥିପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ କଡ଼ା ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଭାରତୀୟ ବୋଲରମାନେ ଆଫ୍ରିକା ଟିମ୍‌ର ନିଦ ହଜାଇ ଦେଇଥିଲେ।

ତେବେ ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ ପାଇଁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମଧ୍ୟ  ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ତୃତୀୟ ଓଭର ଚାଲିଥିବା ବେଳେ ରୋହିତ ଶର୍ମାଙ୍କୁ ଆଉଟ ହୋଇଯାଇଥିଲେ। କାଗିସୋ ରାବଡ଼ା ତାଙ୍କୁ ଆଉଟ୍ କରିଦେଇଥିଲେ। ସେହିପରି  ୭ ଓଭର ବେଳକୁ ବିରାଟ କୋହଲିଙ୍କ ୱିକେଟ୍ ଯାଇଥିଲା। ସେ ୯ ବଲ୍ ଖେଳି ମାତ୍ର ୩ ରନ୍ କରିଥିବା ବେଳେ ଏନରିକ୍ ନୋର୍ଟଜେ ତାଙ୍କୁ ଆଉଟ କରିଥିଲେ। ୬ ଓଭର ବେଳକୁ ଭାରତ ମାତ୍ର ୧୭ ରନ୍ କରି ଦୁଇ ୱିକେଟ୍ ହରାଇ ସାରିଥିଲା।

କୋହଲିଙ୍କ ୱିକେଟ୍ ଯିବା ପରେ ତୃତୀୟ ୱିକେଟ୍ ପାଇଁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଲଗାତର ବାଉଣ୍ଡ୍ରୀ ଲଗାଇ ରନ୍‌କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କେ ଏଲ୍ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିବା ବେଳେ ୧୦ ଓଭର ବେଳକୁ ଦଳର ସ୍କୋର ୨ ୱିକେଟ୍ ବିନିମୟରେ ୪୭ ହୋଇଥିଲା। ମ୍ୟାଚ୍‌ ଜିତିବାକୁ ୬୦ ବଲ୍‌ରେ ୬୦ ରନ୍‌ର ଆବଶ୍ୟକତା ପଡ଼ୁଥିଲା।

ଗୋଟିଏ ପଟେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିବାକୁ ଚେଷ୍ଟା କରୁଥିବା ବେଳେ ରାହୁଲ ରକ୍ଷଣାତ୍ମକ ଶୈଳୀରେ ଖେଳ ଜାରି ରଖିଥିଲେ। ୧୫ ଓଭର ବେଳକୁ ଭାରତ ୯୧ ରନ୍ ସଂଗ୍ରହ କରିପାରି ଥିଲା। ଶେଷ ବେଳକୁ ଉଭୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧ ଶତକ ହାସଲ କରିଥିବା ବେଳେ ରାହୁଲ ଛକ୍କା ମାରି ମ୍ୟାଚ୍ ଜିତାଇଥିଲେ। ଟିମ୍ ଇଣ୍ଡିଆ ମାତ୍ର ୧୬.୪ ବଲ୍‌ରେ ୨ ୱିକେଟ୍ ବିନିୟମରେ ୧୧୦ ରନ୍‌ କରି ମ୍ୟାଚ୍ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ଓ ଏନ୍‌ରିକ୍ ନୋର୍ଟ୍‌ଜେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.