ଚଟ୍ଟଗାଓଁ: ଇଶାନ କିଷନଙ୍କ ପ୍ରହାରରେ ଘାଇଲା ବାଂଲାଦେଶ। ଇଶାନଙ୍କ ବିସ୍ଫୋରକ ଦ୍ଵିଶତକ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ଭାରତ କ୍ଲିନ ସୁଇପରୁ ବର୍ତ୍ତି ଯାଇଛି। ତୃତୀୟ ଦିନିକିଆରେ ଭାରତ ଘରୋଇ ବାଂଲାଦେଶକୁ ବିଶାଳ ୨୨୭ ରନରେ ପରାସ୍ତ କରିଛି। ହେଲେ ଦଳ ସିରିଜ୍ରେ ପରାଜିତ ହୋଇଛି। ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ତେବେ ସିରିଜ୍ର ଶେଷ ମ୍ୟାଚ୍ରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲର ଭାରତର ଆତ୍ମ ସମ୍ମାନ ରକ୍ଷା କରିଛନ୍ତି। ବିଶେଷ କରି ଆଜିର ମ୍ୟାଚ୍ ଇଶାନ କିଷନଙ୍କ ସହିତ କ୍ରିକେଟ୍ ଦୁନିଆ ପାଇଁ ସ୍ମରଣୀୟ ପାଲଟିଛି। ଇଶାନ କିଷନଙ୍କ ୨୧୦ ରନର ଦ୍ଵିଶତକୀୟ ଇନିଂସ ଏବଂ ବିରାଟ କୋହଲିଙ୍କ ୧୧୩ ରନ ବଳରେ ଭାରତ ୮ ଓ୍ଵିକେଟ୍ ହରାଇ ୪୦୯ ରନର ପାହାଡ ସୃଷ୍ଟି କରିଥିଲା। ଜବାବରେ ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୩୪ ଓଭରରେ ୧୮୨ ରନ କରିବାକୁ ସକ୍ଷମ ହୋଇଛି। କେହି ବାଂଲା ବ୍ୟାଟସମ୍ୟାନ ଅର୍ଦ୍ଧଶତକଟିଏ ହାସଲ କରି ପାରି ନାହାନ୍ତି। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ତେବେ ଭାରତ ବାଂଲାଦେଶ ମାଟିରେ ଦ୍ଵିତୀୟ ଥର ଦିନିକିଆ ଶୃଙ୍ଖଳାରେ ପରାଜିତ ହୋଇଛି।
୪୧୦ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ୪୭ ରନ ସ୍କୋରରେ ଦୁଇ ଓପନର ଅନାମୁଲ ହକ୍(୮) ଏବଂ ଲିଟନ୍ ଦାସ୍(୨୯) ପାଭିଲିୟନ ଫେରିଥିଲେ। ଏହା ପରେ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମଧ୍ୟ କ୍ରମରେ ସାକିବ ଉଲ ହସନ ୪୩ ରନ କରିଥିଲେ। ୟାସିର ଅଲ୍ଲୀ ୨୫ ଏବଂ ମେହମୁଦଲ୍ଲା ୨୦ ରନ କରି ପାଭିଲିୟନ ଫେରିଥିଲେ। ଦଳ ୩୪ ଓଭରରେ ୧୮୨ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩୦ ରନରେ ସର୍ବାଧିକ ୩ଟି ସଫଳତା ହାସଲ କରିଥିଲେ। ଅକ୍ଷର ପଟେଲ୍ ୨୨ ରନରେ ଏବଂ ଉମରାନ ମଲିକ୍ ୪୩ ରନରେ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଓ୍ଵାଶିଂଟନ ସୁନ୍ଦର, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।