Asia Cup: ଶ୍ରୀଲଙ୍କାର ବିଜୟ ରଥ ଉପରେ ବ୍ରେକ୍ ଲଗାଇଲା ଭାରତ, ବୋଲରଙ୍କ ଦମରେ ଫାଇନାଲ୍ରେ ଭାରତ
12/09/2023 at 11:11 PM

କଲୋମ୍ବୋ: ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ବ୍ୟାଟରଙ୍କ ବିଫଳତାକୁ ଭରଣା କଲେ ବୋଲର। ଆଉ ଭାରତକୁ ରୋମାଞ୍ଚକର ମ୍ୟାଚ୍ରେ ବିଜୟୀ କରାଇଲେ। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏସିଆ କପ୍ ସୁପର-୪ର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୪୧ ରନରେ ହରାଇଛି। ସୁପର-୪ରେ କ୍ରମାଗତ ଦ୍ଵିତୀୟ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ଆଉ ଦୁନିଥ ଓ୍ଵେଲାଲାଗେଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବୃଥା ହୋଇଛି। ଏଥିସହ ଶ୍ରୀଲଙ୍କାର ବିଜୟ ରଥ ଉପରେ ବ୍ରେକ୍ ଲଗାଇଛି ଭାରତ। ଏବେ ସେପ୍ଟେମ୍ବର ୧୭ରେ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନ କିମ୍ବା ଶ୍ରୀଲଙ୍କାକୁ ଭେଟିବ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସ୍ପିନରଙ୍କ ଉଚିତ୍ ମୁକାବିଲା କରି ନ ପାରି ୪୯.୧ ଓଭରରେ ୨୧୩ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନ କରିଥିବା ବେଳେ କେଏଲ ରାହୁଲ ୩୯ ରନ ଓ ଇଶାନ କିଷନ ୩୩ ରନ କରିଥିଲେ। ଜବାବରେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଛି। ଦୁନିଥ ଓ୍ଵେଲାଲାଗେ ଅପରାଜିତ ୪୨ ଓ ଧନଞ୍ଜୟ ଡି ସିଲ୍ଭା ୪୧ ରନ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଛନ୍ତି।
୨୧୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କା ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ପଥୁନ ନିଶଙ୍କା(୬)କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମରା। ଦଳୀୟ ସ୍କୋର ୨୫ ରନରେ କୁଶଲ ମେଣ୍ଡିସ(୧୫)ଙ୍କୁ ଆଉଟ୍ କରି ବୁମରା ଶ୍ରୀଲଙ୍କାକୁ ଡବଲ୍ ଝଟକା ଦେଇଥିଲେ। ସେହି ସମାନ ସ୍କୋରରେ ଦିମୁଥ କରୁଣାରତ୍ନେ(୨ରନ) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସଦିରା ସମରବିକ୍ରମା(୧୭ ରନ) କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ଚରିଥ ଅସଲଙ୍କା(୨୨ ରନ) ଭଲ ଆରମ୍ଭ କରିଥିଲେ ହେଁ ଆଉଟ୍ କରିଥିଲେ। ୭୩ ରନରେ ଶ୍ରୀଲଙ୍କା ଅଧା ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ଦାସୁନ ଶନାକା(୯)କୁ ରବୀନ୍ଦ୍ର ଜାଡେଜା ପାଭିଲିୟନର ରାସ୍ତା ଦେଖାଇଥିଲେ।
ଏହା ପରେ ଧନଞ୍ଜୟ ଡି ସିଲଭା ଓ ଦୁନିଥ ଓ୍ଵେଲାଗେଲା ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଉଭୟ ସପ୍ତମ ଓ୍ଵିକେଟ୍ ୬୩ ରନ ଯୋଡ଼ି ଭାରତୀୟ ଶିବିରଙ୍କ ଚିନ୍ତା ବଢାଇଥିଲେ। ୧୬୨ ରନ ସ୍କୋରରେ ଧନଞ୍ଜୟଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡ଼େଜା ଭାରତ ଶିବିରକୁ ଆଶ୍ଵସ୍ତ କରିଥିଲେ। ସିଲଭା ୬୬ ବଲ୍ରେ ୫ ଚୌକା ସହ ୪୧ ରନ କରି ଆଉଟ ହୋଇଥିଲେ। ଏହା ପରେ କୁଲଦୀପ ଯାଦବ କାସୁନ ରଜିଥା(୧) ଓ ମଥିଶା ପଥିରାନା(୦)ଙ୍କୁ ବୋଲ୍ଡ କରି ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୪୩ ରନ ଦେଇ ୪ଟି ଓ୍ଵିକେଟ୍ ଦଖଲ କରି ଭାରତ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରବୀନ୍ଦ୍ର ଜାଡେଜା ୩୩ ରନରେ ୨ଟି ଓ୍ଵିକେଟ୍ ଓ ଯଶପ୍ରୀତ ବୁମରା ୩୦ ରନରେ ୨ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ।
ଭାରତ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଦୁଇ ବ୍ୟାଟର ନିଜ ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତ ଶର୍ମା ଦ୍ରୁତ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୮୦ ରନରେ ଶୁଭମନ ଗିଲ୍(୧୯) ଆଉଟ୍ ହୋଇଥିଲେ।ଏହା ପରେ ଭାରତ ଲଗାତାର ୨ଟି ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚ୍ର ଶତକବୀର ବିରାଟ କୋହଲି(୩) ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। କ୍ରମାଗତ ସୁପର-୪ରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ପାଭିଲିୟନ ଫେରିଥିଲେ। ସେ ୪୮ ବଲ୍ରୁ ୭ ଚୌକା ଓ ୨ ଛକା ସହ ୫୩ ରନ କରିଥିଲେ। ଏହି ତିନି ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ ଓ୍ଵେଲାଲାଗେ।
ଏହା ପରେ ଇଶାନ କିଷନ ଓ କେଏଲ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ିଥିଲେ। କ୍ରିଜରେ ସେଟ୍ ହୋଇ ସାରିଥିବା କେଏଲ ରାହୁଲ ୪୪ ବଲ୍ରୁ ୨ ଚୌକା ଜରିଆରେ ୩୯ ରନ କରି ଆଉଟ୍ ହୋଇଥିଲେ।ତାଙ୍କ ପରେ ଇଶାନ କିଷନ ୩୩ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା(୫) ଓ ରବୀନ୍ଦ୍ର ଜାଡ଼େଜା( ୪) ନିରାଶ କରିଥିଲେ। ଶେଷ ଆଡ଼କୁ ଅକ୍ଷର ପଟେଲ୍ ୨୬ ରନ କରିବାରୁ ଭାରତ ୨୧୩ ରନ କରି ପାରିଛି।
ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଭାବେ ଦୁନିଥ ଓ୍ଵେଲାଲାଗେ ୪୦ ରନ ଦେଇ ୫ ଓ୍ଵିକେଟ୍ ଏବଂ ଅସଲଙ୍କା ମାତ୍ର ୧୮ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି।