ସିକନ୍ଦର ରଜାଙ୍କ ଲଢୁଆ ଶତକ ବୃଥା, ଜିମ୍ବାଓ୍ଵେକୁ ୧୩ ରନରେ ହରାଇ ଦିନିକିଆ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ
22/08/2022 at 8:58 PM

ହରାରେ: ସିକନ୍ଦର ରଜାଙ୍କ ଲଢୁଆ ଶତକ ସତ୍ତ୍ଵେ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଜିମ୍ବାଓ୍ଵେ ଶେଷ ପର୍ଯ୍ୟନ୍ତ ଲଢି ୧୩ ରନରେ ପରାଜୟ ଭୋଗିଛି। ରୋମାଞ୍ଚକର ମୁକାବିଲାରେ ପରାଜୟ ପରେ ବି ଜିମ୍ବାଓ୍ଵେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ପାରିଛି। ସିକନ୍ଦର ରଜାଙ୍କ ଶତକ ଉପରେ ଗିଲ୍ଙ୍କ ଶତକ ଭାରି ପଡିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୩-୦ରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମାନ ଗିଲ୍ଙ୍କ ଦିନିକିଆରେ ପ୍ରଥମ ଶତକ ୧୩୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଥିଲା। ଇଶାନ କିଷନ ୫୦ ରନ କରିଥିବା ବେଳେ ଶିଖର ଧାଓ୍ଵନ ୪୦ ଏବଂ ଅଧିନାୟକ କେଏଲ ରାହୁଲ ୩୦ ରନ କରିଛନ୍ତି। ଜବାବରେ ଜିମ୍ବାଓ୍ବେ ସିକନ୍ଦର ରଜାଙ୍କ ଲଢୁଆ ୧୧୫ ରନର ଇନିଂସ ସତ୍ତ୍ଵେ ୪୯.୩ ଓଭରରେ ୨୭୬ ରନ କରିପାରିଥିଲା। ସିନ ଓ୍ଵିଲିୟମ୍ସ ୪୫ ରନ କରିଥିବା ବେଳେ ବ୍ରାଡ ଇଭାନ୍ସ ୨୮ ରନ କରିଥିଲେ। ଭାରତ ପକ୍ଷରୁ ଅଭେଶ ଖାନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍, କୁଲଦୀପ ଯାଦବ ଏବଂ ଦୀପକ ଚହର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୨୯୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେକୁ ୭ ରନ ସ୍କୋରରେ ଝଟକା ଲାଗିଥିଲା। ଇନୋସେଣ୍ଟ କାଇଆ(୬) ଦୀପକ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ସିନ ଓ୍ଵିଲିୟମ୍ସ ଏବଂ ଟୋନି ମୁନୟୋଙ୍ଗା ଦ୍ଵିତୀୟ ଓ୍ଵିକେଟ୍ରେ ୭୫ ରନ ଯୋଡି ଦଳର ସ୍ଥିତି ଦୃଢ କରିଥିଲେ। ସିନ ଓ୍ଵିଲିୟମସନ ୪୬ ବଲରୁ ୪୫ ରନ କରି ଆଉଟ୍ ହେବା ଜିମ୍ବାଓ୍ଵେକୁ ବଡ ଝଟକା ଲାଗିଥିଲା। ଏହା ପରେ ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ସିକନ୍ଦର ରାଜା ଗୋଟିଏ ପଟେ ଇନିଂସ ସମ୍ଭାଳିଥିବା ଅନ୍ୟପଟେ ଦଳର ଓ୍ଵିକେଟ୍ ଖସି ଚାଲିଥିଲା। ୧୬୯ ରନରେ ୭ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାର ଦେଶରେ ଥିଲା ଜିମ୍ବାଓ୍ବେ।
