ବ୍ରେସଓ୍ଵେଲଙ୍କ ଲଢୁଆ ଶତକ ବୃଥା, ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଭାରତ

Published By : Prameya-News7 Bureau | January 18, 2023 IST

ହାଇଦ୍ରାବାଦ: ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ଶେଷରେ ଶୁବମାନ ଗିଲ୍‌ଙ୍କ ଦ୍ଵିଶତକର ସମ୍ମାନ ରହିଲା। ମାଇକେଲ୍ ବ୍ରେସଓ୍ଵେଲଙ୍କ ଲଢୁଆ ଶତକ ନ୍ୟୁଜିଲାଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ ବି ଭାରତକୁ ପାଣି ପିଆଇ ଦେଇଛି। ଏକଦା ୧୩୧ ରନରେ ୬ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାରଦେଶରେ ଥିବା ନ୍ୟୁଜିଲାଣ୍ଡ ମାଇକେଲ୍ ବ୍ରେସଓ୍ଵଲଙ୍କ ଲଢୁଆ ଶତକ ବଳରେ ମ୍ୟାଚ୍‌କୁ ରୋମାଞ୍ଚକର ସ୍ଥିତିକୁ ଆଣିଥିଲା। ତେବେ ମହମ୍ମଦ ସିରାଜଙ୍କ ଶାଣିତ ବୋଲିଂ ଯୋଗୁଁ ଭାରତ ଶେଷରେ ମ୍ୟାଚ୍‌କୁ ୧୨ ରନରେ ଜିତିବାରେ ସଫଳ ହୋଇଛି। ଆଉ ଶୁବମାନ ଗିଲ୍‌ଙ୍କ ଦ୍ଵିଶତକର ସମ୍ମାନ ରହି ଯାଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଶୁବମାନ ଗିଲ୍‌ଙ୍କ ୨୦୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ବ୍ରେସଓ୍ଵେଲଙ୍କ ୧୪୦ ରନର ଲଢୁଆ ଶତକ ବଳରେ ୪୯.୨ ଓଭରରେ ୩୩୭ ରନ କରିବାକୁ ସକ୍ଷମ ହୋଇଛି। ଶେଷରେ ମୁକାବିଲାକୁ ଜିତି ନେଇଛି ଭାରତ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪୬ ରନରେ ୪ ଓ୍ଵିକେଟ୍ ନେଇ ଭାରତର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୩୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡ ୨୮ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଡେଭନ କନଓ୍ଵେ(୧୦) ପାଭିଲିୟନ ଫେରିଥିଲେ। ଏହା ପରେ କିଓ୍ଵି ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭଲ ବ୍ୟାଟିଂ କରୁଥିବା ଫିନ ଆଲେନ ୭ ଚୌକା ଏବଂ ୧ ଛକା ସହ ୪୦ ରନ କରି ପାଭିଲିୟନ ଫେରିଥିଲେ। କୁଲଦୀପ ଏବଂ ମହମ୍ମଦ ସିରାଜ ମଧ୍ୟକ୍ରମରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ହେନରି ନିକୋଲାସ(୧୮), ଡାରିଲ ମିଚେଲ୍(୯) ସଅଳ ଆଉଟ୍ ହୋଇଥିଲେ। ଟମ୍ ଲାଥମ ଧିମା ବ୍ୟାଟିଂ କରି ୨୪ ରନ କରି ବିଦାୟ ନେଇଥିଲେ। ଗ୍ଲେନ ଫିଲିପ୍ସ(୧୧) ପାଭିଲିୟନ ଫେରିଥିଲେ। ୧୩୧ ରନରେ ୬ ଓ୍ଵିକେଟ୍ ହରାଇ ନ୍ୟୁଜିଲାଣ୍ଡ ସଙ୍କଟରେ ପଡିବା ସହ ପରାଜୟର ଦ୍ଵାର ଦେଶରେ ଥିଲା।

ତେବେ ମାଇକେଲ୍ ବ୍ରେସଓ୍ଵେଲ ଏବଂ ମିଚେଲ୍ ସାଣ୍ଟନର ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ଧିରେ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। କ୍ରିଜରେ ଜମିବା ପରେ ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏହି ଯୋଡି ଭାରତର ଚିନ୍ତାକୁ ବଢାଇଥିଲେ। ଏହି କ୍ରମରେ ବ୍ରେସଓ୍ଵେଲ ଏବଂ ସାଣ୍ଟନର ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ବିଶେଷ କରି ବ୍ରେସଓ୍ଵେଲ ଆକ୍ରମଣାତ୍ମକ ବ୍ୟାଟିଂ କରି ମ୍ୟାଚ୍‌କୁ ରୋମାଞ୍ଚକର ମୋଡକୁ ଆଣିଥିଲେ। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍‌ ପାଇଁ ୧୬୨ ରନ ଯୋଡି ଦଳର ସ୍କୋରକୁ ୨୯୩ ରନରେ ପହଞ୍ଚାଇଥିଲେ। ଏପରିକି ଭାରତ ଉପରେ ପରାଜୟର ବାଦଲ ମଧ୍ୟ ଦେଖା ଦେଇଥିଲା।

