Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀଲଙ୍କାର ଅଣ୍ଟା ଭାଙ୍ଗିଲେ ବୋଲର, ଶେଷ ଦିନିକିଆକୁ ୩୧୭ ରନରେ ଜିତିଲା ଭାରତ, ସିରିଜ୍ ୩-୦ରେ କ୍ଲିନ୍ ସୁଇପ୍

15/01/2023 at 7:46 PM

ତିରୁଅନନ୍ତପୁରମ: ଇତିହାସ ରଚିଲା ଭାରତ। ଶ୍ରୀଲଙ୍କା ବିପକ୍ଷ ଦିନିକିଆକୁ ଐତିହାସିକ ରନ ବ୍ୟବଧାନରେ  ଜିତି ନେଇଛି ଦଳ। ଭାରତ ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନର ବିଶାଳ ବ୍ୟବଧାନରେ ହରାଇ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ କ୍ଲିନ ସୁଇପ୍ କରି ନେଇଛି। ଯେଉଁ ପିଚ୍‌ରେ ଭାରତୀୟ ବ୍ୟାଟର ରନ ବର୍ଷା କରିଛନ୍ତି ସେହି ପିଚ୍‌ରେ ଭାରତୀୟ ବୋଲର ସାମ୍ନାରେ ଆତ୍ମ ସମର୍ପଣ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର। ପ୍ରଥମେ ବିରାଟ କୋହଲିଙ୍କ ପ୍ରହାରରେ ଧରାଶାୟୀ ଶ୍ରୀଲଙ୍କା ଦଳ ପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ତିରୁଅନନ୍ତପୁରମର ଗ୍ରୀନଫିଲଡ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୬୬ ରନ ଏବଂ ଶୁବମାନ ଗିଲ୍‌ଙ୍କ ୧୧୬ ରନର ଶତକୀୟ ପାଳି ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୨ ଓଭରରେ ୭୩ ରନ କରି ପାରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ଘାତକ ବୋଲିଂ କରି ୪ ଓ୍ଵିକେଟ୍ ନେଇଛନ୍ତି।

୩୯୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଶ୍ରୀଲଙ୍କାର ସ୍ଥିତି ଦୟନୀୟ ହୋଇ ପଡିଥିଲା। ମହମ୍ମଦ ସିରାଜ ଘାତକ ବୋଲିଂ କରି ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଜଣେ ହେଲେ ସିଂହଳୀ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସ୍ଥିତି ଏମିତି ଥିଲା ଯେ, ୯ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। କୁଲଦୀପ ଯାଦବ ଶ୍ରୀଲଙ୍କା ଇନିଂସର ଅନ୍ତ ଘଟାଇଥିଲେ। ୨୨ ଓଭରରେ ଭ୍ରମଣକାରୀ ଦଳ ୯ ଓ୍ଵିକେଟ୍ ହରାଇ ୭୩ ରନ କରି ପାରିଛି।  ଜଣେ ଖେଳାଳି ଆହତ ହୋଇଥିବାରୁ ଏବଂ ବ୍ୟାଟିଂ କରିବାକୁ ଆସିପାରିନଥିବାରୁ ଶ୍ରୀଲଙ୍କାର ପାଳି ୭୩ ରନରେ ଅନ୍ତ ଘଟିଛି। ଏଥିସହ ଭାରତ ଶ୍ରୀଲଙ୍କାକୁ ୩୦୦ ରନରେ ହରାଇ ଦିନିକିଆ ଇତିହାସରେ ରନ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୩୨ ରନ ଦେଇ ୪ଟି ସଫଳତା ପାଇଛନ୍ତି। ମହମ୍ମଦ ଶାମି ୨୦ ରନ ଦେଇ ୨ଟି ଏବଂ କୁଲଦୀପ ଯାଦବ ୧୬ ରନ ଦେଇ୨ଟି ଓ୍ଵିକେଟ୍ ନେଇଛନ୍ତି।

ଭାରତୀୟ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୯୫ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ଅଧିନାୟକ ରୋହିତ ଶର୍ମା ୪୨ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଗିଲ୍ ଏବଂ ବିରାଟ କୋହଲି ଦଳର ଇନିଂସ ସମ୍ଭାଳିଥିଲେ। ଦୁହେଁ ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ଶୁବମାନ ନିଜର ଫର୍ମ ବଜାୟ ରଖି ଦିନିକିଆ କ୍ୟାରିୟରରେ ଦ୍ଵିତୀୟ ଶତକ ପୂରଣ କରିଥିଲେ। ଏହା ପରେ ବିରାଟ କୋହଲି ଦିନିକିଆରେ ୪୬ ତମ ଶତକ ହାସଲ କରିଛନ୍ତି। ଚଳିତ ସିରିଜ୍‌ରେ କୋହଲିଙ୍କ ଏହା ଦ୍ଵିତୀୟ ଶତକ। କୋହଲି ଏବଂ ଗିଲ୍ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୩୧  ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ୨୨୬ ସ୍କୋରରେ ଗିଲ୍ ପାଭିଲିୟନ ଫେରିଥିଲେ। ସେ ୯୭ ବଲ୍‌ରୁ ୧୪ ଚୌକା ଏବଂ ୨ ଛକା ବଳରେ ୧୧୬ ରନ କରିଥିଲେ।

କୋହଲି ପୁଣି ଥରେ ଶ୍ରେୟସ ଆୟରଙ୍କ ସହିତ ତୃତୀୟ ଓ୍ଵିକେଟ୍‌ ପାଇଁ ୧୦୮ ରନର ଶତକୀୟ ଭାଗିଦାରୀ କରିଥିଲେ। ଆୟର ୩୮ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ(୭) ଏବଂ ସୂର୍ଯ୍ୟକୁମାର ଯାଦବ(୪) ରନ କରିଥିଲେ। ବିରାଟ କୋହଲି ଦମଦାର ବ୍ୟାଟିଂ କରିବା ସହ କ୍ରିଜରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୯୦ ରନର ବିଶାଳ ସ୍କୋର କରିଛି। କୋହଲି ୧୧୦ ବଲ୍‌ରୁ ୧୩ ଚୌକା ଏବଂ ୮ ଛକା ସହ ୧୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି।

   Related Posts