ଗିଲ୍ଙ୍କ ଶତକ ଏବଂ ବୋଲରଙ୍କ ଘାତକ ବୋଲିଂ, ନ୍ୟୁଜିଲାଣ୍ଡର ଶୋଚନୀୟ ପରାଜୟ, ସିରିଜ୍ ଜିତିଲା ଭାରତ
1/02/2023 at 10:14 PM

ଅହମ୍ମଦାବାଦ: ଶୁଭମନ ଗିଲ୍ଙ୍କ ଦମଦାର ଶତକ ଏବଂ ବୋଲରଙ୍କ ଘାତକ ବୋଲିଂ ବଳରେ ଭାରତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ରେ ସହଜ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୧୬୮ ରନର ବିଶାଳ ବ୍ୟବଧାନରେ ହରାଇ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା ନକରି ୧୨.୧ ଓଭରରେ ମାତ୍ର ୬୬ ରନରେ ଅଲଆଉଟ୍ ହୋଇ ଶୋଚନୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍ଙ୍କ ୧୨୬ ରନ ଅପରାଜିତ ପାଳି ବଳରେ ୪ ଓ୍ଵିକେଟ୍ ହରାଇ ୨୩୪ ରନ ବିଶାଳ ସ୍କୋର କରିଥିଲା। ବୋଲିଂରେ ଭାରତ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଦିନିକିଆ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଥିଲା ଭାରତ।
୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବା ସମୟରେ ନ୍ୟୁଜିଲାଣ୍ଡ ଆରମ୍ଭରୁ ଚାପରେ ରହିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି କିଓ୍ଵି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୨୧ ରନରେ ଦଳ ୫ ଓ୍ଵିକେଟ୍ ହରାଇଥିଲା। ଡିରେଲ ମିଚେଲ୍ଙ୍କୁ ବାଦ୍ ଦେଲେ କୌଣସି ନ୍ୟୁଜିଲାଣ୍ଡ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ମିଚେଲ୍ ୩୫ ରନ ଏବଂ ମିଚେଲ୍ ସାଣ୍ଟରନ(୧୩)ଙ୍କୁ ବାଦ୍ ଦେଲେ ବାକି ୯ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୧୨.୧ ଓଭରରେ ମାତ୍ର ୬୬ ରନରେ ଅଲଆଉଟ୍ ହୋଇଛି। ଫିନ ଆଲେନ(୩), ଡେଭନ କନଓ୍ଵେ(୧), ମାର୍କ ଚାପମ୍ୟାନ(୦), ଗ୍ଲେନ ଫିଲିପ୍ସ(୨) ଦଳକୁ ନିରାଶ କରିଥିଲେ।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଦେଇ ୪ଟି ସଫଳତା ହାସଲ କରିଛନ୍ତି। ଅର୍ଶଦୀପ ସିଂ ୧୬ ରନରେ ୨ଟି ଓ୍ଵିକେଟ୍, ଉମରାନ ମଲିକ୍ ୯ ରନରେ ୨ ଓ୍ଵିକେଟ୍ ଏବଂ ଶିବମ ମାଭି ୧୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।
ଭାରତ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୭ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଇଶାନ କିଷନ(୧) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ରାହୁଲ ତ୍ରିପାଠୀ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡିଥିଲେ। ରାହୁଲ ତ୍ରିପାଠୀ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲ୍ରୁ ୪ ଚୌକା ଏବଂ ୩ ଛକା ସହ ୪୪ ରନ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୧୩ ବଲ୍ରୁ ୨୪ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଶୁଭମାନ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ।
ସେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଏହି କ୍ରମରେ ନିଜର ଚମତ୍କାର ବ୍ୟାଟିଂ ଜାରି ରଖି ଗିଲ୍ ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରି ଆଉଟ୍ ହୋଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡିଥିଲେ। ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ୬୩ ବଲ୍ରୁ ୧୨ ଚୌକା ଏବଂ ୭ ଛକା ସହ ୧୨୬ ରନ କରି ଅପରାଜିତ ଥିଲେ। ତାଙ୍କର ଶତକ ଦମରେ ଭାରତ ୪ ଓ୍ଵିକେଟ୍ ହରାଇ ୨୩୪ ରନ କରି ପାରିଥିଲା।