ତେବେ ମହମ୍ମଦ ସିରାଜ ୪୬ତମ ଓଭରରେ ମିଚେଲ୍ ସାଣ୍ଟନରଙ୍କୁ ଆଉଟ୍ କରି ଏହି ଯୋଡିକୁ ଭାଙ୍ଗିବା ସହ ଭାରତକୁ ଆଶ୍ଵସ୍ତ କରିଥିଲେ। ସାଣ୍ଟନର ୪୫ ବଲ୍‌ରୁ ୭ ଚୌକା ଏବଂ ୧ ଛକା ସହ ୫୭ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଅନ୍ୟପଟେ ବ୍ରେସଓ୍ଵେଲ ବିସ୍ଫୋରକ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ। ସେ କ୍ରିଜରେ ଥିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ବିଜୟ ଆଶା ଉଜ୍ଜୀବିତ ରହିଥିଲା। ବ୍ରେସଓ୍ଵେଲ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ନ୍ୟୁଜିଲାଣ୍ଡକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଶେଷ ୨ ଓଭରରେ ୨୪ ରନ ଦରକାର ଥିଲା। ତେବେ ୫୦ ତମ ଓଭରରେ ଶାର୍ଦ୍ଦୁଳ ଠାକୁର ବ୍ରେସଓ୍ଵେଲଙ୍କୁ ଆଉଟ୍ କରି ରୋମାଞ୍ଚକର ମୁକାବିଲାରେ ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ। ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୩୩୭ ରନରେ ଅଲଆଉଟ୍ ହୋଇ ୧୨ ରନରେ ପରାଜିତ ହୋଇଛି। ବ୍ରେସଓ୍ଵେଲ ଲଢୁଆ ବ୍ୟାଟିଂ କରି ମାତ୍ର ୭୮ ବଲ୍‌ରୁ ୧୨ ଚୌକା ଏବଂ ୧୦ ଛକା ସହ ୧୪୦ ରନ କରିଥିଲେ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୪୬ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। କୁଲଦୀପ ଯାଦବ ସୁନ୍ଦର ବୋଲିଂ କରି ୪୩ ରନରେ ୨ଟି ଓ୍ଵିକେଟ୍ ନେଇଥିଲେ। ଶାର୍ଦ୍ଦଳୁ ଠାକୁରଙ୍କୁ  ୨ଟି ସଫଳତା ମିଳିଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମହଙ୍ଗା ସାବ୍ୟସ୍ତ  ହେଲେ ମଧ୍ୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଭାରତୀୟ ଇନିଂସଟ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦୃଢ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡିଥିଲେ। ଭଲ ଆରମ୍ଭ କରିଥିଲେ ହେଁ ରୋହିତ ୩୮ ବଲ୍‌ରୁ ୪  ଚୌକା ଏବଂ ୨ ଛକା ବଳରେ ୩୪ ରନ କରି ବିଦାୟ ନେଇଥିଲେ। ବିରାଟ କୋହଲି(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସାଣ୍ଟନର କୋହଲିଙ୍କୁ ବୋଲ୍ଡ କରି ଭାରତକୁ ବଡ ଝଟକା ଦେଇଥିଲେ। ନିଜର ପୂର୍ବ ମ୍ୟାଚ୍‌ରେ ଦ୍ଵିଶତକ ହାସଲ କରିଥିବା ଇଶାନ କିଶନ(୫) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡିଥିଲେ।  ତେବେ ଦ୍ରୁତ ବ୍ୟାଟିଂ କରୁଥିବା ସୂର୍ଯ୍ୟ ୨୬ ବଲ୍‌ରୁ ୪ ଚୌକା ଜରିଆରେ ୩୧ ନର କରି ପାଭିଲିୟନ ଫେରିଥିଲେ। ତେବେ ଅନ୍ୟପଟେ ଗିଲ୍ ଏକାକୀ କ୍ରିଜରେ ଜମି ରହି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ୨୮ ରନ କରି ବିବାଦୀୟ ଆଉଟ୍ ହୋଇଥିଲେ।

ଗିଲ୍ ଶତକ ହାସଲ ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ୪୯ତମ ଓଭରରେ ସେ ଲୋକି ଫର୍ଗ୍ୟୁସନଙ୍କୁ ଲଗାତାର ୩ ଛକା ମାରି ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦ୍ଵିଶତକ ହାସଲ କରିଥିଲେ। ଗିଲ୍ ୧୪୫ ବଲ୍‌ରେ ୧୯ ଚୌକା ଏବଂ ୮ ଛକା ବଳରେ ଦ୍ଵିଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ, ରୋହିତ ଶର୍ମା ଏବଂ  ଇଶାନ କିଷନ ଦିନିକିଆ ଅନ୍ତର୍ଜାତୀୟରେ ଦ୍ଵିଶତକ ହାସଲ କରିଥିଲେ। ତେବେ ୫୦ତମ ଓଭରରେ ଗିଲ୍‌ଙ୍କ ଦର୍ଶନୀୟ ଦ୍ଵିଶତକ ଇନିଂସର ଅନ୍ତ ଘଟିଥିଲା। ଗିଲ୍ ୧୪୯ ବଲ୍‌ରୁ ୧୯ ଚୌକା ଏବଂ ୯ ଛକା ବଳରେ ୨୦୮ ରନ କରି ଆଉଟ୍ ହୋଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ କରିଥିଲା। ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ୍ ସର୍ବାଧିକ ରନ ହାସଲକାରୀ ଭାରତୀୟ ବ୍ୟାଟର ହୋଇ ପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.