ଧାଓ୍ଵନ ଏବଂ ଗିଲ୍‌ଙ୍କ ଦମଦାର ଅର୍ଦ୍ଧଶତକ, ଜିମ୍ବାଓ୍ଵେକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | August 18, 2022 IST

ହରାରେ: ବୋଲର ଏବଂ ବ୍ୟାଟସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିଛି। ଭ୍ରମଣକାରୀ ଭାରତୀୟ ଦଳ ଘରୋଇ ଜିମ୍ବାଓ୍ଵେକୁ ୧୦ ଓ୍ଵିକେଟରେ ପରାସ୍ତ କରିଛି। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅବିଭାଜିତ ପ୍ରଥମ ଓ୍ଵିକେଟରେ ୧୯୨ ରନ ଯୋଡି ଭାରତକୁ ୧୦ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ଵେ ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୩୧ ଓଭରରେ ବିନା ଓ୍ଵିକେଟ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶିଖର ଧାଓ୍ଵନ ୮୧  ଏବଂ ଶୁଭମାନ ଗିଲ୍ ୮୨ ରନ କରି ଅପରାଜିତ ଅଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିପାରିନଥିଲା। ଦଲ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୪୦.୩ ଓଭରରେ ୧୮୯  ରନରେ ଅଲଆଉଟ୍ ହୋଇଥିଲା। ଜଣେ ହେଲେ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଦଳ ପକ୍ଷରୁ ରେଗିସ୍ ଚକାଓ୍ଵା ସର୍ବାଧିକ ୩୫ ରନ କରିଥିଲେ। ରିଚାର୍ଡ ନାଗାରଭା ୩୪ ରନ ଏବଂ  ବ୍ରାଡ ଇଭାନ୍ସ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର ୨୭ ରନ, ଅକ୍ଷର ପଟେଲ୍ ୨୪ ରନ ଏବଂ ପ୍ରସିଦ୍ଧ କୃଷ୍ଣା ୫୦ ରନ ଦେଇ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.