୨-୧ରେ ସିରିଜ ହାରିଲା ଅଷ୍ଟ୍ରେଲିଆ, ୭ ୱିକେଟ୍‌ରେ ଭାରତର ଦମଦାର ବିଜୟ

Published By : Prameya-News7 Bureau | January 19, 2020 IST

ବେଙ୍ଗାଲୁରୁ ୧୯।୧:  ଭାରତ-ଅଷ୍ଟ୍ରେଲିଆ ୩ ଟିକିଆ ଏକଦିବସୀୟ ସିରିଜ୍‌କୁ ଟିମ୍ ଇଣ୍ଡିଆ ବେଶ ସହଜରେ ହାତେଇ ନେଇଛି। ଫଳରେ ୨-୧ରେ ଭାରତ ହାରିବ ବୋଲି ଟାଣରେ କହିଥିବା ଅଷ୍ଟ୍ରେଲିଆ କ୍ୟାପ୍ଟେନ ଆରୋନ ଫିଞ୍ଚଙ୍କ ମୁହଁ ଖଟ୍ଟା ହୋଇଯାଇଛି। ଅଷ୍ଟ୍ରେଲିଆର ୨୮୬ ରନ ଟାର୍ଗେଟ୍ କୁ ଭାରତ ୭ ୱିକେଟ୍ ଓ ୩ ରନରେ ହାସଲ କରିନେଇଛି।  

ବେଙ୍ଗାଲୁରୁ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଭାରତ ୭ ଓ୍ୱିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ତିନିଟିକିଆ ସିରିଜକୁ ୨-୧ରେ ହାତେଇଛି। ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ଓ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଦମଦାର ଇନିଂସ ଭାରତକୁ ବିଜୟୀ କରାଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ବଡ ସ୍କୋର କରିବା ଲକ୍ଷରେ ଥିଲା। କିନ୍ତୁ ଓପ୍ନର ତଥା ଇନଫର୍ମ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୩ରନରେ  ଆଉଟ୍ ହୋଇଯିବା ଦଳକୁ ଝଟକା ଦେଇଥିଲା। ଏହାପରେ ଆରୋନ ଫିଞ୍ଚ ମାତ୍ର ୧୯ ରନରେ ଆଉଟ ହୋଇଥିଲେ। ତେବେ ଷ୍ଟିଭ୍ ସ୍ମିଥ ଧର୍ଯ୍ୟର ସହ ବ୍ୟାଟିଂ କରି ଶତକ ପୂରଣ କରିଥିଲେ। ସେ ୧୩୧ବଲରୁ ୧୩୨ ରନ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ୍ ଲାବୁସେନ୍ ୫୪ ରନ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ସେହିପରି ମିଚେଲ୍ ଷ୍ଟାର୍କ୍ ଶୁନ୍ୟରେ  ଓ ଆଲେକ୍ସ୍ କେରୀ ୨୫ ରନରେ ଆଉଟ୍ ହେବା ଦଳ ଲାଗି ଦୁର୍ଭାଗ୍ୟପୂର୍ଣ୍ଣ ଥିଲା।

ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି, ରବୀନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ନବଦୀପ ସାଇନୀ ଓ କୂଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି। 

ଦ୍ୱିତୀୟ ପାଳିରେ ଭାରତ ପାଇଁ ଓପ୍ନିଂ ଯୋଡିରେ କେ.ଏଲ. ରାହୁଲ ଓ ରୋହିତ ଶର୍ମା ଓହ୍ଲାଇଥିଲେ। ଶିଖର ଧାଓ୍ୱନ ଫିଲ୍ଡିଂ ବେଳେ ଆହତ ହେତୁ ବ୍ୟାଟିଂ କରିପାରି ନଥିଲେ। ତେବେ ଦୁଇ ଓପ୍ନର ଭଲ ସ୍କୋର ଅଭିମୁଖେ ଗତି କରିବା ବେଳେ ରାହୁଲ ୧୯ ରନରେ ଆଉଟ୍ ହୋଇଥିଲେ। କିନ୍ତୁ ରୋହିତ ନିଜ ଅନ୍ଦାଜରେ ବ୍ୟାଟିଂ ଜାରି ରଖିଥିଲେ। ରୋହିତ ଶତକ ହାସଲ କରିବା ସହ ଆକ୍ରମଣାତ୍ମକ ଖେଳିଥିଲେ।

ରୋହିତ ୧୨୮ ବଲରୁ ୧୧୯ ରନ କରି ଆଉଟ୍ ହୋଇଥିଲେ। ଏହି ଇନିଂସରେ ୬ଟି ଛକ୍କା ଓ ୮ଟି ଚୌକା ରହିଥିଲା। ସେହିପରି ବିରାଟ ମଧ୍ୟ ଦମଦାର ୮୯ ରନ କରି ଆଉଟ୍ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ଉପଯୋଗୀ ୪୪ ରନ କରିଥିଲେ। ଫଳରେ ଭାରତ ୪୭.୩ ଓଭରରେ ୩ ଓ୍ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପେଟ୍ କମିନ୍ସ୍, ଆଡାମ ଜାମ୍ପା ଓ ମିଚେଲ୍ ଷ୍ଟାର୍କ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.