ତେବେ ସିକନ୍ଦର ରଜା ଏବଂ ବ୍ରାଣ୍ଡ ଇଭାନ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ବିଶେଷ କରି ରଜା ଦମଦାର ବ୍ୟାଟିଂ କରି ଜିମ୍ବାଓ୍ଵେକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏପରିକି ଜିମ୍ବାଓ୍ଵେକୁ ବିଜୟ ସ୍ଥିତିକୁ ଆଣିଥିଲେ ଦୁଇ ବ୍ୟାଟସମ୍ୟାନ। ଅଷ୍ଟମ ଓ୍ଵିକେଟରେ ରଜା ଏବଂ ଇଭାନ୍ସ ୧୦୪ ରନ ଯୋଡିଥିଲେ। ତେବେ ଇଭାନ୍ସ(୨୮)କୁ ଆଉଟ୍ କରି ଅଭେଶ ଖାନ ଭାରତକୁ ବଡ ସଫଳତା ଦେଇଥିଲେ। ଅନ୍ୟପଟେ ସିକନ୍ଦର ରଜା ଦିନିକିଆ କ୍ୟାରିୟରରେ ଷଷ୍ଠ ଶତକ ଅର୍ଜନ କରିଥିଲେ। ରଜା କ୍ରିଜରେ ଥିବା ପର୍ଯ୍ୟନ୍ତ ଜିମ୍ବାଓ୍ଵେର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ତେବେ ଶାର୍ଦ୍ଦୁଳ ଠାକୁର ରଜାଙ୍କୁ ଆଉଟ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ରଜା ଦମଦାର ବ୍ୟାଟିଂ କରି ୯୫ ବଲରୁ ୯ ଚୌକା ଏବଂ ୩ ଛକା ସହ ୧୧୫ ରନ କରିଥିଲେ। ଜିମ୍ବାଓ୍ଵେ ଶେଷରେ ୪୯.୩ ଓଭରରେ ୨୭୬ ରନରେ ଅଲଆଉଟ୍ ହୋଇଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତକୁ ଦୁଇ ଓପନର ଶିଖର ଧାଓ୍ଵନ ଏବଂ ଅଧିନାୟକ କେଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ। ଉଭୟ ଓପନିଂରେ ୬୩ ରନ ଯୋଡିଥିଲେ। କେଏଲ ରାହୁଲ ୩୦ ରନ କରି ଆଉଟ୍ ହୋଇଥିଲେ। ପରେ ଶିଖର ଧାଓ୍ଵନ ୪୦ ରନର ଭଲ ବ୍ୟାଟିଂ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ୍ ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଚମତ୍କାର ଫର୍ମରେ ଥିବା ଗିଲ୍ କିଷନଙ୍କ ସହ ତୃତୀୟ ଓ୍ଵିକେଟ୍ରେ ୧୪୦ ରନ ଯୋଡିଥିଲେ। ୨୨୪ ରନ ସ୍କୋରରେ ଇଶାନ କିଷନ ପାଭିଲିୟନ ଫେରିଥିଲେ। ସେ ୬୧ ବଲରୁ ୬ ଚୌକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ।
ଅନ୍ୟପଟେ ଗିଲ୍ ଦମଦାର ବ୍ୟାଟିଂ କରି ଦିନିକିଆ ଅନ୍ତର୍ଜାତୀୟରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଗୋଟିଏ ପଟେ ଗିଲ୍ ଇନିଂସ ସମ୍ଭାଳିଥିବା ବେଳେ ଶେଷ ଆଡକୁ ଭାରତ ଦ୍ରୁତ ରନ ସଂଗ୍ରହ କରିବା ଚେଷ୍ଟାରେ ସଅଳ ଓ୍ଵିକେଟ୍ ହରାଇଥିଲା। ଦୀପକ ହୁଡ୍ଡା(୧), ସଞ୍ଜୁ ସାମସନ(୧୫) ଏବଂ ଅକ୍ଷର ପଟେଲ୍(୧) ପାଭିଲିୟନ ଫେରିଥିଲେ। ଶେଷରେ ଭାରତ ୮ ଓ୍ଵିକେଟ୍ ହରାଇ ୨୮୯ ରନ କରିଥିଲା। ଶେଷ ଓଭରରେ ଗିଲ୍ ୧୩୦ ରନ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ୯୬ ବଲର ସମ୍ମୁଖୀନ ହୋଇ ଗିଲ୍ ୧୫ ଚୌକା ଏବଂ ୧ ଛକା ମାରିଛନ୍ତି। ଏକଦା ୪୨ ଓଭରରେ ୨ ଓ୍ଵିକେଟ୍ ହରାଇ ୨୨୪ ରନ କରିଥିବା ଭାରତ ୮ ଓଭରରେ ୬୫ ରନ କରି ୬ ଓ୍ଵିକେଟ୍ ହରାଇଥିଲା।