କାନବେରା ୦୪।୧୨: ଶେଷ ଦିନିକିଆ ମ୍ୟାଚ୍ ଜିତି ଆତ୍ମ ବିଶ୍ଵାସରେଭରା ଭାରତୀୟ ଦଳ ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି। ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭ୍ରମଣକାରୀ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲଙ୍କ ୫୧ ରନ ଓ ରବୀନ୍ଦ୍ର ଜାଜେଡାଙ୍କ ଅପରାଜିତ ୪୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଜବାବରେ ଘରୋଇ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୦ ରନରେ ସୀମିତ ହୋଇଛି। ଆରୋନ ଫିଞ୍ଚ ୩୫ ଓ ଡି ଆର୍ସି ସଟ୍ ୩୪ ରନ କରିଥିଲେ। ଭାରତ ପକ୍ଷରୁ ଟି ନଟରାଜନ ଓ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ୟୁଜବେନ୍ଦ୍ର ଚହଲ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୬୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ଦୁଇ ଓପନର ଅଧିନାୟକ ଆରୋନ୍ ଫିଞ୍ଚ ଓ ଡି ଆର୍ସି ସର୍ଟ ଦମଦାର ଆରମ୍ଭ ଦେଇଥିଲେ। ୭.୪ ଓଭରରେ ପ୍ରଥମ ଓ୍ଵିକେଟ୍ରେ ୫୬ ରନ ଯୋଡିଥିଲେ। ଫିଞ୍ଚଙ୍କୁ ଆଉଟ୍ କରି ୟୁଜବେନ୍ଦ୍ର ଚହଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫିଞ୍ଚ ୨୬ ବଲରୁ ୫ ଚୌକା ଓ ୧ ଛକା ବଳରେ ୩୫ ରନ କରି ଆଉଟ୍ ହୋଇଥିଲେ। ଚମତ୍କାର ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍(୧୨ ରନ)ଙ୍କୁ ଚହଲ ଆଉଟ୍ କରି ଘରୋଇ ଦଳକୁ ବଡ ଝଟକା ଦେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ଭାରତୀୟ ବୋଲିଂର ମୁକାବିଲା କରିନପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।
{"id":372536,"sizeSlug":"large"}ଘାତକ ମ୍ୟାକ୍ସଓ୍ଵେଲ(୨ ରନ)ଙ୍କୁ ଆଉଟ୍ କରି ଟି ନଟରାଜନ ପ୍ରଥମ ଅନ୍ତରାଷ୍ଟ୍ରୀୟ ଟି-୨୦ ଓ୍ଵିକେଟ୍ ହାସଲ କରିଥିଲେ। ଏହା ପରେ ମୋଇସିସ୍ ହେନରିକ୍ସ ଓ ଡି ସର୍ଟି ଚତୁର୍ଥ ଓ୍ଵିକେଟ୍ରେ ୩୮ ରନ ଯୋଡି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ହେଲେ ସର୍ଟଙ୍କୁ ଆାଉଟ୍ କରି ଟ ନଟରାଜନ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଡି ଆର୍ସି ସର୍ଟ ୩୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ବିଜୟଠୁ ଦୂରେଇ ଯାଇଥିଲା। ମାଥ୍ୟୁ ଓ୍ଵାଦେ(୭ ରନ) ବିଦାୟ ନେଇଥିଲେ। ଦ୍ରୁତ ବ୍ୟାଟିଂ କରି ୨୦ ବଲରୁ ୩୦ ରନ କରି ହେନରିକ୍ସ ପାଭିଲିୟନ ଫେରିଥିଲେ। ମିଚେଲ୍ ଷାର୍ଟଙ୍କୁ ଆଉଟ୍ କରି ଟି ନଟରାଜନ ବ୍ୟକ୍ତିଗତ ତୃତୀୟ ସଫଳତା ହାସଲ କରିଥିଲେ। ଶେଷରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୦ ରନରେ ସୀମିତ ରହିଥିଲା।
ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଟି ନଟରାଜନ ପ୍ରତ୍ୟେକ ୩ଟି ଓ୍ଵିକେଟ୍ ନେଇଥିଲେ। ଦୀପକ ଚହରଙ୍କୁ ଗୋଟିଏ ଓ୍ଵିକେଟ୍ ନେଇଥିଲା।
ଭାରତ ଇଂନିସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ୧୧ ରନ ସ୍କୋରରେ ଶିଖର ଧାଓ୍ଵନ(୧ ରନ) କରି ଆଉଟ୍ ହୋଇଥିଲେ। ଏହା ପରେ କେଏଲ ରାହୁଲ ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୭ ରନ ଯୋଡିଥିଲେ। କୋହଲି(୭ ରନ) ଆାଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।
{"id":372537,"sizeSlug":"large"}ସଞ୍ଜୁ ସାମସନ ୨୩ ରନ କରିଥିଲେ। ମନିଷ ପାଣ୍ଡେ(୨ ରନ) ନିରାଶ କରିଥିଲେ। ଅନ୍ୟପଟେ କ୍ରିଜ୍ରେ ଜମି ରହି ଇନିଂସ ସମ୍ଭାଳିଥିବା ଲୋକେଶ ରାହୁଲ ଆଉଟ୍ ହୋଇଥିଲେ। ସେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ୪୦ ବଲରୁ ୫ ଚୌକା ଓ ୧ ଛକା ସହ ୫୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବଡ ସଟ୍ ଖେଳିବାକୁ ଯାଇ ୧୬ ରନରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ଅପରାଜିତ ବିସ୍ଫୋରକ ବ୍ୟାଟିଂ କରି ୨୩ ବଲରୁ ୫ ଚୌକା ଓ ୧ ଛକା ସହ ୪୧ରନର ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଛି।
ଅଷ୍ଟ୍ରେଲିଆ ତରଫରୁ ମୋଇସେସ୍ ହେନରିକ୍ସ ୩ଟି ସଫଳତା ପାଇଛନ୍ତି। ମିଚେଲ୍ ଷ୍ଟାର୍କ ୨ଟି ନେଇଥିବା ବେଳେ ଆଡମ ଜାମ୍ପା ଓ ମିଚେଲ୍ ସ୍ଵେପସନ ପ୍ରତ୍ୟେକ ଗୋଟିଏ ଲେଖାଁଏ ଓ୍ଵିକେଟ୍ ନେଇଥିଲେ।