ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶ୍ରେୟସଙ୍କ ଅପରାଜିତ ଶତକ, ଦ. ଆଫ୍ରିକାକୁ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ, ଶୃଙ୍ଖଳା ୧-୧ରେ ବରାବର

9/10/2022 at 9:03 PM

ରାଞ୍ଚି: ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଏବଂ ଇଶାନ କିଷନଙ୍କ ଦର୍ଶନୀୟ ଇନିଂସ ବଳରେ ଏଠାରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟ ହାସଲ କରିଛି। ବିଜୟ ସହ ଭାରତ ପ୍ରତ୍ୟାବର୍ତ୍ତନ କରିବା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ବରାବର ସ୍ଥିତିରେ ଆଣିଛି। ଶ୍ରେୟସ ଆୟରଙ୍କ ଅପରାଜିତ ୧୧୩ ରନ ଏବଂ ଇଶାନ କିଷନଙ୍କ ୯୩ ରନ ବଳରେ ଭାରତ ୨୭୯ ରନର ବିଜୟ ଲକ୍ଷ୍ୟକୁ ୪୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ମାରକ୍ରମଙ୍କ ୭୯ ରନ ଏବଂ ରିଜା ହେଣ୍ଡରିକ୍ସଙ୍କ ୭୪ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୮ ରନ କରିଥିଲା। ଅକ୍ଟୋବର ୧୧ ତାରିଖ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।

୨୭୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୨୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଶିଖର ଧାଓ୍ଵନ(୧୩) ବିଦାୟ ନେଇଥିଲେ। ଭଲ ଆରମ୍ଭ କରିଥିଲେ ହେଁ ଶୁଭମାନ ଗିଲ୍(୨୮) ଲମ୍ବା ଇନିଂସ ଖେଳି ପାରିନଥିଲେ। ଏହା ପରେ ଇଶାନ କିଷନ ଏବଂ ଶ୍ରେୟସ ଆୟର ଚିତ୍ତାକର୍ଷକ ବ୍ୟାଟିଂ କରି ଦଳର ଇନିଂସ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୧୬୧ ରନ ଯୋଡି ଦଳର ବିଜୟ ସହଜ କରିଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଇଶାନ କିଷନ ୭ ରନ ପାଇଁ ପ୍ରଥମ ଦିନିକିଆ ଶତକର ବଞ୍ଚିତ ହୋଇଥିଲେ। ସେ ୮୪ ବଲ୍‌ରୁ ୪ ଚୌକା ଏବଂ ୭ ଛକା ସହ ୯୩ ରନ କରିଥିଲେ।

ଏହା ପରେ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନ ଦଳକୁ ବିଜୟୀ କରାଇଥିଲେ। ଶ୍ରେୟସ ଧୈର୍ଯ୍ୟର ସହ ଚମତ୍କାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ଦ୍ଵିତୀୟ ଶତକ ଅର୍ଜନ କରିଛନ୍ତି। ତାଙ୍କ ଶତକ ବଳରେ ଭାରତ ୪୫.୫ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଆୟର ୧୧୧ ବଲ୍‌ରୁ ୧୫ ଚୌକା ସହ ୧୧୩ ରନ ଏବଂ ସଞ୍ଜୁ ସାମସନ  ୩୦ ରନ କରି ଅପରାଜିତ ଥିଲେ।

ଦକ୍ଷିଣ ଆଫ୍ରିକା ଇନିଂସ

ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ୭ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୫)ଙ୍କୁ ବୋଲ୍ଡ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାନେମନ ମଲାନ ଭଲ ବ୍ୟାଟିଂ କରିଥିଲେ ହେଁ ବ୍ୟକ୍ତିଗତ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ରିଜା ହେଣ୍ଡରିକ୍ସ ଏବଂ ଆଡନ ମାରକ୍ରମ ଭଲ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ହେଣ୍ଡରିକ୍ସ ଏବଂ ମାରକ୍ରମ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୧୨୯ ରନ ଯୋଡିଥିଲେ। ହେଣ୍ଡରିକ୍ସକୁ ଆଉଟ୍ କରି ସିରାଜ ଏହି ଯୋଡି ଭାଙ୍ଗିଥିଲେ। ସେ ୭୬ ବଲ୍‌ରୁ ୯ ଚୌକା ଏବଂ ୧ ଛକା ସହ ୭୪ ରନ କରିଥିଲେ।

ମାରକ୍ରମ ଏବଂ ହେନରିଚ କ୍ଲାସେନ ଚତୁର୍ଥ ଓ୍ଵିକେଟ୍‌ରେ ୪୬ ରନ ଯୋଡି ଦଳର ସ୍କୋରକୁ ୨୧୫ରେ ପହଞ୍ଚାଇଥିଲେ। କ୍ଲାସେନ ଦ୍ରୁତ ବ୍ୟାଟିଂ କରି ୨୬ ବଲ୍‌ରୁ ୩୦ ରନ କରି ଆଉଟ୍ ହୋଇଥିଲେ। ଏହି ସ୍କୋରରେ ମାରକ୍ରମ ମଧ୍ୟ ପାଭିଲିୟନ ଫେରିଥିଲେ। ସେ ୭ ଚୌକା ଏବଂ ୧ ଛକା ସହାୟତାରେ ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଓ୍ଵେନ ପାର୍ଣ୍ଣେଲ ୧୬ ରନ କରିଥିଲେ। ଶେଷ ଆଡକୁ ଡେଭିଡ୍ ମିଲର ୩୫ ରନ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୮ ରନ କରିଛନ୍ତି।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ଶାହବାଜ ଅହମ୍ମଦ ୫୪ ରନ ଦେଇ ୧, ଓ୍ଵାଶିଂଟନ ସୁନ୍ଦର ୬୦ ରନ ଦେଇ ୧, କୁଲଦୀପ ଯାଦବ ୪୯ ରନ ଦେଇ ୧ ଏବଂ ଶାର୍ଦ୍ଦୁଳ ଠାକୁର ୩୬ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।

   Related Posts