ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରୁକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | December 02, 2020 IST

କାନବେରା ୦୨।୧୨: ସଂଘର୍ଷ କରି ଶେଷରେ ଜିତିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ତୃତୀୟ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି ବିରାଟ ବାହିନୀ।  ଏହି ବିଜୟ ସହ ଭାରତ ନିଜର ସମ୍ମାନ ରକ୍ଷା କରିବା ସହିତ କ୍ରମାଗତ ଦୁଇଟି ସିରିଜ୍‌ରୁ କ୍ଲିନ ସୁଇପ୍ ହେବାରୁ ବଞ୍ଚି ଯାଇଛି। ଶେଷ ଦିନିକିଆ ହାରିବା ସତ୍ଵେ ବି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୧ରେ ବିଜୟୀ ହୋଇଛି। ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ଵେ ବି ଅଷ୍ଟ୍ରେଲିଆ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୯୨ ରନ ଏବଂ ରବୀନ୍ଦ୍ର  ଜାଡେଜାଙ୍କ ଅପରାଜିତ ୬୬ ରନ ବଳରେ ନିର୍ଦ୍ଧାରିତ ଓଭରରେ  ୫ ଓ୍ଵିକେଟ୍ ହରାଇ ୩୦୨ ରନର ପ୍ରଭାବଶାଳୀ ରନ କରିଥିଲା। ଜବାବରେ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ବିସ୍ଫୋରକ ୫୯ ରନର ଇନିଂସ, ଅଧିନାୟକ ଆରୋନ ଫିଞ୍ଚଙ୍କ ୭୫ ରନ ବଳରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୯ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଟି-୨୦ ସିରିଜ୍ ପୂର୍ବରୁ ଏହି ବିଜୟ ଭାରତର ଆତ୍ମ ବିଶ୍ଵାସକୁ ବୃଦ୍ଧି କରିଛି।

{"id":371430,"sizeSlug":"large"}

ସିରିଜ୍‌ରେ ପ୍ରଥମ ଥର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆକୁ ଗତ ଦୁଇ ମ୍ୟାଚ୍‌ ପରି ଆରମ୍ଭ ମିଳିନଥିଲା। ଦଳକୁ ୨୫ ରନ ସ୍କୋରରେ ପ୍ରଥମ ସଫଳତା ମିଳିଥିଲା। ମାର୍ନସ ଲାବୁସେନ(୭ ରନ)ଙ୍କୁ କ୍ଲିନ ବୋଲ୍ଡ କରି ଏହି ସଫଳତା ଦେଇଥିଲେ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଟି ନଟରାଜନ। ହେଲେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଶତକ ହାସଲ କରିଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଭାରତକୁ ବହୁତ ବଡ ସଫଳତା ଦେଇଥିଲେ। ବିଜୟ ଲକ୍ଷ୍ୟ ପିଛା କରିବାର ଚାପ ଘରୋଇ ଦଳ ଉପରେ ରହିଥିଲା। ଏହା ପରେ ଅଧିନାୟକ ଆରୋନ ଫିଞ୍ଚ ଓ ମୋଇସେସ୍ ହେନରିକ୍ସ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁହେଁ ସତର୍କତାର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡି ଦଳର ସ୍କୋରକୁ ୧୧୭ରେ ପହଞ୍ଚାଇଥିଲେ। ହେନରିକ୍ସ(୨୨ ରନ)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଯୋଡି ଭାଙ୍ଗିବା ସହିତ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଦିନିକିଆରେ ୨୮ ତମ ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିବା ଫିଞ୍ଚଙ୍କୁ ରବୀନ୍ଦ୍ର ଜାଡେଜା ପାଭିଲିୟନ ପଠାଇଥିଲେ। ଫିଞ୍ଚ୍‌ ୮୨ ବଲରୁ ୭ ଚୌକା ଓ ୩ ଛକା ଜରିଆରେ ୭୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଫିଞ୍ଚଙ୍କ ପରେ ଆଲେକ୍ସ କେରି ଓ କାମେରନ ଗ୍ରୀନ ପଞ୍ଚମ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୨୦୦ ପାର କରାଇବା ସହ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। କାମେରୁନ(୨୧ ରନ)ଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଭୁଲ୍ ବୁଝାମଣା କାରଣରୁ ଆଲେକ୍ସ କେରି ୩୮ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

ଏହା ପରେ କ୍ରିଜ୍‌କୁ ଆସି ଗ୍ଲେନ ମ୍ୟାକ୍ସଓ୍ଵେଲ ବିସ୍ପୋରକ ବ୍ୟାଟିଂ କରି ଭାରତର ଚିନ୍ତା ବଢାଇଥିଲେ। ସେ ଭାରତୀୟ ବୋଲରଙ୍କୁ ପ୍ରହାର କରି ସିରିଜ୍‌ରେ କ୍ରମାଗତ ତୃତୀୟ ତଥା ଦିନିକିଆରେ ୨୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଆଷ୍ଟନ ଆଗରଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଭାରତର ଚିନ୍ତା ବଢାଇଥିଲେ। ବୁମରା ମ୍ୟାକ୍ସଓ୍ଵେଲଙ୍କୁ କ୍ଲିନବୋଲ୍ଡ କରି ଭାରତକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ମ୍ୟାକ୍ସଓ୍ଵେଲ ୩୮ ବଲରୁ ୩ ଚୌକା ଓ ୪ ଛକା ସହ ୫୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମ୍ୟାକ୍ସଓ୍ଵେଲ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ବିଜୟଠୁ ଦୂରେଇ ଯାଇଥିଲା।

ସିନ ଆବଟ୍‌(୪ ରନ) ଶାର୍ଦ୍ଦୁଳଙ୍କ ଶିକାର ହୋଇଥିଲେ। ଆଷ୍ଟନ ଅଗରଙ୍କୁ ଆଉଟ୍ କରି ଟି ନଟରାଜନ ଦ୍ଵିତୀୟ ସଫଳତା ହାସଲ କରିଥିଲେ। ଅଗର ୨୮ ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୯ ରନରେ ଅଲଆଉଟ୍ ହୋଇଛି। ଶେଷରେ ଭାରତ ଏହି ମୁକାବିଲାକୁ ୧୩ ରନରେ ଜିତି ନେଇଛି।  ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ଯଶପ୍ରୀତ ବୁମରା  ଓ  ଟି ନଟରାଜନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.