ବରସାପରା ଷ୍ଟାଡିୟମରେ ରନ ବର୍ଷା, ମିଲରଙ୍କ ଶତକ ବେକାର, ସିରିଜ୍ ଜିତିଲା ଭାରତ

Published By : Prameya-News7 Bureau | October 02, 2022 IST

ଗୌହାଟୀ: ହାଇସ୍କୋରିଂ ମୁକାବିଲା, ଛକା-ଚୌକାର ବର୍ଷା। ୪୦୦ ରନରୁ ଉର୍ଦ୍ଧ୍ଵ ସ୍କୋର। ରନ ବର୍ଷା ମ୍ୟାଚ୍‌ରେ ବାଜି ମାରିଲା ଭାରତ। ବୃଥା ହେଲା ଡେଭିଡ୍ ମିଲରଙ୍କ ଧୂଆଁଧାର ଶତକ। ସୂର୍ଯ୍ୟକୁମାର ଯାଦବ ଏବଂ ଲୋକେଶ ରାହୁଲଙ୍କ  ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦କୁ ଭାରତ ୧୬ ରନରେ ଜିତି ନେଇଛି। ବିଜୟ ସହିତ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ୨-୦ରେ ଅଗ୍ରଣୀ  ହାସଲ କରିଛି। ପ୍ରଥମ ଥର ଭାରତ ବିପକ୍ଷରେ ଟି-୨୦ ସିରିଜ୍ ଜିତିବାରେ ସଫଳ ହୋଇଛି। ପୂର୍ବରୁ ଭାରତ ଘରୋଇ ହେଉ କି ବିଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଜିତି ପାରିନଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ୬୧ ରନ, କେଏଲ ରାହୁଲଙ୍କ ୫୭, କୋହଲିଙ୍କ ୪୯ ଏବଂ ରୋହିତଙ୍କ ୪୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଥିଲା। ଜବାବରେ ଡେଭିଡ୍ ମିଲରଙ୍କ ଧୂଆଁଧାର ଅପରାଜିତ ୧୦୬ ରନଏବଂ କ୍ଵିଣ୍ଟନ ଡିକକ୍‌ଙ୍କ ୬୯ ରନ ଦଳକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଭ୍ରମଣକାରୀ ଦଳ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

୨୩୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ରହିଥିଲା। ୧ ରନରେ ଦଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ତେମ୍ବା ବାଭୁମା(୦) ଏବଂ ରିଲି ରସୋ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଏବଂ ଆଡନ ମାରକ୍ରମ ୪୬ ରନ ଯୋଡିଥିଲେ। ମାରକ୍ରମ ଦ୍ରୁତ ବ୍ୟାଟିଂ କରି ୧୯ ବଲ୍‌ରୁ ୩୩ ରନ କରି ଆଉଟ୍ ହୋଇଥିଲେ। ୪୭ ରନରେ ୩ ଓ୍ଵିକେଟ୍ ହରାଇ ଚାପରେ ରହିଥିଲା ଦକ୍ଷିଣ ଆଫ୍ରିକା। ଏହା ପରେ ଡେଭିଡ୍ ମିଲର କ୍ରିଜକୁ ଆସିବା  ମାତ୍ରେ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇବା ସହ ମ୍ୟାଚ୍‌କୁ ରୋମାଞ୍ଚକ ସ୍ଥିତିକୁ ଆଣିଥିଲେ। ମିଲର ଚୌକା ଏବଂ ଛକା ବର୍ଷା କରି ମାତ୍ର ୪୬ ବଲ୍‌ରେ ଶତକ ପୂରଣ କରିଥିଲେ। ସେ ୪୭ ବଲ୍‌ରୁ ୮ ଚୌକା ଏବଂ ୭ ଛକା ସହ ୧୦୬ ରନ କରି ଅପରାଜିତ ଥିଲେ। ଡିକକ୍ ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୯ ରନ କରିଥିଲେ। ମିଲରଙ୍କ ଶତକ ସତ୍ତ୍ଵେ ବି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା।

ଭାରତୀୟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର  ରୋହିତ ଶର୍ମା ଏବଂ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରିଥିଲେ। ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍‌ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ।

ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ମଙ୍ଗ ସମ୍ଭାଳିଥିଲେ। ସୂର୍ଯ୍ୟ କ୍ରିଜକୁ ଆସିବା ମାତ୍ରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ  ନିର୍ମମ ପ୍ରହାର କରିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଏବଂ ଛକା  ବର୍ଷା କରି ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୯ ରନରେ ନିଜ ଭୁଲ୍ ଯୋଗୁଁ ସୂର୍ଯ୍ୟକୁମାର ଯାଦବ ରନ ଆଉଟ୍ ହୋଇଥିଲେ। ସେ ମାତ୍ର ୨୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ବଳରେ ୬୧ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ। କୋହଲି ୨୮ ବଲ୍‌ରୁ  ୭ ଚୌକା ଏବଂ ୧ ଛକା ସହ ୪୯ ରନରେ ଅପରାଜିତ ଥିଲେ। ଦିନେଶ କାର୍ତ୍ତିକ ୭ ବଲ୍‌ରୁ ୧୭ ରନ କରି ଭଲ ଫିନିସ୍ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.